Home ଓଡ଼ିଶା “ଆମୋଫୋଇ” ଓ ମୁକ୍ତଚିନ୍ତନବାଦୀ ଏଫ୍‌ପିଆଇ ଦଳପକ୍ଷରୁ ପଦ୍ମଶ୍ରୀ ଆୱାଡ଼ି ପ୍ରଫେସର ରାଧାମୋହନଙ୍କୁ ସମ୍ବର୍ଦ୍ଧନା

“ଆମୋଫୋଇ” ଓ ମୁକ୍ତଚିନ୍ତନବାଦୀ ଏଫ୍‌ପିଆଇ ଦଳପକ୍ଷରୁ ପଦ୍ମଶ୍ରୀ ଆୱାଡ଼ି ପ୍ରଫେସର ରାଧାମୋହନଙ୍କୁ ସମ୍ବର୍ଦ୍ଧନା

82

ଭୁବନେଶ୍ୱର ୧୦/୦୨(ଓଡ଼ିଆ ପୁଅ): ସଂସ୍କାରବାଦୀ ସଂଗଠନ “ଆମୋଫୋଇ” ଏବଂ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ (ଏଫ୍‌ପିଆଇ)ର ମିଳିତ ଉଦ୍ୟମରେ ଭୁବନେଶ୍ୱର ଧର୍ମବିହାର କଲୋନୀ ସ୍ଥିତ “ଆମୋଫୋଇ” କାର୍ଯ୍ୟାଳୟର କୋପରନିକସ୍ ହଲରେ ସଂସ୍ଥାର ସଭାପତି ମାନସ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଗତ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବିଶିଷ୍ଟ ଶିକ୍ଷାବିତ୍‌, ପରିବେଶ-ବିଜ୍ଞାନୀ ଓ ଗାନ୍ଧିବାଦୀ ବୁଦ୍ଧିଜୀବୀ ଭାବେ ସୁପରିତ ପ୍ରଫେସର ରାଧାମୋହନ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଥିବାରୁ ଉକ୍ତ ସଭାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ପ୍ରଫେସର ରାଧାମୋହନ ସାଧାରଣ ଜୀବନରେ ଯେଉଁ ମାନବିକ ମୂଲ୍ୟବୋଧ, ପରିବେଶ ସଚେତନତା, ଜୈବିକ କୃଷି ଓ ସେବାକ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଛନ୍ତି ସେ ବିଷୟରେ ପ୍ରଥମେ “ଆମୋଫୋଇ” ପ୍ରତିଷ୍ଠାତା ବି.ରାମଚନ୍ଦ୍ର ସିଏସ୍‌ଟି ଭୋଲଟେୟାର ସୂଚନା ଦେବାସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ରାଧାମୋହନଙ୍କ ଅବଦାନ ଓ ବ୍ୟକ୍ତିତ୍ୱ ଉପରେ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ସମ୍ଭବ’ ଅନୁଷ୍ଠାନ କିପରି କୃଷିକ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି ସେ ବିଷୟରେ ଏପ୍‌ପିଆଇ ସଭାପତି ଡ଼.ବିଜୟାନନ୍ଦ କର, ଅଧ୍ୟାପକ ଧନେଶ୍ୱର ସାହୁ, ହେତୁବାଦୀ ନେତା ସୁଧାଂଶୁ ଶେଖର ଧଡ଼ା, ବିଏସ୍‌ପି ନେତା ମଧୁସୂଦନ ଯାଦବ, ନିରୀଶ୍ୱରବାଦୀ ଚିକିତ୍ସକ ଡ଼ଃ ନିହାର ରଂଜନ ମହାପାତ୍ର, ହେତୁବାଦୀ ଚିନ୍ତକ ସିଦ୍ଧାର୍ଥ ରଂଜନ ଆଦି ନିମନ୍ତ୍ରିତ ଅତିଥିମାନେ ନିଜ ନିଜର ଭାବନା ପ୍ରକାଶ କରିଥିଲେ।

