Home ଜିଲ୍ଲା ପରିକ୍ରମା ଆରଏମସିରେ ଆମିଷ ମାର୍କେଟ ଉଦଘାଟିତ, ପ୍ରଶାସନର ଅଦୂରଦର୍ଶୀ ନିଷ୍ପତିକୁ ବିରୋଧ

ଆରଏମସିରେ ଆମିଷ ମାର୍କେଟ ଉଦଘାଟିତ, ପ୍ରଶାସନର ଅଦୂରଦର୍ଶୀ ନିଷ୍ପତିକୁ ବିରୋଧ

2

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆରଏମସିରେ ଆମିଷ ମାର୍କେଟ ଉଦଘାଟନ ଜିଲ୍ଲା ପ୍ରଶାସନର ଏକ ଅଦୂରଦର୍ଶୀ ନିଷ୍ପତି ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି । କାରଣ ସହର ଠାରୁ ଏହି ମାର୍କେଟର ଦୂରତା ଏଠାକୁ ମାଛ ମାଂସ କିଣି ଆସିବାକୁ ସହର ବାସୀଙ୍କୁ ନିରୁତ୍ସାହିତ କରିବ ଏଥିରେ ସନ୍ଦେହ ନାହିଁ । ରାଜନୈତିକ ଚାପରେ ହେଉ ଅଥବା ଦୁର୍ବଳତାକୁ ଘଂଟ ଘୋଡାଇବା ସକାଶେ ହେଉ ପ୍ରଶାସନ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି ଏବଂ ବିଧାୟକ ସୀତାଂଶୁ ମହାପାତ୍ରଙ୍କ ହାତରେ ଏହି ମାର୍କେଟ ଉଦ୍‌ଘାଟିତ କରିଛି । ପ୍ରଥମ ଦଫାରେ ଏଠାରେ ବ୍ୟବସାୟ କରିବାକୁ ୭୫ ଜଣ ମାଛ ବ୍ୟବସାୟୀ ପ୍ରଶାସନ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଥିବା ବେଳେ ଆଗକୁ ଅଧିକ ବ୍ୟବସାୟୀ ଏଥିରେ ସାମିଲ ହେବେ ବୋଲି କତୃପକ୍ଷ କହିଛନ୍ତି। ଆମିଷ ମାର୍କେଟ ପିଣ୍ଡିକୁ ଉଦଘାଟନ କରି ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର କହିଥିଲେ ଯେ ସହରକୁ ସରସ ସୁନ୍ଦର କରିବା କ୍ଷେତ୍ରରେ ଏହା ପ୍ରଶାସନର ପ୍ରଥମ ପଦକ୍ଷେପ । ସେହିଭଳି ଉତ୍ସବରେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲପାଳ କହିଛନ୍ତି ଭଦ୍ରକ ସହରକୁ କଚରାମୁକ୍ତ କରିବାକୁ ଆଗକୁ ସହର ରାସ୍ତା ଘାଟରେ ମାଂସ ବିକ୍ରି କରୁଥିବା ସମସ୍ତ ବ୍ୟବସାୟୀଙ୍କ ସହିତ ସମସ୍ତ ପରିବା ବ୍ୟବସାୟୀଙ୍କୁ ଏଠାକୁ ଅଣାଯିବ ବୋଲି କହିଛନ୍ତି । ସେହିଭଳି ଆମିଷ ମାର୍କେଟରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଗୁଡିକୁ ଖୁବ ଶୀଘ୍ର ସାମାଧାନ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲ୍ଳାପାଳ ବରୁଣ ଚକ୍ରବର୍ତୀ ଏବଂ ଆର ଏମସି ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଭଦ୍ରକ ସହର ଭିତରୁ ମାଛ ମାଂସ ଦୋକାନ ହଟାଇ ନିଆଯିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନର ଏହା ଏକ ଅଦୁରଦର୍ଶୀ ନିଷ୍ପତି ବୋଲି କହିଛନ୍ତି ଶ୍ରମିକ ନେତା ତଥା ବରିଷ୍ଟ ଆଇନଜୀବୀ ଦିବ୍ୟସିଂହ ନାୟକ । ପ୍ରଶାସନର ଏହି ନିଷ୍ପତିକୁ ଶ୍ରୀ ନାୟକ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଦିଲ୍ଲୀରୁ ଦୌଲତାବାଦ ରାଜଧାନୀ ସ୍ଥାନାନ୍ତର ନିଷ୍ପତି ଶହ ସମାନ ବୋଲି କହିଛନ୍ତି । କାରଣ ଭଦ୍ରକ ସହର ର ଗୋଟିଏ ପାର୍ଶ୍ୱରେ ଏହି ମାର୍କେଟ ରହିଥିବା ଯୋଗୁ ବଜାର ଅପରର୍ପାଶ୍ୱ ଗେଲପୁର,ଆରଡ଼ି ଛକ, କଲେଜ ଛକ, ରାନ୍ଦିଆ ସର୍ବୋପରି ଚରମ୍ପା ଅଂଚଳର ଲୋକଙ୍କ ପାଇଁ ଏହି ମାର୍କେଟ ସମସ୍ୟା ସୃଷ୍ଟି କରିବ । ଏହି ଅଂଚଳ ର ଲୋକଙ୍କ ପାଇଁ ଏହି ମାର୍କେଟ ଆସିବା ଘୋଡା ଛଅ ଟଙ୍କା କୁ ଦାନା ନଅଟଙ୍କା ଭଳି ପରିସ୍ଥିତି ସୃଷ୍ଟି କରିବ ବୋଲି ସେ କହିଛନ୍ତି । କାରଣ ଆରଏମଏସି ଆମିଷ ମାର୍କେଟର ଦୂରତାକୁ ଦେଖିଲେ ଅପର ପାର୍ଶ୍ୱରେ ରହୁଥିବା ଲୋକଙ୍କୁ ଏହି ମାର୍କେଟ ଆସିବାକୁ ଅନ୍ୟୁନ ପକ୍ଷେ ୫/୭ କିମି ଦୁରତା ଅତିକ୍ରମ କରିବାକୁ ପଡିବ ଯାହାକି କେବଳ ବ୍ୟୟ ସାପେକ୍ଷ ତା ନୁହେଁ ସମୟ ସାପେକ୍ଷ ବୋଲି କହିଛନ୍ତି । ସହର ଭିତରେ ନହେଲେ ମଧ୍ୟ ସହର ନିକଟରେ ବହୁ ସରକାରୀ ଜମି ପରିତ୍ୟକ୍ତ ଅଥବା ଜବରଦଖଲ କାରୀଙ୍କ କବଜାରେ ରହିଛି । ଏହି ଜାଗାରୁ ଜବର ଦଖଲ ହଟାଇ ଛୋଟ ଛୋଟ ଆମିଷ ମାର୍କେଟ କରାଗଲେ କେବଳ ସହର ବାସୀ ଉପକୃତ ହେବେ ତାନୁହେଁ ସହର ସୁନ୍ଦର ହେବା ସହିତ ପ୍ରଶାସନ ପର୍ଯ୍ୟାପ୍ତ ରାଜସ୍ୱ ସଂଗ୍ରହ କରିପାରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.