Home ଓଡ଼ିଶା ଆମେ ସ୍ମାର୍ଟ ସିଟିର ସ୍ମାର୍ଟ ମଇଁଷି: ରାତି ପାହିଲେ ଛକିଚି ଯମ!

ଆମେ ସ୍ମାର୍ଟ ସିଟିର ସ୍ମାର୍ଟ ମଇଁଷି: ରାତି ପାହିଲେ ଛକିଚି ଯମ!

128

ରାଉରକେଲା ୨୬-୬ (ଓଡ଼ିଆ ପୁଅ) : ଘଟଣା କିଛି ନୂଆ ନୁହେଁ, ତଥାପି ଉଦବେଗଜନକ୍। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଦିନକୁ ଦିନ ବଢି ଚାଲିଥିବା ଗୋରୁଗାଈଙ୍କ ପ୍ରାର୍ଦୃଭାବରେ ମୂଲ୍ୟବାନ ଜୀବନ କେତେବେଳେ ବି ଯାଇପାରେ କହିହେବ ନାହିଁ! ଦକ୍ଷିଣ ରାଉରକେଲାରେ ଗାଈ, ବୁଲା ଷଣ୍ଢଙ୍କ ଉତ୍ପାତ ନିତିଦିନିଆ ସମସ୍ୟା ଭାବେ ଦେଖାଦେଇଥିବା ବେଳେ ଏବେ ମଇଁଷିଙ୍କ ପ୍ରାର୍ଦୃଭାବ ଅଂଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ରାତି ପାହିବା କ୍ଷଣି ସାରନଗରୀ ରାଜରାସ୍ତା ସମେତ ଜାତୀୟ ରାଜପଥରେ ଆରମ୍ଭ ହୋଇଯାଉଛି ମଇଁଷିଙ୍କ ଦାଦାଗିରି! ରାତି ପାହିଲେ ସାରନଗରୀ ରାଜରାସ୍ତାରେ ଯେମିତି ଛକି ରହୁଛି ଯମ! ମଇଁଷି ପାଳନ କରୁଥିବା ଖଟାଲ ମାଲିକ ମାନେ ଖୁଲମଖୁଲା ମାନେ ନିଜ ପାଳିତ ମଇଁଷି ମାନଙ୍କୁ ଖାଦ୍ୟ ଅନ୍ୱେଷଣରେ ଛାଡ଼ି ଦେଉଥିବା ବେଳେ, ସେହି ମଇଁଷି ଗୁଡ଼ିକ ରାସ୍ତାର ଏଣେତେଣେ ବୁଲିବା ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଏନେଇ ବାରମ୍ବାର ଅଂଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରୁନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ତ୍ରୀବ ଅସନ୍ତୋଷ ବଢିବାରେ ଲାଗିଛି। ମଇଁଷି ଗୁଡ଼ିକ ଏଣେ ତେଣେ ଦୌଡ଼ାଦୌଡ଼ି କରିବାରୁ ଏହାକୁ ନେଇ ବୟସ୍କ ଓ ଶିଶୁ ମାନଙ୍କ ମଧ୍ୟ ଭୀତସଂଚାର ହେବା ସ୍ୱାଭିବକ। ଅପରପକ୍ଷରେ କିଛି ମଇଁଷି ରାସ୍ତା ଉପରେ ଛିଡ଼ା ହେବା କାରଣରୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ରାସ୍ତାରେ ମଳତ୍ୟାଗ କରି ମଇଁଷି ମାନେ ରାସ୍ତାକୁ ଅପରିଷ୍କାର କରିବା ମଧ୍ୟ ନିୟମିତ ଦେଖିବାକୁ ମିଳେ। କେବଳ ଯେ, ଏହି ଛକ ନୁହେଁ, ଅନ୍ୟ୍ୟାନ ଛକ ଯେପରି ଆଇଡ଼ିଏଲ ଛକ, ରଙ୍ଗୋଲି ଛକ, ପାଣିଟାଙ୍କି ମାର୍କେଟ ଆଦି ସ୍ଥାନରେ ମଇଁଷିଙ୍କ ପ୍ରାର୍ଦୃଭାବରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ସାରନଗରୀରେ ଥିବା କିଛି ଖଟାଲ ମାଲିକଙ୍କ ମନୋମୁଖୀ କାରବାର ଯୋଗୁ ଅଂଚଳାବାସୀ ଜୀବନ ବିପନ୍ନ ହୋଇ ପଡ଼ିଛି। ସାରନଗରୀରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ପୂର୍ବରୁ ମଇଁଷି ଆକ୍ରମଣରେ ସାମାନ୍ୟ ଅବା ଗୁରୁତର ଆହତ ହୋଇଥିବା ପୂର୍ବରୁ ଅନେକ ନଜିର ରହିଛି। ରାଉରକେଲାର କିଛି ଜାଗା ମାନଙ୍କରେ ବୁଲା ଗୋରୁଗାଈଙ୍କୁ ଧରାଯାଇ କାଂଜିଆହୁଦାରେ ରଖାଯାଉଥିବା ବେଳେ, ସାରନଗରୀରେ ରାଜରାସ୍ତାରେ ରାଜ କରୁଥିବା ବୁଲା ଗୋରୁଗାଈ ସମେତ ମଇଁଷି ମାନଙ୍କ ଧରିବା କେବେ ଦୃଷ୍ଟିଗୋଚର ହୁଏନାହିଁ ବୋଲି ସ୍ଥାନୀୟ ବାସିନ୍ଦା ମତ ଦିଅନ୍ତି। ଏପରିସ୍ଥଳେ କେଉଁଦିନେ ଯେ, ଏକ ବଡ଼ ଅଘଟଣ ଘଟିବ ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ପ୍ରଶାସନ ମଇଁଷି ମାନଙ୍କ ଗତିବିଧିକୁ ରୋକ ଲଗାଇବା ସହ ମନୋମୁଖୀ କାରବାର କରୁଥିବା ଖଟାଲ ମାଲିକ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.