ପ୍ରଫେସର ରାଧାମୋହନ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ରାସାୟନିକ ସାର, କୀଟନାଶକ ଔଷଧ କିପରି ପରିବେଶ ଧ୍ୱଂସ କରିବା ସହ ବିଭିନ୍ନ ରୋଗ ସୃଷ୍ଟି କରୁଛି ତାହାର ଏକ ମର୍ମସ୍ପର୍ଶୀ ବର୍ଣ୍ଣନା ସେ ସଭାରେ ଉପସ୍ଥାପନ କରିଥିଲେ। ଜୈବ ବିବିଧତାକୁ ଧ୍ୱଂସ କଲେ ଏବଂ ପରିବେଶକୁ ପ୍ରଦୂଷିତ କରିଚାଲିଲେ ସଭ୍ୟତାର ଭବିଷ୍ୟତ କିପରି ଅନ୍ଧକାରମୟ ହେବ ସେ ବିଷୟରେ ସେ ତାଙ୍କର ସୁଚିନ୍ତିତ ମତ ରଖିଥିଲେ। “ଅମୋଫୋଇ” ଅନୁଷ୍ଠାନର ଶ୍ରୀମତୀ ସ୍ୱପ୍ନାବିଜୟିନୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମାଜରୁ ଜାତିପ୍ରଥା ଜନିତ ଭେଦଭାବ ବ୍ୟବସ୍ଥାକୁ ଦୂରକରିବା ପାଇଁ ଜାତି-ଜାତକ-ପୁରୋହିତବିହୀନ ବିବାହ ଓ ଏକ-ସନ୍ତାନ ପରିବାର କିପରି ଏକ ସୁସ୍ଥ ମାନବିକ ସମାଜ ଗଠନ ଦିଗରେ ସହାୟକ ହେଉଛି ସେ ବିଷୟରେ ବି.ରାମଚନ୍ଦ୍ର ସିଏସ୍‌ଟି ଭୋଲଟେୟାର ମତାମତ ଦେବାପରେ ୨ଟି ପ୍ରେମ ବିବାହ ସଭାସ୍ଥଳୀରେ ଅନୁଷ୍ଠିତ ହୋଇଥିଲା।

ଯୁବ ବ୍ୟବସାୟୀ ଅରଜିତ୍ ମହାପାତ୍ର ଏବଂ ଗଣିତରେ ଉଚ୍ଚତର ଗବେଷଣାରତ ଶିବାଲିକା ପ୍ରଧାନ ଏବଂ ଗଜପତି ଜିଲ୍ଲାର ଆଦିବାସୀ ଶବର ଯୁବକଯୁବତୀ ରାଜକିଶୋର ଭୁୟାଁ ଓ ରାଜଲକ୍ଷ୍ମୀ ସାମଲୋ ଫୁଲମାଳ ଆଦାନ ପ୍ରଦାନରେ ବିବାହ କରିଥିଲେ। “ଆମୋଫୋଇ” ସଂପାଦକ ସେମାନଙ୍କୁ ସେକ୍ୟୁଲାର ଶପଥ ପାଠ କରାଇବା ପରେ ପ୍ରଫେସର ରାଧାମୋହନ ଓ ବିଶିଷ୍ଟ ଅତିଥିମାନେ ନବଦମ୍ପତିଦ୍ୱୟଙ୍କୁ ଆଶୀର୍ବାଦ କରିଥିଲେ। ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପାଇଁ ଉଦ୍ଦିଷ୍ଟ “ମାନପତ୍ର” ପାଠ କରିଥିଲେ ଅଧ୍ୟାପକ ଧନେଶ୍ୱର ସାହୁ। ଭାରତୀୟ ସାଂସ୍କୃତିକ ଜୀବନରେ ସାବିତ୍ରୀ ବ୍ରତ ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ରହିଥିବା ଲିଂଗଗତ ଓ ଜାତିଗତ ଭେଦଭାବକୁ ହଟାଇବା ପାଇଁ ପ୍ରଫେସର ରାଧାମୋହନ ତାଙ୍କ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.