Home ଓଡ଼ିଶା ଆସନ୍ତା ଶିକ୍ଷାବର୍ଷରୁ ୧୪୫ ବିଦ୍ୟାଳୟ ବନ୍ଦ ରହିବ

ଆସନ୍ତା ଶିକ୍ଷାବର୍ଷରୁ ୧୪୫ ବିଦ୍ୟାଳୟ ବନ୍ଦ ରହିବ

39

ନୟାଗଡ଼, ୮ା୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଆସନ୍ତା ଶିକ୍ଷା ବର୍ଷରୁ ନୟାଗଡ଼ ଜିଲାର ୧୪୫ଟି ବିଦ୍ୟାଳୟ ବନ୍ଦ ରହିବ ବୋଲି ସରକାରୀ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ବନ୍ଦ ହେବାକୁ ଥିବା ବିଦ୍ୟାଳୟ ଗୁଡ଼ିକ ନିକଟ ବିଦ୍ୟାଳୟରେ ମିଶ୍ରଣ କରି ଏକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଲକ୍ଷ୍ୟରେ ଏପରି ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ସରକାରଙ୍କ ନିୟମ ଅନୁସାରେ ଯେଉଁ ବିଦ୍ୟାଳୟ ଗୁଡ଼ିକରେ ୨୦ ପିଲାରୁ କମ୍ ଥିବ ସେହି ବିଦ୍ୟାଳୟ ଗୁଡ଼ିକ ନିକଟ ବିଦ୍ୟାଳୟରେ ମିଶିବ। ଯଦି ଦୁଇଟିଯାକ ବିଦ୍ୟାଳୟର ପିଲାସଂଖ୍ୟା ୨୦ ନହୁଏ ତେବେ ସେହି ଦୁଇଟିଯାକ ବିଦ୍ୟାଳୟ ତା’ନିକଟ ବିଦ୍ୟାଳୟରେ ମିଶିବ ବୋଲି ସର୍ଭେରେ ଦର୍ଶାଯାଇଛି। ୨୦୧୭ ଶିକ୍ଷାବର୍ଷରେ ୧୦ରୁ କମ୍ ପିଲା ରହିଥିବା ଜିଲାର ୪ଟି ବ୍ଳକର ୧୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ସେହପରି ତା’ପରବର୍ଷ ଓପେପା ଷ୍ଟେଟ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ନିର୍ଦ୍ଦେଶକ୍ରମେ ୧୫ରୁ କମ୍ ପଲାଥିବା ବିଦ୍ୟାଳୟ ବନ୍ଦ କରିବାକୁ ତାଲିକା ପ୍ରଦାନ କରାଯାଇ ଜିଲାର ୮ଟି ବ୍ଳକର ୬୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ବନ୍ଦ କରାଯିବାର ଯୋଜନା ଥିଲା। ତେବେ ପରବର୍ତ୍ତୀ ସମୟରେ ୧୦ଟି ବିଦ୍ୟାଳୟକୁ ଛାଡ଼ି ଅବଶିଷ୍ଟ ବିଦ୍ୟାଳୟକୁ ବନ୍ଦ କରିଦିଅ।।ଯାଇଥିଲା। ଏହିସବୁ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ଏବେ ପୁଣି ସରକାର ଅନ୍ୟଏକ ସର୍ଭେ କରି ଜିଲାରୁ ୧୪୫ ବିଦ୍ୟାଳୟ ବନ୍ଦ କରିଦେବାକୁ ଯୋଜନା କରିଛନ୍ତି। ପ୍ରଥମ ଶ୍ରେଣୀଠାରୁ ପଂଚମ ଶ୍ରେଣୀ ମଧ୍ୟରେ ରହିଥିବା ପିଲାଙ୍କ ସଂଖ୍ୟା ଯଦି ୨୦ କିମ୍ବା ତା’ଠାରୁ କମ୍ ସଂଖ୍ୟକ ପିଲା ଅଧ୍ୟୟନ କରୁଛନ୍ତି ସେହି ବିଦ୍ୟାଳୟକୁ ବନ୍ଦ କରି ସେଠାରେ ଅଧ୍ୟୟନ କରୁଥିବା ପିଲାମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ସାମିଲ କରିବାର ନିୟମ ରହିଛି। ୪୦ରୁ କମ୍ ପିଲା ଏବଂ ଏକ କିଲୋମିଟର ଦୂରତା ଭିତରେ ଯଦି ବିଦ୍ୟାଳୟ ରହିଥିବ ତେବେ ୨ଟିକୁୁ ମିଶାଇ ଗୋଟିଏ ବିଦ୍ୟାଳୟ କରାଯିବ। ସେହିପରି ପ୍ରଥମରୁ ଅଷ୍ଟମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟରେ ୨୦ ବା ତା’ଠାରୁ କମ୍ ପିଲା ରହିଥିଲେ ସେଠାରେ ମଧ୍ୟ ବିଦ୍ୟାଳୟ ବନ୍ଦ କରିଦିଆଯିବ। ଏଭଳି ବିଦ୍ୟାଳୟର ପିଲାଙ୍କ ସ୍ଥିତିକୁ ଦେଖିଲେ ଜିଲାରେ ୧୪୫ ବିଦ୍ୟାଳୟ ବନ୍ଦ ହୋଇଯିବ। ଅନ୍ୟପକ୍ଷରେ ବିଦ୍ୟାଳୟମାନଙ୍କରେ ପିଲାଙ୍କ ସଂଖ୍ୟା କମିବାରେ ମୁଖ୍ୟ ସମସ୍ୟା ହେଉଛି କେତେକ ଅଭିଭାବକ ସେମାନଙ୍କର ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢେଇବାକୁ ଇଛା ପ୍ରକାଶ କରୁନାହାନ୍ତି। ସେମାନେ ସେମାନଙ୍କର ପିଲାଙ୍କୁ ବିଭିନ୍ନ ବେସରକାରୀ ବିଦ୍ୟାଳୟମାନଙ୍କରେ ପଢେଇବାକୁ ଉଚିତ ମଣୁଛନ୍ତି। ସରକାର ଯଦି ସବୁ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢିବାକୁ କଡ଼ା କଟକଣା କରନ୍ତେ ଏବଂ ସେମାନେ ଯଦି ସେମାନଙ୍କର ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ନପଢେଇବେ ତେବେ ସେମାନଙ୍କୁ ସରକାରୀ ସୁବିଧାରୁ ବଂଚିତ କରାଯିବ ବୋଲି ନିୟମ ପ୍ରଣୟନ କରନ୍ତେ ତେବେ ବନ୍ଦ ହେବାକୁ ଥିବା ବିଦ୍ୟାଳୟ ଆଉ ବନ୍ଦ ହୁଅନ୍ତା ନାହିଁ ଓ ସରକାର ଚିନ୍ତା କରୁଥିବା ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାଦାନ ଫଳପ୍ରସୁ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.