Home ଜିଲ୍ଲା ପରିକ୍ରମା ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ମୋଦି ସରକାର ସର୍ବାଧିକ ଚାନ୍ଦା ଗ୍ରହଣ କରିଛନ୍ତି, କଂଗ୍ରେସ ଆକାଉଣ୍ଟ ସିଜ...

ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ମୋଦି ସରକାର ସର୍ବାଧିକ ଚାନ୍ଦା ଗ୍ରହଣ କରିଛନ୍ତି, କଂଗ୍ରେସ ଆକାଉଣ୍ଟ ସିଜ କରି ୧୮୨୩ କୋଟିର ଡିମାଣ୍ଡ ନୋଟିସ୍ ପଠାଯିବା ଅଗଣତାନ୍ତ୍ରିକ – କଂଗ୍ରେସ

51

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତବର୍ଷର ନିର୍ବାଚନରେ ବିଭିନ୍ନ ଦଳର ପାଣ୍ଠି ସଂଗ୍ରହରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଥିବା ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଇଲେକୋଟ୍ରାଲ ବଣ୍ଡ ମାଧ୍ୟମରେ ଯେଉଁ ଅର୍ଥ ଦେଇଥାନ୍ତି, ତାହାର ବିଶ୍ୱର ଏକ ବଡ ରାକେଟ୍ ହୋଇଥିବାବେଳେ ଏଥିରେ କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାର ସିଂହଭାଗ ନେଇଥିବାବେଳେ ଦେଶର ଅନ୍ୟତମ ବୃହତ୍ ତଥା ପୁରାତନ ରାଜନୈତିକ ଦଳ କଂଗ୍ରେସ ପ୍ରତି ଅଂକୁଶ ଲଗାଇବା ଘଟଣାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ପୂର୍ବତନ ସାଂସଦ ତଥା ଭଣ୍ଡାରିପୋଖରୀ ବିଧାୟକ ଅନନ୍ତ ଚରଣ ସେଠୀ ତୀବ୍ର ସମାଲୋଚନା କରିଛନ୍ତି । ଏବଂ ଏଭଳି ଅଭାବନୀୟ ଘଟଣାର ସମସ୍ତ ଗୁଢ ରହସ୍ୟକୁ ମାନ୍ୟବର ସୁପ୍ରିମକୋର୍ଟ ଯେଉଁଭଳି ଭାବେ ପଦାରେ ପକାଇଛି, ତାହାକୁ ସ୍ୱାଗତ କରିବା ସହ ଏଥିରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରି କେନ୍ଦ୍ର ସରକାରଙ୍କ ମୁଖାକୁ ଲୋକ ଲୋଚନରେ ଖୋଲିଦେବାକୁ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ସେଠୀ ଏ ସଂପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେବାକୁ ଯାଇ ଯାହା କହିଛନ୍ତି ୨୦୧୮ ଓ ୨୦୨୪ ମଧ୍ୟରେ ବିଜେପି ସମୁଦାୟ ୧୬ ହଜାର ୫୧୮ କୋଟି ଅର୍ଥରୁ ନିଜେ ୮ ହଜାର ୨୫୨ କୋଟି ଗ୍ରହଣ କରିଛି । କଂଗ୍ରେସ ଦଳ ସର୍ବପୁରାତନ ଦଳ ହୋଇଥିଲେ ମଧ୍ୟ ମାତ୍ର ୧୯୫୦ କୋଟି ଟଙ୍କା ଗ୍ରହଣ କରିଛି । ବହୁ ରାଜନୈତିକ ଦଳ ନିର୍ବାଚନ ସମୟରେ ଏହିଭଳି ଇଲେକ୍‌ଟ୍ରାଲ ବଣ୍ଡ ମାଧ୍ୟମରେ ଅର୍ଥ ଗ୍ରହଣ କରିଆସୁଥିଲେ ମଧ୍ୟ ବିଜେପି ଇଡି. ସିବିଆଇ ଓ ଆଇଟିର ଧମକର ଚେତାବନୀ ମାଧ୍ୟମରେ ଅନୈତିକ ଭାବେ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନଙ୍କ ନିକଟରୁ ଯେଉଁ ବିପୁଳ ଅର୍ଥ ଗ୍ରହଣ କରିଛି, ତାହାର ମୁଖା ଖୋଲିଛି ସର୍ବୋଚ୍ଚ ନ୍ୟାୟାଳୟ । ବିଜେପି ଏହିଭଳି ଭାବେ ୩୭ ଟି ବ୍ୟବସାୟିକ ସଂସ୍ଥାକୁ ୪ ଲକ୍ଷ କୋଟି ଟଙ୍କାର ୨୪୩ ଟି ପ୍ରୋଜେକ୍ଟ ଦେବା ଆଳରେ ୪ ହଜାର କୋଟି ଟଙ୍କା ଚାନ୍ଦା ଆକାରରେ ନେଇଛି । ସେହିଭଳି ଭାବେ ଯେଉଁ ୭ଟି ଫାର୍ମାସିଟିକାଲ କଂପାନୀ ନିମ୍ନମାନର ମେଡିସିନ୍ ତିଆରି କରିଆସୁଛି, ସେମାନେ ସମସ୍ତେ ଏହି ଇଲେକ୍‌ଟ୍ରାଲ ବଣ୍ଡ ମାଧ୍ୟମରେ ବିଜେପିକୁ ଚାନ୍ଦା ଦେଇଛନ୍ତି । ବିଶେଷକରି ବ୍ଲଡ୍ ପ୍ରେସର ଓ କୋଭିଡ୍‌-୧୯ ଚିକିତ୍ସା ସମୟରେ ରେମଦେଶଭୀର ନିମ୍ନମାନର ଔଷଧ ଓ ଚିକିତ୍ସା କରାଇ କେନ୍ଦ୍ର ନେତୃତ୍ୱାଧୀନ ସରକାରଙ୍କୁ ମୋଟା ଆକାରର ଚାନ୍ଦା ଦେଇଛି । କେବଳ ଏତିକି ନୁହେଁ ୨୯ ଟି ଜାଲ୍ ବ୍ୟବସାୟିକ ସଂସ୍ଥା ନିକଟରୁ ମଧ୍ୟ ବିଜେପି ପର୍ଯ୍ୟାପ୍ତ ପରିମାଣର ଅର୍ଥ ଗ୍ରହଣ କରିଛି । ସେଥିମଧ୍ୟରୁ ୧୯ ଟି ସଂସ୍ଥା ବିତ୍ତ ମନ୍ତ୍ରାଳୟର ଅର୍ଥନୈତିକ ନିୟମକୁ ଉଲ୍ଲଂଘନ କରିଛନ୍ତି ।

