Home ଜିଲ୍ଲା ପରିକ୍ରମା ଆରଟିଓ ଅଫିସରେ ଭଡ଼ାଗାଡ଼ି ଦୁର୍ନିତି!

ଆରଟିଓ ଅଫିସରେ ଭଡ଼ାଗାଡ଼ି ଦୁର୍ନିତି!

135

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ): ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ’ ଭଳି ରାଉରକେଲା ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଦୁର୍ନିତି ମୂଳରୁ ଚୁଳ ପର୍ଯ୍ୟନ୍ତ ମାଡ଼ି ବସିଛି। ଯଦିଓ ପୂର୍ବରୁ ଏକାଧିକଥର ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ଦୁର୍ନତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବାନ୍ଧି ନେଇଥିଲେ ହେଁ ଦୁର୍ନତି ଶେଷ ହେବା ନାଁ ନେଉନାହିଁ। ତେବେ ଭଡ଼ା ଗାଡ଼ି ଓ ଅସ୍ଥାୟୀ କର୍ମଚାରୀ ନିଯୁକ୍ତିରେ ଦୁର୍ନିତି କରିଥିବା ଜ୍ୱଳନ୍ତ ପ୍ରମାଣ ଏବେ ହସ୍ତଗତ ହୋଇଛି।

ସୂଚନା ଅଧିକାର ଆଇନ(ଆରଟିଆଇ) ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଉରକେଲା ଆଚଂଳିକ ପରିବହନ କାର୍ଯ୍ୟାଳୟରେ ଜଣେ ଆରଟିଓଙ୍କ ବ୍ୟତୀତ ୨ଜଣ ଏମଭିଆଇ ଓ ଜଣେ ଟ୍ରାଫିକ ସବଇନ୍ସପେକ୍ଟର ବର୍ତମାନ ସ୍ଥଳ ବିଶେଷରେ ବିଭିନ୍ନ ଗୁରୁ ଦ୍ୱାୟିତ୍ୱ ସଂଚାଳନ କରୁଛନ୍ତି। ଏହି ଦାୟିତ୍ୱ ସମ୍ପନ୍ନ ଅଧିକାରୀ ମାନଙ୍କ ପାଇଁ ଗୋଟିଏ ସରକାରୀ ବୋଲେରୋ(ଓଡ଼ି ୧୪ ଜେ ୫୫୫୫) ସମେତ ୪ଟି ମାସିକ ଭଡ଼ାସୂତ୍ରରେ ବୋଲେରୋ ନିଯୁକ୍ତ କରାଯାଇଛି। ମାସିକ ୨୦ ହଜାର ଟଙ୍କା ଭଡ଼ାରେ ଏସ.ଆର. ପରିଜା(ଓଡ଼ି ୧୪ ଜି ୦୦୫୦) ଏବଂ (ଓଡ଼ି ୧୬ ସି ୯୫୫୦) ୨ଟି ଗାଡ଼ି, ସୁବୋଧ ମିଂଜ(ଓଡ଼ି ୧୪ ସି ୭୩୩୭) ଓ ସୁଦାମ ଚନ୍ଦ୍ର ନାୟକ(ଓଡ଼ି ୧୪ ଏନ ୪୫୬୯) ଗାଡ଼ିକୁ ଭଡ଼ା ସୂତ୍ରରେ ଲଗାଇଛନ୍ତି। ତେବେ ପ୍ରତି ବୋଲେରୋରେ ମାସିକ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିଜେଲ ବ୍ୟବହାର କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲେହେଁ, ଅଧିକାରୀ ମାନେ ଦୈନିକ ନିଜ ଟୁର ଡାଏରୀ କାର୍ଯ୍ୟାଳୟରେ ଦାଖଲ ନକରିବା ବିଭାଗୀୟ ସ୍ୱଚ୍ଛତାକୁ ପଦାରେ ପକାଉଛି! ନିଜ ୨ଟି ଗାଡ଼ି ଭଡ଼ା ଲଗାଇଥିବା ଏସ.ଆର. ପରିଜା ଆଂଚଳିକ ପରିବହନ ଅଧିକାରୀ ଅଶୋକ ଜେନାଙ୍କ ଅତି ନିକଟତର ଥିବାରୁ ସେ ଅନାୟସରେ ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲି ବର୍ଷାଧିକାଳ ଉପଭୋକ୍ତାଙ୍କୁ ବିଭିନ୍ନ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ନେଇ କାମ କରିଥିବା ମଧ୍ୟ ଅନେକ ଅଭିଯୋଗ ହେଉଛି। ସେହିଭଳି ରାଉରକେଲା ଆଂଚଳିକ ପରିବହନ କାର୍ଯ୍ୟାଳୟରେ ବରିଷ୍ଠ କର୍ମଚାରୀ ଓ ଅଧିକାରୀଙ୍କୁ ଆବଶ୍ୟକ କାମ ନଦେଇ କନିଷ୍ଠ ଏଭଳିକି ଅଫିସ ଷ୍ଟେନୋ ଓ ଅସ୍ଥାୟୀ କର୍ମଚାରୀଙ୍କ ଦ୍ୱାରା ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଉଥିବା ଅଭିଯୋଗ ହେଉଛି। ଏଭଳିକି ଏମଭିଆଇଙ୍କ ପାଇଁ ଆବଂଟିତ ସରକାରୀ ବାସଗୃହରେ ଅଫିସ ଷ୍ଟେନୋ ସପରିବାର ରହୁଥିବା ବେଳେ କାର୍ଯ୍ୟାଳୟର ପ୍ରମୁଖ ଆର୍ଥିକ ନେଣଦେଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଆଂଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ୧୪ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସରକାରୀ ସର୍ତାବଳୀ ଅନୁଯାୟୀ ନିଯୁକ୍ତି ଦିଆଯାଇଛି। ତେବେ ଦୈନିକ ଦରମାରୁ କମ ଅର୍ଥ ଓ ଆନୁସଙ୍ଗିକ ଇଏସଆଇ ଓ ପିଏଫ କର୍ମଚାରୀଙ୍କୁ ପ୍ରଦାନ କରାଯାଉ ନଥିବା ଜନୈକ ଅସ୍ଥାୟୀ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି। ଦୈନିକ ୩୭୦ ଟଙ୍କା ହିସାବରେ ଜଣେ କ୍ୟାମେରାମ୍ୟାନ, ୨ ଜଣ ଚାଳକ, ୩ ଜଣ ଡିଇଓ ଓ ୨ ଜଣ ସିମୁଲେସନ ଅପରେସନ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ, ୩୨୦ ଟଙ୍କାରେ ୫ ଜଣ ସିକ୍ୟୁରିଟି ଗାର୍ଡ଼ ଓ ୨୮୦ ଟଙ୍କା ହିସାବରେ ଜଣେ ପଲୁ୍ୟସନ ଅପରେସନ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ମାତ୍ର ସରକାରୀ ଧାର୍ଯ୍ୟ ଦରମା ଠାରୁ ଏହି ୧୪ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ କମ ଦରମା ପ୍ରଦାନ କରାଯାଉଥିଲେ ହେଁ, ଛଟେଇ ଭୟରେ ଏହି କର୍ମଚାରୀ ମାନେ ମୁହଁ ଖୋଲିବାକୁ ଉଚିତ ମଣୁନାହାନ୍ତି।

