ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଇଚାରାର ପ୍ରତୀକ ଭଦ୍ରକ ସହରରେ ଆସନ୍ତା ୭ ତାରିଖରୁ ୩ ଦିନ ଧରି ପାଳିତ ହେବାକୁ ଥିବା ‘ଇଦ-ଉଲ-ଜୁହା’ (ବକ୍ରିଦ) ପର୍ବ ପାଳନ ନେଇ ଆଜି ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ ମାଝୀ, ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ଲାଇନ୍ ଡିପାର୍ଟମେଂଟର ଇଂଜିନିୟରମାନେ ଉପସ୍ଥିତ ଥିଲେ। ଏହି ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପ୍ରାରମ୍ଭରେ ଜିଲାପାଳ ବୈଠକରେ ନିବେଦନ କରିଥିଲେ। ବିଶେଷକରି ମୁସଲିମ୍ ଜମାତର ଓ ଶାନ୍ତିକମିଟିର ସଦସ୍ୟମାନେ ପର୍ବ ପାଳନ ସମୟରେ ଯେପରି କୌଣସି ବିଶୃଙ୍ଖଳା ଓ ଅପ୍ରିତିକର ପରିସ୍ଥିତି ନ ଉପୁଜେ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ କହିଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସମ୍ପତ କହିଲେ ଯେ ପର୍ବ ପାଳନ ନେଇ ପୁଲିସ୍ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ପର୍ବ ପାଳନ ସମୟରେ ସଂଯମତା ଆଚରଣ କରିବା ସହ ଅନ୍ୟ ଧର୍ମକୁ ଆଘାତ ନଦେଲା ଭଳି କୌଣସି କାର୍ଯ୍ୟ ନକରିବାକୁ କହିଥିଲେ। ଏଥିପ୍ରତି ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ସହରର ସମ୍ବେଦନଶୀଳ ସ୍ଥାନମାନଙ୍କରେ ପର୍ବ ପାଳନର ପୂର୍ବଦିନ ଠାରୁ ୩ ଦିନ ପର୍ଯ୍ୟନ୍ତ କଡା ପାଟ୍ରୋଲିଂ ବ୍ୟବସ୍ଥା ଜାରି ରହିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଜୁନ୍ ୫ ତାରିଖରୁ ପର୍ବ ପାଳନ ଯାଏଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାରା ଦୋକାନ ବଜାର ଖୋଲା ରହିବା ସହ ଇଦ୍ଗା ଭିତରେ ଥିବା ବିଦ୍ୟୁତ୍ ଖୁଂଟରେ ଆଲୋକ ବ୍ୟବସ୍ଥା ଓ ସାରା ରାସ୍ତାରେ ଉଜ୍ୱଳ ଆଲୋକର ବ୍ୟବସ୍ଥା କରାଯିବାକୁ ନିବେଦନ କରାଯାଇଛି। ଏହାବ୍ୟତୀତ ଇଦ୍ଗା ଠାରେ ପାଣିଟାଙ୍କି ରଖିବା, ୩ ଦିନ ଧରି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା, ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବାର ବ୍ୟବସ୍ଥା କରାବାକୁ ଅନୁରୋଧ କରାଯାଇଥିଳା। ସେହିପରି ମାଦକ ଦ୍ରବ୍ୟ ବିକ୍ରୟ ବନ୍ଦ କରିବା, ସାମାଜିକ ଗଣମାଧ୍ୟମରେ ପର୍ବ ପାଳନ ସମୟରେ ଗୁଜବ ପ୍ରଚାର ନକରିବା, ଡାକ୍ତରଖାନାରେ ଆମ୍ବୁଲାନ୍ସ ରଖାଯିବା, ୩ ଦିନ ଧରି ସାରା ସହରରେ ପୁଲିସ୍ ପାଟ୍ରୋଲିଂକୁ କଡାକଡି କରାଯିବା, ୭ ତାରିଖରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦୃଷ୍ଟିରୁ ପୁଲିିସ୍ ବ୍ୟବସ୍ଥା କରାଯିବାକୁ ମୁସଲିମ୍ ଜମାତ ପକ୍ଷରୁ ନିବେଦନ କରାଯାଇଛି। ସଦସ୍ୟମାନଙ୍କର ଏହି ଦାବିଗୁଡିକ ପୂରଣ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ମତି ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ବୈଠକରେ ମୁସଲିମ୍ ଜମାତର ସଂପାଦକ ଅବଦୁଲ ମୁକିତ୍ ମହମ୍ମଦ, ଉପସଭାପତି ସେକ୍ ଜକାଉଲ୍ଲା, ସାଧାରଣ ସଂପାଦକ ସେକ୍ ଏନାମ ମହମ୍ମଦ, ସଦସ୍ୟ ରଜାୟେ ରସୁଲ, ମିର୍ଜା ଏକ୍ରାମ, ଜମିଲ ଅଖତରଙ୍କ ବ୍ୟତୀତ ସୁଧାକର ରାଉତ, ଅତିଶ ବେହେରା, ବିଦ୍ୟାଧର ସାହୁ, ଗୌରାଙ୍ଗ ପଣ୍ଡା, ଏସଏମ ଫାରୁକ ପ୍ରମୁଖ ଉପସ୍ଥିତ ଥିଲେ।








