Home ଜିଲ୍ଲା ପରିକ୍ରମା ଆରଡିପୀଠକୁ ବ୍ୟାପିଲା ଝାଡାବାନ୍ତି, ୨ଦିନ ମଧ୍ୟରେ ୮ଜଣ ରୋଗୀ ଆରଡି ମେଡିକାଲରେ ଭର୍ତି, ୨ଜଣ ଭଦ୍ରକ...

ଆରଡିପୀଠକୁ ବ୍ୟାପିଲା ଝାଡାବାନ୍ତି, ୨ଦିନ ମଧ୍ୟରେ ୮ଜଣ ରୋଗୀ ଆରଡି ମେଡିକାଲରେ ଭର୍ତି, ୨ଜଣ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର।

12

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଦେଖା ଦେଇଥିବା ଝାଡାବାନ୍ତି ତଥା ଡାଇରିଆ ଏବେ ଜିଲାରୁ ଜିଲା ବ୍ୟାପିବାରେ ଲାଗିଛି। ପ୍ରଥମେ ଯାଜପୁର ଓ ପରେ ପଡୋଶୀ ଜିଲା ଭଦ୍ରକକୁ ବ୍ୟାପିଥିଲା। ଗତକିଛିଦିନ ହେବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଓ ଧାମନଗର ପରେ ଗତକାଲି ଠାରୁ ଆରଡିପୀଠ ଓ ଆଖପାଖ ଅଂଚଳରେ ଝାଡାବାନ୍ତି ଦେଖାଦେବାରୁ ଗୁରୁବାର ୯ଜଣ ଝାଡାବାନ୍ତି ରୋଗୀ ଆରଡି ମେଡିକାଲରେ ଭର୍ତ ହୋଇଥିଲେ। ତାଙ୍କ ମଧ୍ୟରୁ ୨ଜଣ ରୋଗୀଙ୍କର ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପଟେ ମେଡିକାଲର ଡାକ୍ତରଙ୍କ ମନମାନି ଯୋଗୁ ରୋଗୀ ସଠିକ ସ୍ୱାସ୍ଥ୍ୟସେବା ନପାଇ ୪୨କିମି ଦୂର ଭଦ୍ରକକୁ କିଏ ଘରୋଇ ଗାଡି ତ ଆଉକିଏ ଆମ୍ବୁଲାନ୍ସରେ ଯାଉଛି। ଯାହାକୁ ରୋଗୀ ଓ ସମ୍ପର୍କିୟଙ୍କୁ ନାନା ହରକତ ହେବାକୁ ପଡୁଥିବା କହିଛନ୍ତି ରୋଗୀଙ୍କ ସର୍ମ୍ପକୀୟ। ଅନ୍ୟପଟେ ପୀଠର ପ୍ରବେଶ ପଥ ଓ ମୁଖ୍ୟ ବଜାର, ସାହିରାସ୍ତାରେ ଅଳି ଆର୍ବଜନା ଗଦା ହୋଇ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି। ଏପରିକି ପୀଠରେ ବିଶୁଦ୍ଧ ପାନୀୟଜଳ ନଥିବାରୁ ଦୂଷିତ ପାଣିରେ ଶୋଷ ମେଂଟାଉଛନ୍ତି ଆଗନ୍ତୁକ ପର୍ଯ୍ୟଟକ ଓ ଭକ୍ତଙ୍କ ସହ ପୀଠର ବାସିନ୍ଦା । ପୀଠରେ ଥିବା ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଜଳ ପ୍ରଦୂଷିତ ହୋଇପଡିଥିବାରୁ ପାଣି କଳା ପଡିଯିବା ସହ ପଚା ଦୁର୍ଗନ୍ଧମୟ ହେଉଛି। ସେହିପରି ଯେଉଁ ମଧୁରଜଳ ପ୍ରକଳ୍ପରୁ ପାଇପ ଯୋଗେ ପାଣି ଯାଉଛି କେଉଁଠି ନର୍ଦମାରେ ତ ଆଉ କେଉଁଠି ଅଳିଆ ଗଦା ମଧ୍ୟରେ ଯାଇଥିବାରୁ ପାଇପ ଲିକ ହୋଇ ଦୂଷିତ ହେବାରେ ଲାଗିଛି । ଏପରି ଅବସ୍ଥାରେ ପାଣି ଆସୁଥିଲେ ମଧ୍ୟ ବାଧ୍ୟ ହୋଇ ଶୋଷ ମେଂଟାଇବା ପାଇଁ ଦୂଷିତ ପାଣି ପିଉଛନ୍ତି ଅଂଚଳବାସୀ। ଆଗାମୀ ଦିନରେ ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ଜଳକୁ ଯଦି ଶୋଧନ କରାନଯାଏ ତାହାଲେ ଝାଡାବାନ୍ତି ଅଧିକ ବ୍ୟାପିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଅନ୍ୟପଟେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସର୍ମ୍ପକରେ ଭଦ୍ରକ ସିଡିଏମଓଙ୍କୁ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷଜନକ ଉତର ମିଳିପାରିନଥିଲା। ଝାଡାବାନ୍ତି ବ୍ୟାପୁଥିବା ଅଂଚଳକୁ ଏକ ଡାକ୍ତର ଟିମ ପଠାଇବା ସହ ଆରଡି ମେଡିକାଲକୁ ୨୪ଘଂଟିଆ ଖୋଲା ରଖିବାକୁ ଅଂଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.