Home ଜିଲ୍ଲା ପରିକ୍ରମା ଆବାସ ଯୋଜନା ହିତାଧିକାରୀ ଚୟନରେ କେଳେଙ୍କାରୀ, ସମିତି ସଭ୍ୟାଙ୍କ ସ୍ୱାମୀ ଯୋଗ୍ୟ, ଦୃଷ୍ଟିହୀନ ଅଯୋଗ୍ୟ

ଆବାସ ଯୋଜନା ହିତାଧିକାରୀ ଚୟନରେ କେଳେଙ୍କାରୀ, ସମିତି ସଭ୍ୟାଙ୍କ ସ୍ୱାମୀ ଯୋଗ୍ୟ, ଦୃଷ୍ଟିହୀନ ଅଯୋଗ୍ୟ

76

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ପକ୍ଷରୁ ଆନନ୍ଦପୁର ପଂଚାୟତ ପାଇଁ ପ୍ରସ୍ତୁତ କରାଯାଇଥିବା ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ତାଲିକାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି । କୋଠାଘର, ଅଟୋ ମାଲିକ ମାସକୁ ୧୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ରୋଜଗାର କରୁଥିବା ବ୍ୟକ୍ତି, ଠିକାଦାର ଓ ବ୍ୟବସାୟୀମାନେ ଆବାସ ଯୋଜନାର ହିତାଧିକାରୀ ହୋଇଛନ୍ତି । ମାତ୍ର ଆଦୌ ଘର ନଥିବା ଭଙ୍ଗା କୁଡିଆରେ, ଜରି ପାଲ ତଳେ ରହୁଥିବା ଅନ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତି ଅଯୋଗ୍ୟ ବିବେଚିତ ହୋଇ ଏହି ତାଲିକାରୁ ବାଦ୍ ପଡିଛନ୍ତି । ଅନୁରୂପ ଗୋଟିଏ ଗୋଟିଏ ପରିବାରରୁ ପିତା-ପୁତ୍ର ଏକାନ୍ନବର୍ତ୍ତୀ ପରିବାରର ଦୁଇଭାଇ, ଦୁଇ ଯାଆ, ବିବାହିତ ଝିଅ, ଦୁଇମାସ ତଳେ ବିବାହ ହୋଇ ଆସିଥିବା ନବବଧୂ ବି ଏହି ତାଲିକାରେ ଘର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ପାହାଡପୁର ଗାଁର ରଂଜିତା ବାରିକ ଓ ରଶ୍ମିତା ବାରିକ ଆବାସ ଯୋଜନାରେ ଘର ପାଇବାକୁ ତାଲିକାରେ ଯୋଗ୍ୟ ହୋଇଛନ୍ତି । ଆବାସ ଯୋଜନାର ଦରଖାସ୍ତ ଫର୍ମ ନଂ ୧୫୨୩୮୮୪୪୪ ଓ ଆନନ୍ଦପୁର ପଂଚାୟତ ତାଲିକାର ୧୬୨ ନମ୍ବରରେ ଥିବା ରଂଜିତାଙ୍କ ସ୍ୱାମୀ ପ୍ରଶାନ୍ତ ବାରିକଙ୍କର ନିଜର ଗୋଟିଏ ଅଟୋ ଅଛି । ଏବେବି ସେ ଇଏମ୍‌ଆଇ ଦେଉଛନ୍ତି । ଏଥିସହିତ ପ୍ରଶାନ୍ତଙ୍କର ୪ ବଖରା ଯୁକ୍ତ ଏକ ବଡ କୋଠାଘରଟିଏ ଅଛି । ସେହିପରି ଦରଖାସ୍ତ ଫର୍ମ ନଂ ୧୫୨୩୮୮୪୪୨ ଓ ଆନନ୍ଦପୁର ପଂଚାୟତ ତାଲିକାର ୧୬୩ ନମ୍ବରରେ ଥିବା ରଶ୍ମିତା ବାରିକ ହେଉଛନ୍ତି ରଂଜିତାଙ୍କ ବଡ ଯା’ ।

