ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରୁ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ମଠ ବଂଚିତ ହେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ସ୍ଥାନୀୟ ବାସିନ୍ଦା ବ୍ଲକ୍ କର୍ତ୍ତୃପକ୍ଷ, ଭଦ୍ରକ ଜିଲାପାଳ ଓ ୫-ଟି, ମୋ ଓଡ଼ିଶା ଅଧ୍ୟକ୍ଷଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଏହି ଜିଲାର ଧାମନଗର ବ୍ଲକ୍ ଦୋବଲ ପଞ୍ଚାୟତର ଦୋବଲ ହାଇସ୍କୁଲ ପାଖରେ ଥିବା ସାପକାତିଆ ମଠଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ରାଜା ରାଜୁଡା ଅଳମରୁ ଚାଲି ଆସିଥିବା ମଠଟି ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ଥିଲା । ଇତିହାସର ମୂକ ସାକ୍ଷୀ ଗୋହିରାଟିକିରି ଠାରୁ ଅଳ୍ପ କିଛି ବାଟ ଦୂରରେ ଥିବା ଏହି ମଠଟି ପ୍ରାୟ ୩୫ ହଜାର ବର୍ଗଫୁଟ ଅଂଚଳରେ ଚୋରିକୋଣିଆ ଅଂଚଳରେ ମଠଟି ରହିଛି । ମଠରେ ମଦନ ମୋହନ, ଶାଳଗ୍ରାମ, ଜଗତ ମାତା ବିମଳା, ମହାପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରହୁଛନ୍ତି । ପ୍ରତିବର୍ଷ ଏଠାରେ ଶ୍ରୀମଦ୍ ଭାଗବତ ଜନ୍ମ, କୃଷ୍ଣ ଜନ୍ମାଷ୍ଟମୀ, ବିମଳା ପୂଜା ଓ ଘୋଷଯାତ୍ରା ଆଦି ଆଧ୍ୟାତ୍ମିକ ମହୋତ୍ସବ ମହାସମାରୋହରେ ପାଳନ ହୋଇଥାଏ । ଉନବିଂଶ ଶତାବ୍ଦୀରେ ବେଙ୍ଗଲ ପ୍ରେସିଡେନ୍ସି ଅଧୀନରେ ବିହାର, ବଙ୍ଗଳା ଓ ଓଡ଼ିଶା ଥିଲା । ସେତେବେଳେ ତିନି ଅଂଚଳରେ ବ୍ରିଟିଶ ଶାସନ ଚାଲିଥିଲା । ଏହି ସମୟରେ ଜଣେ ଅଣଓଡ଼ିଆ ସାଧୁ ଶ୍ରୀ ନନ୍ଦଲାଲ ବିଭିନ୍ନ ଧର୍ମସ୍ଥଳୀ ବୁଲିବା ଭିତରେ ଏହି ସ୍ଥାନରେ ରହିଯାଇଥିଲେ । ଛୋଟିଆ ଚାଳ ଛପର ଘର କରି ରହି ଧର୍ମ ଚର୍ଚ୍ଚା କରୁଥିଲେ ।
ଦିନେ ଜଣେ ମୋଗଲ ଜମିଦାର ଘୋଡା ଚଢିଯିବାବେଳେ ଶୋଷ ଲାଗିବାରୁ ଏହି ସ୍ଥାନରେ ଅଟକି ଯାଇ ବାବାଙ୍କ ପାଖରୁ ପାଣି ପିଇବା ସହ ବିଶ୍ରାମ ନେଉଥିଲେ । ସେହିଦିନ ଜମିଦାର ୪ ଠେକି ପାଣି ପିଇଥିବାରୁ ୪ଟି ଜିନିଷ ଦାନ କରିବାକୁ ମନସ୍ଥ କରିଥିଲେ । ଏହାପରେ ସଂପୃକ୍ତ ମୋଗଲ ଜମିଦାର ୪ ଏକର ଜମି ମଠକୁ ଦାନ କରିଥିଲେ । ଏହାସହ ବାବା ନନ୍ଦଲାଲ ମଧ୍ୟ ମାଗଣ କରି ବହୁ ଜମି ମଠ ନାଁରେ କରିଥିଲେ । ଅଲୌକିକ ଶକ୍ତିର ଅଧିକାରୀ ବାବା ନନ୍ଦଲାଲ ଏଠାରେ ରହି ଧର୍ମ ଚର୍ଚ୍ଚା କରିବା ସହ ଆଖପାଖ ଲୋକଙ୍କ ପାଇଁ ବୈଦ୍ୟରାଜ ଥିଲେ । ମଠ ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଓ ଗୁଳ୍ମ ଲଗାଇ ଲୋକଙ୍କୁ ଚିକିତ୍ସା କରୁଥିଲେ । ବ୍ରିଟିଶ ଅମଳରେ ଏହି ମଠଟି ଥିଲା ଆଖପାଖ ଅଂଚଳ ପାଇଁ ଡାକ୍ତରଖାନା । ତେବେ ଜଂଗଲ ହୋଇଥିବାରୁ ଏଠାରେ ନାନା ପ୍ରଜାତିର ସାପ ସବୁ ରହୁଥିଲେ । ବାବା ନନ୍ଦଲାଲ ଏହି ସାପଙ୍କୁ ନିଜର ସନ୍ତାନ ସନ୍ତତି ଭଳି ପାଳୁଥିଲେ । ଏଣୁ ମଠ ବାଡିରେ ଚାରିଆଡେ ସାପକାତି ଦେଖିବାକୁ ମିଳୁଥିଲା । ଧୀରେ ଧୀରେ ଲୋକେ ଏହାକୁ ସାପ କାତିଆ ମଠ କହିଲେ । ତେବେ ବାବାଙ୍କ ଦେହାବସାନ ପରେ ସାପଗୁଡିକ ମଧ୍ୟ ମଠ ଅଂଚଳରେ ଆଉ ଦେଖାଗଲେନି । ତେବେ ସ୍ୱାଧୀନତା ପରେ ଦେବୋତ୍ତର ବିଭାଗ ଏହି ମଠକୁ ନିଜ ହେପାଜତକୁ ନେଇ ଆଞ୍ଚଳିକ ଟ୍ରଷ୍ଟ ବୋର୍ଡ ମାଧ୍ୟମରେ ତଦାରଖ କଲା । ୨୦୧୪ ରେ ମଠରେ ଥିବା ପୁରୁଣା ଘର ଭୁଶୁଡି ପଡିଲା । ଆଞ୍ଚଳିକ ଟ୍ରଷ୍ଟି ଥିବା ମହେଶ୍ୱର ସାହୁ ନିଜ ଉଦ୍ୟମରେ ମଠ ପରିସରରେ ଗୋଟିଏ ସାଧୁ ନିବାସ ତିଆରି କରିଛନ୍ତି । ଏହାସହ ଗୋଟିଏ ଜଗନ୍ନାଥ ମନ୍ଦିର ମଧ୍ୟ ନିର୍ମାଣ ଆରମ୍ଭ କରିଥିଲେ । ହେଲେ ଅର୍ଥ ଅଭାବ ଓ ସହଯୋଗ ଅଭାବରୁ ଆରମ୍ଭ ଅବସ୍ଥାରେ ଦୀର୍ଘବର୍ଷ ହେଲା ପଡି ରହି ମନ୍ଦିରଟି ନଷ୍ଟ ହୋଇଗଲାଣି । ଏଣୁ ବହୁଦିନ ହେଲା ଏ ମନ୍ଦିର ନିର୍ମାଣ ଓ ମଠର ପୁନରୁଦ୍ଧାର ଲାଗି ଲୋକେ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି । ହେଲେ କେହି ଏଥିପ୍ରତି ନଜର ଦେଉନାହାଁନ୍ତି । ମଠର ସଂପତ୍ତି ବାଡି ମଧ୍ୟ ହଡପ ହେବାରେ ଲାଗିଛି । ଆୟନଥିବାରୁ ମଠର ଚାରିପଟ ସୀମାରେ ବାଡ ନିର୍ମାଣ କରାଯାଇପାରୁନି । ନିର୍ବାଚନବେଳେ ମଠ ପରିସରରେ ବିଭିନ୍ନ ସଭାସମିତି କରୁଥିଲେ ବି ଏହାର ବିକାଶ ପାଇଁ କେହି ପଦକ୍ଷେପ ନେଉନଥିବା ଲୋକେ କହିଛନ୍ତି ।