Home ଜିଲ୍ଲା ପରିକ୍ରମା ଇଦ୍ ପାଇଁ ପ୍ରସ୍ତୁତି:ଧାମନଗର ସହର ଉତ୍ସବ ମୁଖରେ

ଇଦ୍ ପାଇଁ ପ୍ରସ୍ତୁତି:ଧାମନଗର ସହର ଉତ୍ସବ ମୁଖରେ

10

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଇସଲାମ ଧର୍ମର ପବିତ୍ର ରମଜାନ ମାସ ଏବେ ନିଷ୍ଠାର ସହ ଚାଲୁ ରହିଛି। ଆଉ ମାତ୍ର ଅଳ୍ପ କେଇଟା ଦିନ ପରେ ଭାଇଚାରାର ଅନନ୍ୟ ‘ଇଦ୍‌?’ ପର୍ବ ଅନୁଷ୍ଠିତ ହେବ। ଏନେଇ ଧାମନଗର ସହର ଠାରୁ ଆରମ୍ଭ କରି ବ୍ଳକ ଓ ପଞ୍ଚାୟତ ଅଞ୍ଚଳରେ ଏବେ ଠାରୁ ଉତ୍ସବ ମୁଖର ହୋଇଉଠିଛି। ସହର ସହିତ ପ୍ରତ୍ୟେକ ଗ୍ରାମର ମୁସଲମାନ ପରିବାର ଇଦ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନାଲି,ନେଳି ରଙ୍ଗିନ ଲିଚୁ ଆଲୋକ ମାଳାରେ ବିଭିନ୍ନ ସାହିର ମସଜିଦ୍‌, ଛକ,ବଜାର,ରାସ୍ତାଘାଟ ଏବେ ଝଲୁସିଛି। ଧାମନଗର ସହର ରେ ମୁସଲମାନ ବହୁ ଅଞ୍ଚଳ ହୋଇଥିଲେ ହେଁ ଏଠାରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଭାଇ ଭାଇ ପରି ଚଳି ଆସୁଛନ୍ତି। ହିନ୍ଦୁ ମୁସଲମାନ ଭାଇଚାରାର ଅନ୍ୟତମ ଶ୍ରେଷ୍ଠ ଭୂଇଁ ଭାବେ ଧାମନଗର ସହର ବହୁ ସୁନାମ ରହିଛି। ଏଠାରେ ମୁସଲମାନ ସମ୍ପ୍ରଦାୟ ମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଇଦ୍ ପର୍ବ ଉଭୟ ସମ୍ପ୍ରଦାୟଙ୍କ ପାଇଁ ଏକ ଗଣ ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ। ଇଦ୍ ପର୍ବ ଆସିଲେ ସମଗ୍ର ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଏ। ପର୍ବ ପାଳନର ଏକ ମାସ ପୂର୍ବରୁ ରମଜାନ ମାସ ଆରମ୍ଭ ହୁଏ। ରମଜାନ ମାସ ଆସିଲେ ସମଗ୍ର ଧାମନଗର ଅଞ୍ଚଳ ଚଳଚଂଚଳ ହୋଇ ଉଠିଥାଏ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ପକ୍ଷରୁ ଇଫତାର ପାଟିର ଆୟୋଜନ କରାଯାଇଥାଏ। ସନ୍ଧ୍ୟା ହେଲେ ହାଟ ବଜାର ଗୁଡିକ ଜନଗହଳିପୂର୍ଣ୍ଣ ହୋଇଯିବା ସହ ଲୋକେ ଫଳମୂଳ, ଖାଦ୍ୟ,ନୂଆ ପୋଷାକ କିଣାକିଣି କରିବାରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳେ। ଦୀର୍ଘ ଏକ ମାସ ଧରି ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ମୁସଲମାନ ଭାଇ ଭଉଣୀମାନେ ରୋଜା (ଉପବାସ) ରଖୁଥାନ୍ତି। ସନ୍ଧ୍ୟାରେ ରୋଜା