Home ଓଡ଼ିଶା ଆଶାନୁରୂପ ଅଗ୍ରଗତି ନହେବାରୁ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି : ବାଣିଜ୍ୟ...

ଆଶାନୁରୂପ ଅଗ୍ରଗତି ନହେବାରୁ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି : ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

342

ଓଡ଼ିଶାରେ ଆଲୁମିନିୟମ କ୍ଲଷ୍ଟର ପାଇଁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ :
– ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରକଳ୍ପ ଅଗ୍ରଗତି ହୋଇପାରିନାହିଁ
– ପ୍ରକଳ୍ପର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ବିଚାରାଧୀନ
ନୂଆ ଦିଲ୍ଲୀ ୨୯-୧୧ (ଓଡ଼ିଆ ପୁଅ) ଆଶାନୁରୂପ ଅଗ୍ରଗତି ହୋଇନପାରିବାରୁ ଅନୁଗୁଳ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତିଭୂମି ବିକାଶ ପ୍ରକଳ୍ପକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଥିବା ରାଜ୍ୟ ସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ। ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତରରେ ଶ୍ରୀ ଗୋୟଲ କହିଥିଲେ ଯେ ଗତ ୧୮.୮.୨୦୧୫ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ସଂଶୋଧିତ ଶିଳ୍ପ ଭିତିଭୂମି ଉନ୍ନୟନ ଯୋଜନା (ଏମଆଇଆଇୟୁଏ) ଅନ୍ତର୍ଗତ ଏହି ପ୍ରକଳ୍ପ ଲାଗି ମୋଟ ୯୯.୬୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିପାଇଁ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଥିଲା। ମଞ୍ଜୁରି ମିଳିବା ତାରିଖ ଠାରୁ ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା। ଏକାଧିକ ବୈଠକରେ ଏହି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ଏବଂ ଜଣାପଡ଼ିଥିଲା ଯେ ପ୍ରକଳ୍ପର ଅଗ୍ରଗତି ଖୁବ ଧୀର ଗତିରେ ଚାଲିଛି। ଆହୁରି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଅନୁଗୁଳ ଆଲୁମିନିୟମ ପାର୍କ ପ୍ରାଇଭେଟ ଲିମିଟେଡ (ଏଏପିପିଏଲ) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସ୍ଥାନୀୟ ଲୋକଙ୍କ ବିରୋଧ କାରଣରୁ ପ୍ରକଳ୍ପ ଆଗେଇ ପାରୁନାହିଁ। ସେହିପରି ପ୍ରକଳ୍ପ ପରିଚାଳନା ସଂସ୍ଥା (ପିଏଏମଏ) ପକ୍ଷରୁ ଘଟଣାସ୍ଥଳ ଅନୁଧ୍ୟାନ କରାଯିବା ପରେ ରିପୋର୍ଟ ଦିଆଗଲା ଯେ ଏହି ପ୍ରକଳ୍ପର ସର୍ବମୋଟ ଅଗ୍ରଗତି ମାତ୍ର ୭% ହୋଇପାରିଛି। ତେଣୁ ବିଶେଷ ଅଗ୍ରଗତି ହୋଇପାରିନଥିବା କାରଣରୁ ଗତ ୧.୧୧.୨୦୧୮ରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ଏହି ପ୍ରକଳ୍ପକୁ ବନ୍ଦ କରିବା ଲାଗି ନିଷ୍ପତି ନିଆଗଲା ଏବଂ କାର୍ଯ୍ୟକାରୀ ଏଜେନ୍ସିକୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇ ଦେବା ପାଇଁ କୁହାଗଲା।

ତେବେ ସଂଶୋଧିତ ଶିଳ୍ପ ଭିତିଭୂମି ଉନ୍ନୟନ ଯୋଜନା (ଏମଆଇଆଇୟୁଏ) ଅନ୍ତର୍ଗତ ଅନୁଗୁଳ ଠାରେ ଓଡ଼ିଶା ଆଲୁମିନିୟମ କ୍ଲଷ୍ଟରକୁ ମିଳିଥିବା କେନ୍ଦ୍ରୀୟ ସହାୟତା ପୁନଃ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ଠାରୁ ଏକ ପ୍ରସ୍ତାବ ମିଳିଛି। ଏହି ପ୍ରସ୍ତାବକୁ ସର୍ବୋଚ୍ଚ କମିଟି ନିକଟରେ ଉପସ୍ଥାପନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.