ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖୁବଶୀଘ୍ର ଉଚ୍ଛେଦ ହେବ ବହୁ ପ୍ରତିକ୍ଷିତ ଭଦ୍ରକ ସହର ଚରମ୍ପା ଷ୍ଟେସନ ରୋଡ଼ । ଏ ନେଇ ପ୍ରଶାସନିକ ପ୍ରସ୍ତୁତି ବି ଏକ ପ୍ରକାର ଶେଷ ପ୍ରର୍ଯ୍ୟାୟରେ । କାରଣ ସରକାରୀ ମାପଚୁପ ଶେଷ ସହ ଡାକବାଜି ସହୟତାରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୭ ତାରିଖ ଠାରୁ ଚରମ୍ପା ଡାହାଣିଗଡ଼ିଆ ଠାରୁ ଆରମ୍ଭ ହେବ ଉଚ୍ଛେଦ ପ୍ରକ୍ରିୟା । ତେବେ ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଛି । କାରଣ ବର୍ତମାନର ଭୌଗୋଳିକ ସ୍ଥିତି, ଜନସଂଖ୍ୟା ବୃଦ୍ଧି ସହ ସହରର ନୂତନ ପରିକଳ୍ପନା ପାଇଁ ଆବଶ୍ୟକ ସରକାରୀ ଉଚ୍ଛେଦ । ଭଦ୍ରକ ଷ୍ଟେସନର ମୁଖ୍ୟ ରାସ୍ତା ଅର୍ଥାତ ଚରମ୍ପା ଷ୍ଟେସନ ରୋଡ଼ ବର୍ତମାନ ସ୍ଥିତରେ ଅତି ସଂକିର୍ଣ୍ଣ ହୋଇ ପଡ଼ିଛି। ଫଳରେ କେବଳ ଭଦ୍ରକ ନୁହେଁ ପଡୋଶୀ ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର ଓ କେନ୍ଦୁଝର ଭଳି ଜିଲାର ହଜାର ହଜାର ଟ୍ରେନ ଯାତ୍ରୀ, ସ୍ଥାନୀୟ ଲୋକ, ଶହ ଶହ ଗାଡ଼ି ଚଳାଚଳା ପାଇଁ ପ୍ରତିଦିନ ଉପୁଜୁଛି ଟ୍ରାଫିକ୍ ସମସ୍ୟା । ତେଣୁ ଆବଶ୍ୟକକୁ ଗୁରୁତ୍ୱ ଦେଇ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ହେଲେ ଏଠି ପ୍ରଶ୍ନ ଉଠୁଛି ଷ୍ଟେସନ ରୋଡ଼ରେ ପାଖାପାଖି ୩୦୦ରୁ ଉର୍ଦ୍ଧ ଛୋଟବଡ଼ ଦୋକାନୀ ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରନ୍ତି । ଉଚ୍ଛେଦ ପରେ ଏମାନେ ଯିବେ କୁଆଡ଼େ କରିବେ କଣ ! ତେଣୁ ସରକାର ସହରୀ ବିକାଶକୁ ଯେତେ ଗୁରୁତ୍ୱ ଦେଉଛି ଠିକ୍ ସେହିପରି ବିସ୍ଥାପିତଙ୍କ ଜୀବନ ଜୀବିକା ପ୍ରତି ସମଗୁରୁତ୍ୱ ଦେଇ ଏମାନଙ୍କର ଉପଯୁକ୍ତ ଥଇଥାନ ବି କରିବା ଆବଶ୍ୟକ । ସାମୁହିକ ସ୍ୱାର୍ଥ ଆଗରେ ବ୍ୟକ୍ତିଗତ ସ୍ୱାର୍ଥ ଗୌଣ ହେଲେ ବି ପ୍ରତିଟି ବ୍ୟକ୍ତିର ସ୍ୱାର୍ଥ ଓ ବିକାଶ ପ୍ରତି ସରକାରଙ୍କର ଉତରଦାୟିତ୍ୱ ରହିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।








