Home ଜିଲ୍ଲା ପରିକ୍ରମା ଆବଶ୍ୟକ ପତାକା ନମିଳିବାରୁ ପ୍ରତି ଘରେ ତ୍ରିରଙ୍ଗା ଉଡ଼ିପାରିଲାନି

ଆବଶ୍ୟକ ପତାକା ନମିଳିବାରୁ ପ୍ରତି ଘରେ ତ୍ରିରଙ୍ଗା ଉଡ଼ିପାରିଲାନି

47

ନୟାଗଡ଼, ୧୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନରେ ଏକ ଐତିହାସିକ ମୁହୂର୍ତ୍ତକୁ ସାମିଲ୍ କରିବା ଲକ୍ଷ୍ୟରେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରତି ପରିବାରର ଲୋକେ ଚାହିଁ ବସିଥିବାବେଳେ ପତାକା ନମିଳିବାରୁ ଅଧାରୁ ଅଧିକ ଘରେ ଜାତୀୟ ପତାକା ଉଡ଼ିପାରିନଥିବା ଅଭିଯୋଗ ହେଉଛି। ପ୍ରତି ଘରେ ତ୍ରିରଙ୍ଗା ଅଭିଯାନକୁ ସଶକ୍ତ କରି ୧୩ ତାରିଖରୁ ୧୫ ଅଗଷ୍ଟ ମଧ୍ୟରେ ତିନି ଦିନ ନିଜ ଘରେ ତ୍ରିରଙ୍ଗା ପ୍ରଦର୍ଶିତ କରିବା ପାଇଁ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଥିଲାବେଳେ ଭାରତର ଐତିହାସିକ ଜନ ଆନ୍ଦୋଳନର ସ୍ମୃତିକୁ ଗାଢ ଭାବରେ ମନେପକାଇ ତ୍ରିରଙ୍ଗା ଉଡ଼ାଇବାକୁ ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ହେଲେ ଏତେ ଭଲ ପାଇବାର ତ୍ରିରଙ୍ଗାକୁ ଉଡ଼ାଇବାକୁ ଲୋକେ ଉତ୍ସାହିତ ଥିଲାବେଳେ ପତାକା ନପାଇ ହତାଶ ହୋଇଥିବା ଦେଖିବାକୁ ମିଳିଛି। ତ୍ରିରଙ୍ଗା ୨୫ଟଙ୍କାରେ ବିକ୍ରି ହେବ ଏବଂ ଏହା ଡାକଘରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲାବେଳେ ନୟାଗଡ଼ ଜିଲ୍ଲାକୁ ୩୦ହଜାରରୁ ଉର୍ଦ୍ଧ୍ୱ ତ୍ରିରଙ୍ଗା ପତାକା ଆସିଥିଲା। ମୁଖ୍ୟ ଡାକଘରେ ଏହି ପତାକାକୁ ଅଧିକ ମହଜୁଦ୍ ରଖାଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ଡାକଘରକୁ ପତାକା ଚାହିଦା ମୁତାବକ ପଠାଯାଇଥିଲା। ପ୍ରଥମେ ପ୍ରଥମେ ପତାକା ବିକ୍ରିରେ ଶିଥିଳତା ଦେଖାଦେବାରୁ କାଳେ ପତାକା ବଳକା ରହିଯିବ ସେଥିଲାଗି ଯେଉଁ ଡାକଘରମାନଙ୍କରେ ପତାକା ବଳକା ଥିଲା ତାକୁ ଆଦାୟ କରାଯାଇ ଏବଂ ମୁଖ୍ୟ ଡାକଘରେ ଯାହା ପତାକା ମହଜୁଦ୍ ଥିଲା ତାକୁ କୌଣସି ପ୍ରକାରେ ବିକ୍ରି କରାଯିବାରେ ଚେଷ୍ଟା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତ୍ରିରଙ୍ଗା କିଣିବାକୁ ଲୋକମାନଙ୍କ ମଧ୍ୟରେ ଏତେ ଉତ୍ସାହ ଦେଖାଯାଇଥିଲାଯେ, ଖୋଜିଲା ବେଳକୁ ଡାକଘରମାନଙ୍କରେ ଆଉ ପତାକା ଉପଲବ୍ଧନଥିଲା। ଯାହାକି ସଚେତନଶୀଳ ନାଗରିକମାନେ ତ୍ରିରଙ୍ଗା ପତାକା କ୍ରୟ କରିନପାରି ସେଠାରୁ ନୈରାଶ୍ୟ ଭାବରେ ଫେରୁଥିବା ଜଣାପଡ଼ିଛି। ଶନିବାର ଠାରୁ ତ୍ରିରଙ୍ଗା ପତାକା ଉଡ଼ିବା ଧାର୍ଯ୍ୟ ଥିଲାବେଳେ ଅଧିକାଂଶ ଘରେ ପତାକା ଉଡ଼ିପାରିନଥିବା ଦେଖିବାକୁ ମିଳିଛି। ଘରମାନଙ୍କରେ ପତାକା ଉଡ଼ାଇ ପାରିନଥିବାରୁ ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଉଲ୍ଲେଖଥାଉକି ସରକାର ଘୋଷଣା କରିଥିଲେଯେ ପ୍ରତ୍ୟେକ ଘରେ ଘରେ ୭୫ତମ ସ୍ୱାଧୀନତା ଦିବସ ବା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯିବ ଏବଂ ତ୍ରିରଙ୍ଗା ପତାକାର ପ୍ରସ୍ଥ ୨୦ ଇଂଚ ଏବଂ ଦୈର୍ଘ୍ୟ ୩୦ ଇଂଚରେ ନିର୍ମିତ ହୋଇଥିବା ଏହି ପତାକା ୨୫ଟଙ୍କାରେ ଡାକଘରେ ଉପଲବ୍ଧ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.