ଫିଟେଇବା ପରେ ନିଜ ପରିବାର,ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କୁ ନେଇ ଇଫତାର ପାର୍ଟିର ଆୟୋଜନ କରିଥାନ୍ତି। ଇଫତାର ପାଟିରେ ଯେଉଁଥିରେ କି ଉଭୟ ହିନ୍ଦୁ ଓ ମୁସଲମାନ ଭାଇଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳେ। ଏହି ପବିତ୍ର ରମଜାନ ମାସରେ ପ୍ରତ୍ୟେକ ମୁସଲମାନ ଭାଇ ମାନେ ସବୁଦିନ ରୋଜା (ଉପବାସ) ପାଳନ ସହିତ ଦିନରେ ୫ ଥର ନମାଜ ପଡିଥାନ୍ତି। ତା ସହିତ ରାତିରେ (କୋରାନ୍ ପାଠ) ସମୟରେ ପ୍ରତ୍ୟେକ ମୁସଲମାନ ୨୦ ଥର ନମାଜ ପଡିଥାନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନର ଏକ ପାରା(ଅଧ୍ୟାୟ) ଧର୍ମ ଗୁରୁ ବା ମୌଲବି ମାନଙ୍କ ଦ୍ୱାରା ସମ୍ପୂର୍ଣ ପାଠ କରାଯାଏ ଯାହାକୁ ତରାବି କୁହାଯାଏ। ଏହି ପରି ଭାବେ ୩୦ ଦିନରେ ପବିତ୍ର କୋରାନର ୩୦ ଟି ପାରା (ଅଧ୍ୟାୟ)ପାଠ କରାଯାଇଥାଏ। ଶେଷରେ ଅକାଶରେ ଚାନ୍ଦ ଦେଖିବାର ଠିକ୍ ପର ଦିନ ହିଁ ଇଦ୍ ପର୍ବ ପାଳନ ହୁଏ। ଇଦ୍ ଦିନ ନମାଜ ପାଠ ପରେ ପରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ଆଲିଙ୍ଗନ ପୂର୍ବକ ପରସ୍ପରକୁ ଇଦର ଶୁଭେଚ୍ଛା ବାର୍ତା ଓ ଅଭିନନ୍ଦନ ଜଣାଇଥାନ୍ତି।‘ଇଦ’ପର୍ବରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବର୍ଷକର ଆୟ,ସୁନା ଗହଣା,ଧନ ସମ୍ପତ୍ତି ଠୁଳ ଥିବାର ରୀତିନୀତି ଅନୁଯାୟୀ ଜକାତ ଓ ଫିତରା ବାହାର କରି ମସଜିଦ ଠାରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନ ଗୁଡିକୁ ଅର୍ଥ ପ୍ରଦାନ ସହିତ ସହୃଦୟ ବ୍ୟକ୍ତି ସହର ସହିତ ଅଞ୍ଚଳରେ ବସବାସ କରୁଥିବା ଉଭୟ ସମ୍ପ୍ରଦାୟର ବହୁ ଅସହାୟ,ଦୁଃଖୀ,ଦରିଦ୍ର ଲୋକଙ୍କୁ ଅର୍ଥ,ଖାଦ୍ୟ ଓ ପୋଷାକ ବଣ୍ଟନ କରିଥାନ୍ତି। ଧାମନଗର ରେ ‘ଇଦ୍‌’ ପର୍ବ କେଉଁ କାଳରୁ ବହୁ ଧୁମଧାମ ଓ ଶାନ୍ତିଶୃଙ୍ଖଳା ସହକାରେ ପାଳିତ ହୋଇ ଆସୁଛି। ଯାହା ଆଜିର ମାନବ ସାମାଜ ପାଇଁ ସହର ର ହିନ୍ଦୁ ମୁସଲମାନ ଭାଇ ଚାରାର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି ବୋଲି ସମାଜସେବୀ,ସାମ୍ବାଦିକ ତଥା ଶାନ୍ତି କମିଟିର ସଦସ୍ୟ ସେକ ଜାଫର ଅଲ୍ଲୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.