ସ୍ମରଣଯୋଗ୍ୟଯେ, ଗତ ଜୁଲାଇ ୩୦ ତାରିଖରେ ଆରଟିଓ ଅଫିସକୁ ହଠାତ ପଶି ଆସିଥିଲା ପୁଲିସ ଭ୍ୟାନ। କାଳବିଳମ୍ବ ନକରି ଗାଡ଼ିରୁ ବାହାରି ଆସିଥିଲେ ଖାକିଧାରୀ ପୁଲିସ କର୍ମୀ। ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପଚରାଉଚରା କରିବା ସହିତ ଦଲାଲ ମାନଙ୍କ ଅଫିସ ଉପରେ ପୁଲିସ ଚଢାଉ କରିଥିଲା। ପୁଲିସ ହାତରେ ପଡ଼ିଥିଲା ଗାଡ଼ିମଟର ପଂଜିକରଣ, ଫିଟନେସ ପାଇଁ ବ୍ୟବହୃତ କାଗଜପତ୍ର ଓ ଡର୍ଜନରୁ ଅଧିକ ସରକାରୀ ସିଲ। ଏହା ବ୍ୟତିତ ପୁଲିସ ଡ୍ରାଇଂଭି ଲାଇସେନ୍ସ, ନକଲି ରବର ଷ୍ଟାମ୍ପ, ନକଲି ଆଧାର କାର୍ଡ଼ ଜବତ କରିଥିଲା। ପୁଲିସ ସଙ୍ଗେସଙ୍ଗେ ଗିରଫ କରି ନେଇଥିଲା ୧୪ ଦଲାଲଙ୍କୁ। ସେହି ସମୟରେ କିଛି ଦଲାଲ ପ୍ରାଣ ବିକଳରେ ଗିରଫଦାରୀ ଭୟରେ ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ ଜବତ କରିଥିବା କାଗଜପତକୁ ନେଇ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଏବେ ମଧ୍ୟ ଦଲାଲ ମାନଙ୍କୁ ଠାବ କରିବାକୁ ସାଧା ପୋଷାକରେ ପୁଲିସ ଆରଟିଓ ଅଫିସ ପରିସର ଓ ବାହାରେ ଚକ୍କର କାଟୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.