ଏମାନଙ୍କ ମଧ୍ୟରୁ ୯୪ ଟି କଂପାନୀ ଇଡି, ସିବିଆଇ, ଇନକମ୍ ଟ୍ୟାକ୍ସ ରେଡ୍ କଲାପରେ ସେମାନେ ନିର୍ବାଚନ ପାଇଁ ଚାନ୍ଦା ଦେବାର ପ୍ରମାଣ ହସ୍ତଗତ ହୋଇଛି । ଅଧିକାଂଶ ବ୍ୟବସାୟିକ ସଂସ୍ଥାଗୁଡିକୁ କାମ ବଦଳରେ ଚାନ୍ଦା ଇଲେକେ୍‌ଟ୍ରାଲ ବଣ୍ଡ ମାଧ୍ୟମରେ ବିଜେପି ନେଇଥିବାବେଳେ ଚଳିତ ନିର୍ବାଚନ ସମୟରେ ଯେଭଳି ଭାବେ କଂଗ୍ରେସର ଆକାଉଣ୍ଟ ଗୁଡିକୁ ସିଜ୍ କରିଦିଆଯାଇଛି । ଏବଂ ୧୮୨୩ କୋଟି ଟଙ୍କା ଡିମାଣ୍ଡ ନୋଟିସ୍ ପଠାଯାଇଛି । ଏଭଳି ସ୍ଥଳେ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଚାନ୍ଦା ଆଦାୟ କ୍ଷେତ୍ରରେ ମୋଦି ସରକାର ସର୍ବାଧିକ ଅର୍ଥ ଗ୍ରହଣ କରି ରେକର୍ଡ ସୃଷ୍ଟି କରିଥିବାବେଳେ କଂଗ୍ରେସର ଆକାଉଣ୍ଟଗୁଡିକୁ ସିଜ୍ କରିବା ଅତ୍ୟନ୍ତ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଏବଂ ଏହି ଘଟଣାକୁ ଘୋର ଜନତା ଜନାର୍ଦ୍ଦନଙ୍କ ନିକଟରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ଜରିଆରେ ସମସ୍ତ ଜିଲାରେ ଏହିଭଳି ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିବା ବିଷୟ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂପାଦିକା ଅମିତାବାଳା ଆଚାର୍ଯ୍ୟ, ନାରୀନେତ୍ରୀ ସ୍ୱସ୍ତିକା ପଣ୍ଡା, ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲ୍ଲୀ ଖାଁ, ଜିଲା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ଭଦ୍ରକ ବିଧାନସଭା ଯୁବ କଂଗ୍ରେସର ସାଧାରଣ ସଂପାଦକ ସୁଶାନ୍ତ ଦାସ, ଯୁବନେତା ରିଆଜ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.