Home ଜିଲ୍ଲା ପରିକ୍ରମା ଆରଡ଼ି ପୀଠରେ ଜାଗର ମହୋତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଆରଡ଼ି ପୀଠରେ ଜାଗର ମହୋତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

3

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର ଆରଡ଼ି ପୀଠରେ ବିଜେ ବାବା ଆଖଣ୍ଡଳମଣି ମନ୍ଦିରରେ ଆଗାମୀ ଜାଗର ଯାତ୍ରା ଉତ୍ସବ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସହଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଆଖଣ୍ଡଳ ମଣି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜାଗର ଯାତ୍ରା ଅବସରରେ ବାବାମଣିଙ୍କ ପୂଜା, ନୀତି, କାନ୍ତି, ମହାସ୍ନାନ, ମହାଦୀପ ଉଠିବା, ସୁନାବେଶ ଆଦି କାର୍ଯ୍ୟସୂଚୀର ସମୟ ନିର୍ଘଣ୍ଟ ସମ୍ବନ୍ଧରେ ମନ୍ଦିର ସେବାୟତ ବିଜୟ କୁମାର ଦାସ ବୈଠକରେ ସୂଚନା ପ୍ରଦାନ କରିଥିଲେ ।

ଆସନ୍ତା ମାର୍ଚ୍ଚ ୮ ତାରିଖରେ ପଡ଼ୁଥିବା ଜାଗରଯାତ୍ରା ପାଳନ ଉପଲକ୍ଷେ ବିଭିନ୍ନ ଦିଗରେ ଆବଶ୍ୟକତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବାର ସହିତ ଆଶୁ ପଦକ୍ଷପ ନେବାପାଇଁ ବୈଠକର ଉପସ୍ଥିତ ବିଭିନ୍ନ ସଂପୃକ୍ତ ବିିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସଫେଇ, ଟ୍ରାଫିକ୍ ନିୟନ୍ତ୍ରଣ, ଗହଳି ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା, ଯାନବହାନ ପାର୍କିଂ, ପାନୀୟଜଳ ଯୋଗାଣ, ଶୌଚାଳୟ, ନଦୀ ଘାଟରେ ଡଙ୍ଗା ପରିଚାଳନା, ନିୟନ୍ତ୍ରଣକକ୍ଷ ପରିଚାଳନା, ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସେବା ପ୍ରଦାନ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତାଘାଟର ଉନ୍ନତିକରଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅଗ୍ନିସମ ବ୍ୟବସ୍ଥା ଏବଂ ନଦୀ ଘାଟରେ ଉଡ଼୍ରାଫ ଦଳ ମୃତୟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅବକାରୀ ଧଡ଼ପଗଡ଼, ଅବରୋଧ ଉଚ୍ଛେଦ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ସେବାୟତ ବାବାଜୀ ଶଙ୍କର ପାଢ଼ୀ ଗଦାଧର ପାଢ଼ୀ, ପ୍ରମୁଖ ଆଲୋଚନା ଅବସରରେ ମତାମତ ପ୍ରଦାନ କରିଥିଲେ । ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଚାନ୍ଦବାଲି ବି.ଡ଼.ଓ. ଅସିତ୍ ମହାନ୍ତି, ତହସିଲଦାର ଅଶୋନି କର ସ୍ୱାଇଁ, ଡି.ଏସ୍‌.ପି.ଡି.ଆଇ.ବି. ପ୍ରଭାତ କୁମାର ବିଶ୍ୱାଳ, ପୁର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ଦୀପକ ପାଣିଗ୍ରାହୀ, ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ର, ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇ ପ୍ରମୁଖଙ୍କ ସହ ସେବାୟତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.