ଦରଖାସ୍ତରେ ରଶ୍ମିତାଙ୍କ ସ୍ୱାମୀଙ୍କ ନାମ ବାଦ୍ ପଡିଛି । ତା ବଦଳରେ ଅତି ଚାଲାକି ସହ ତାଙ୍କ ପିତାଙ୍କ ନାମ ଦିଆଯାଇଛି । ପ୍ରଶାନ୍ତଙ୍କ ପରିବାରରୁ ଅନ୍ୟ ଦୁଇଜଣ ପୂର୍ବରୁ ଦୁଇଟି ସରକାରୀ ଆବାସ ଘର ପାଇଛନ୍ତି । ନିକଟରେ ତାଙ୍କ ପରିବାରରୁ ଜଣେ ମୋ ଗୁହାଳ ଯୋଜନାରେ ଘରଟିଏ ମଧ୍ୟ ହାତେଇଛନ୍ତି । ପ୍ରଶାନ୍ତଙ୍କ ବଡଭାଇ ଓ ଧାମନଗର ବ୍ଲକ୍‌ରେ କାର୍ଯ୍ୟରତ ଜଣେ ବ୍ଲକ୍ ପ୍ରୋଜେକ୍ଟ କୋଅଡିନେଟର ଗୋଟିଏ ସ୍କୁଲରେ ଗୋଟିଏ ବ୍ୟାଚ୍‌ରେ ପଢୁଥିଲେ । ସଂପୃକ୍ତ ବିପିସି ଏଥିପୂର୍ବରୁ ଆନନ୍ଦପୁର ପଂଚାୟତର ଜିଓ ଟ୍ୟାଗ୍‌ିଂ କରୁଥିଲେ । ସେତେବେଳେ ସେ ଅନେକ ଅନିୟମିତତା କରି ପ୍ରଶାନ୍ତ ବାରିକଙ୍କ ବଡଭାଇଙ୍କ ପରିବାରକୁ ସରକାରୀ ସୁବିଧା ଦେବାରେ ସହାୟତା କରିଥିବାର ଅଭିଯୋଗ ହୋଇଛି । ଅନୁରୂପ ଆନନ୍ଦପୁର ପଂଚାୟତର ସମିତିସଭ୍ୟ ମୀନାକ୍ଷୀ ଶତପଥୀଙ୍କ ସ୍ୱାମୀ କୁଳମଣି ଶତପଥୀ ଏଥର ଯୋଗ୍ୟ ହିତାଧିକାରୀ ତାଲିକାରେ ସ୍ଥାନ ପାଇଛନ୍ତି । ଦରଖାସ୍ତ ନଂ ୧୫୨୬୪୮୩୨୨ ଓ ଆନନ୍ଦପୁର ପଂଚାୟତ ତାଲିକାର କ୍ରମିକ ନଂ ୨୦୬ ରେ ଥିବା କୁଳମଣି ଜଣେ ବ୍ୟବସାୟୀ । ଗତବର୍ଷ କରୋନା ସମୟରେ ଆନନ୍ଦପୁର ପଂଚାୟତର ଟିଏମ୍‌ସି ସେଣ୍ଟରକୁ ସେ ଭେଣ୍ଡର ଭାବେ ଖଟିଆ, ବିଛଣାପତ୍ର ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଥିଲେ । ଏତଦ୍‌ବ୍ୟତୀତ ତାଙ୍କର ଉତେଇପୁରରେ କୋଠାଟିଏ ତିଆରି ଚାଲିଛି । କେବଳ ଏତିକି ନୁହେଁ, ଆନନ୍ଦପୁରରେ ଅମୂଲ୍ୟ କୁମାର ମହାନ୍ତିଙ୍କ ନାମ ଏଥର ଯୋଗ୍ୟ ହିତାଧିକାରୀ ତାଲିକାରେ ରହିଛି । ଅମୂଲ୍ୟ ମହାନ୍ତିଙ୍କର ଯୌଥ ପରିବାର । ଭାଇଙ୍କର ଗୋଟିଏ ଟ୍ରାକ୍ଟର ରହିଛି । ତାଙ୍କ ପିତା ବିମ୍ବାଧର ମହାନ୍ତି ପୂର୍ବରୁ ଆବାସ ଯୋଜନାରେ ଘର ପାଇସାରିଛନ୍ତି । ନିଜେ ଅମୂଲ୍ୟ ମହାନ୍ତି ପଂଚାୟତର ଚମ୍ପାବାଗ ନାରାୟଣ ପଡିଆରେ ଏକ ବିରାଟ ଦୋକାନ କରିଛନ୍ତି । ତା ସତ୍ୱେ ତାଙ୍କୁ ହିତାଧିକାରୀ କରାଯାଇଛି । ବାଙ୍ଗାଲୋରରେ ସିକ୍ୟୁରିଟି କଂପାନୀର ମ୍ୟାନେଜର ଥିବା ପାହାଡପୁର ଖଗେଶ୍ୱର ସାହୁଙ୍କ ପତ୍ନୀ ସସ୍ମିତା ସାହୁ ବି ଯୋଗ୍ୟ ତାଲିକାରେ ସ୍ଥାନ ପାଇଛନ୍ତି । ଏହିଭଳି ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ଅଯୋଗ୍ୟ ବ୍ୟକ୍ତି ଘର ପାଇବାରେ ଯୋଗ୍ୟ ହୋଇଛନ୍ତି । ପ୍ରକୃତରେ ଯେଉଁମାନେ ଘର ପାଇବାକୁ ହକ୍‌ଦାର, ସେମାନେ ତାଲିକାରେ ନାହାଁନ୍ତି । ଚମ୍ପାବାଗର କୃର୍ଷ୍ଣଚନ୍ଦ୍ର ନାଥ, ପାହାଡପୁରର ପ୍ରବୀଣ ସାମଲ, ଆନନ୍ଦପୁରର ଗିରିଧାରୀ ଚନ୍ଦ, ଘୁନା ଚନ୍ଦ, ଭାଇ ଅଶୋକ ଚନ୍ଦ ଏହି ତାଲିକାରେ ନାହାଁନ୍ତି । କୃଷ୍ଣଚନ୍ଦ୍ର ନାଥଙ୍କର ଘର ୧୯୯୯ ମହାବାତ୍ୟାରେ ଭାଙ୍ଗିଯାଇଥିଲା ।

