Home କେନ୍ଦୁଝର ଇନଚାର୍ଜ ବିଇଓରେ ଚାଲିଛି ହାଟଡିହି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,ଚାଲିଛି କିରାଣୀଙ୍କ ରାଜ, ଶିକ୍ଷା ବ୍ୟବସ୍ଥା ପଚାରେ କିଏ

ଇନଚାର୍ଜ ବିଇଓରେ ଚାଲିଛି ହାଟଡିହି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,ଚାଲିଛି କିରାଣୀଙ୍କ ରାଜ, ଶିକ୍ଷା ବ୍ୟବସ୍ଥା ପଚାରେ କିଏ

30

ହାଟଡ଼ିହି, ୧୬। ୫ : (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଟି ଜଣେ ଭାରପ୍ରାପ୍ତ ବିଇଓଙ୍କ ଦ୍ୱାରା ଚାଲୁଥିବାରୁ ଅଧିକାଂଶ ଦିନ ତାଙ୍କର ଅନୁପସ୍ଥିତିକୁ ନେଇ ସମଗ୍ର ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି। ଇନଚାର୍ଜ ବିଇଓ ଏବଂ ସେ ଅନେକ ସମୟରେ ଅନୁପସ୍ଥିତ ରହୁ ଥିବାରୁ କିଛି କିରାଣୀ ବେନିୟମ ଭାବେ ଅନେକ ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି। ବିଇଓ ସୁରଥ କୁମାର ସାହୁ ୨୦୨୧ ଅଗଷ୍ଟରେ ଅବସର ନେବାପରେ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ବିଇଓଙ୍କୁ ନିଯୁକ୍ତି ଦିଆଯାଇ ପାରିଲାନାହିଁ। ପ୍ରଥମେ କିଛି ମାସ ଅନ୍ୟ ଜାଣେ ବିଇଓଙ୍କୁ ଚାର୍ଜ ଦିଆଯାଇଥିବାବେଳେ ଏବେ ଘଟଗାଁ ବ୍ଲକର ବିଇଓ ଅଭୟ କୁମାର ବେହେରାଙ୍କୁ ଭାରପ୍ରାପ୍ତ ବିଇଓ ଭାବେ ନିଯୁକ୍ତି ଦିଆଯାଇ କାମଚଳା କରାଯାଉଛି। ଫଳରେ ଭାରପ୍ରାପ୍ତ ବିଇଓ ଜଣକ କେବଳ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଦରମା କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ତଦାରଖ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁ ନି ବୋଲି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି। ଶିକ୍ଷା ଅଧିକାରୀ ମାନଙ୍କର ତଦାରଖ ଅଭାବରୁ ଶିକ୍ଷାଦାନ ବିପର୍ଯ୍ୟସ୍ଥ ହୋଇ ପଡ଼ିଛି। ଅନେକ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀମାନେ ମନଇଛା ସ୍କୁଲକୁ ଯିବା ଆସିବା କରୁଥିବାରୁ ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ, ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଠିକ ଭାବେ ହୋଇପାରୁନି। ବ୍ଲକରେ ଅନେକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ପୁରଣ ହୋଇପାରିଲାନି। ଏପରିକି ଗତ ୪ମାସ ତଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କିଛି ଶିକ୍ଷକ ଶିକ୍ଷୟତ୍ରୀଙ୍କର ଜଣେ ଲେଖାଏଁ ଥିବା ବିଦ୍ୟାଳୟ ଗୁଡିକୁ ବଦଳି କରାଯାଇ ଥିଲେବି କିଛି ଶିକ୍ଷକ ଏହି ଆଦେଶକୁ ଅବମାନନା କରି ନୂତନ ବିଦ୍ୟାଳୟରେ ଯୋଗଦେଇ ନଥିଲେ। ଯାହାଦ୍ୱାରାକି ଏବେବି ୧୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି। ଏହି ବ୍ଲକ ଟି ଜିଲ୍ଲାର ସର୍ବ ବୃହତ ବ୍ଲକ ହୋଇଥିବାବେଳେ ଏହା ଅଧିନରେ ୨୮୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ୪୭ଟି ହାଇସ୍କୁଲ ମଧ୍ୟ ରହିଛି। ଦୁଇବର୍ଷର କରୋନା କଟକଣା ପରେ ସ୍କୁଲ ଗୁଡିକ ଖୋଲିଯିବାପରେ ଏବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନର ସମୟ। କିନ୍ତୁ ଏହି ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟ ଗୁଡିକୁ ଠିକ ଭାବରେ ପରିଦର୍ଶନ କରାଯାଉ ନଥିବାରୁ କିଛି କିଛି ବିଦ୍ୟାଳୟରେ ଶିକ୍ଷାଦାନ ଠପ ହୋଇପଡିଛି। ଅନେକ ବିଦ୍ୟାଳୟ ସମସ୍ୟା ଘେରରେ ରହିଥିଲେବି ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରୁନି। ଶୀଳପୋଖରୀ ବିଦ୍ୟାଳୟରେ ଦୁଇବର୍ଷର ମଧ୍ୟାହ୍ନ ଭୋଜନ ଅନୁଦାନ ଛାତ୍ରଛାତ୍ରୀମାନେ ପାଇ ନଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଏହି ବିଦ୍ୟାଳୟକୁ ତଦନ୍ତ କରିବାକୁ ଯାଇ ନାହାନ୍ତି। ସେହିପରି ଜଣେ ଶିକ୍ଷକ ୬ମାସ ହେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବସି ବସି ମାସକୁ ମାସ ଦରମା ନେଉଥିଲେବି ଶିକ୍ଷା ଅଧିକାରୀ ସେ ବାବଦରେ ଜାଣି ନାହାନ୍ତି। ତେଣୁ ବ୍ଲକରେ ଶିକ୍ଷାଦାନ କିପରି ଚାଲୁଥିବ ତାହା ସହଜରେ ଅନୁମେୟ। ସେହିପରି କିଛି ଦୁର୍ନୀତିଗ୍ରସ୍ଥ କର୍ମଚାରୀଙ୍କ କବଜାରେ ଅଫିସ ଟି ରହିଥିବା ଅଭିଯୋଗ ହେଉଛି। ଯେ କୌଣସି କାମରେ ଗଲେ ବିନା ହାତଗୁଞ୍ଜାରେ ଫାଇଲ ଘୁଞ୍ଚୁନି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏତେ ବଡ଼ ବ୍ଲକକୁ ସମ୍ଭାଳିବା ପାଇଁ ଜଣେ ନିୟମିତ ବିଇଓଙ୍କ ଆବଶ୍ୟକତା ରହିଛି। ମୋର ଘଟଗାଁ ବ୍ଲକ ହୋଇଥିବାବେଳେ ମୁଁ ଏହାକୁ ଅତିରିକ୍ତ ଦାୟିତ୍ୱ ଭାବେ ବୁଝୁଛି। ତେଣୁ ସମସ୍ତ ଘଟଣା ବୁଝିବା ସମ୍ଭବପର ହେଉ ନାହିଁ। ଏଣୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଜଣେ ନିୟମିତ ବିଇଓଙ୍କୁ ହାଟଡିହି ବ୍ଲକରେ ନିଯୁକ୍ତି ଦେଇ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.