ସେ ଜଣେ ସଂପୂର୍ଣ୍ଣ ଦୃଷ୍ଟିହୀନ ବ୍ୟକ୍ତି । ସେହିଦିନ ଠାରୁ ଘରଟିଏ ପାଇଁ ସେ ସ୍ଥାନୀୟ ସରପଞ୍ଚ, ବିଡିଓ ଏପରିକି ଭଦ୍ରକ ଜିଲାପାଳଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣିନାହାଁନ୍ତି । କେବଳ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କୃଷ୍ଣ କହନ୍ତି । ପତ୍ନୀ ମନ୍ଦୋଦରୀ ନାଥ ଓ ଛୋଟିଆ ପୁଅକୁ ନେଇ ସେ ଚଳୁଛନ୍ତି । ପତ୍ନୀ ପର ଦୁଆରେ କାମ କଲେ ଘର ଚଳେ । କିଛିଦିନ ପୂର୍ବରୁ ସରପଞ୍ଚ ତାଙ୍କୁ ଘର ଆସିଥିବାର ସୂଚନା ଦେଲେ । ଏହି ଭରସାରେ ସେ ନିଜ କୁଡିଆକୁ ଭାଙ୍ଗି ଅନ୍ୟ ଜଣଙ୍କ ଘରେ ରହିଲେ । ଏବଂ ଘର ତିଆରି ଆରମ୍ଭ କଲେ । ମାତ୍ର ଏବେ ଦେଖିଲାବେଳକୁ ଯୋଗ୍ୟ ତାଲିକାରୁ ସେ ବାଦ୍ ପଡିଛନ୍ତି । ଏଣୁ ସେ ଧାରକରଜ କରି ଆଣିଥିବା ସିମେଣ୍ଟ ଓ ରଡ୍ ଅର୍ଥ ଦେଇନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନ୍ୟପଟେ ଯୋଗ୍ୟ ତାଲିକାରୁ ପ୍ରକୃତ ହିତାଧିକାରୀ ବାଦ୍ ପଡିବା ଓ ଅଯୋଗ୍ୟ ହିତାଧିକାରୀ ରହିବା ନେଇ ସରପଞ୍ଚ ବିଜୟ କୁମାର ଦାସ ଧାମନଗର ବ୍ଲକ୍ କର୍ତ୍ତୃପକ୍ଷଙ୍କ ଦୋଷ ଦେଇଛନ୍ତି । ବ୍ଲକ୍ ପକ୍ଷରୁ ଏଭଳି ତ୍ରୁଟି ହୋଇଥିବାର ସେ କହିଛନ୍ତି । ପଂଚାୟତ ପକ୍ଷରୁ ସେ ଯେଉଁମାନଙ୍କ ନାମ ଦେଇଥିଲେ, ସେସବୁକୁ ବାଦ୍ ଦିଆଯାଇଥିବାର ସେ ସୂଚାଇଛନ୍ତି । ଏ ନେଇ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୂର୍ମୁଙ୍କୁ ପଚାରିବାରୁ ସେ ଏବେ କେବଳ ତାଲିକା ପ୍ରକାଶ ପାଇଛି, ସେଥିରେ ତ୍ରୁଟି ଥାଇପାରେ, ଏଥିଲାଗି ପ୍ରତି ପଂଚାୟତରେ ଜଣେ ଶିକ୍ଷକ, ଜିଆରଏସ୍‌, ପଂଚାୟତ ନିର୍ବାହୀ ଅଧିକାରୀ ଓ ଜେଇଙ୍କୁ ନେଇ ଯାଞ୍ଚ କମିଟି ଗଠନ କରାଯାଇଛି । ସେ କମିଟି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.