Home ଜିଲ୍ଲା ପରିକ୍ରମା ଆପ୍ରୋଚ ରୋଡ ପାଇଁ ବାଟ ଫିଟିଲା, ୫୧ ଜମିହରାଙ୍କୁ ମିଳିବ ୧୪ କୋଟିର କ୍ଷତିପୂରଣ

ଆପ୍ରୋଚ ରୋଡ ପାଇଁ ବାଟ ଫିଟିଲା, ୫୧ ଜମିହରାଙ୍କୁ ମିଳିବ ୧୪ କୋଟିର କ୍ଷତିପୂରଣ

87

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଠାରେ ରେଲୱେ ଫ୍ଲାଏ ଓଭରବ୍ରିଜ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । କିନ୍ତୁ ଉକ୍ତ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ଦେଖା ଦେଇଥିଲା ଅନିଶ୍ଚିତତା । କାରଣ ଉକ୍ତ ଆପ୍ରୋଚ ରୋଡ ପାଇଁ ଜମି ଅଧିଗ୍ରହଣ ସମସ୍ୟା ବାଧକ ସାଜିଥିଲା । ଇତିମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ଉକ୍ତ ପ୍ରସଙ୍ଗରେ ବାରମ୍ବାର ରେଳବାଇ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ନିକଟରେ ଦାବି ଉପସ୍ଥାପିତ କରି ଆସିଥିବା ଭଦ୍ରକର ପ୍ରାକ୍ତନ ବିଧାୟକ ନରେନ ପଲେଇ ସୂଚନା ଦେଇଛନ୍ତି । ଶ୍ରୀ ପଲେଇଙ୍କ ସୂଚନା ଅନୁଯାୟୀ ଉକ୍ତ ସଂଯୋଗୀକରଣ ରାସ୍ତା ପାଇଁ ପୂର୍ତ୍ତ ବିଭାଗ ନିକଟରେ ଅର୍ଥ ଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ପାରୁନଥିଲା । ଜମିଜମା ସମସ୍ୟା ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଥିଲା । କାରଣ ୧୬ ନମ୍ବର ଜାତୀୟ ରାଜପଥ ପୁରୁଣା ହନୁମାନ ମନ୍ଦିର ଠାରୁ ଚରମ୍ପା ଗୁଣ୍ଠୁଣିଆ ବଜାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ୨.୨ କିଲୋମିଟର ସଂଯୋଗୀକରଣ ରାସ୍ତା ପାଇଁ ରେଳବାଇ ଜମିକୁ ଛାଡ଼ି ମୋଟ ୩.୫୨ ଏକର ଘରୋଇ ଜମିର ଆବଶ୍ୟକତା ରହିଥିଲା । ଏସମସ୍ତ ଜମି ୫୧ଜଣ ବ୍ୟକ୍ତିଙ୍କ ବ୍ୟକ୍ତିଗତ ମାଲିକାନାରେ ଥିଲା । କିନ୍ତୁ ଗତ ବର୍ଷ ନଭେମ୍ବର ମାସ ୪ ତାରିଖ ଏହି ମର୍ମରେ ଚରମ୍ପା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟରେ ଏକ ଜନଶୁଣାଣୀ ହୋଇଥିଲା । ମୋଟ ୫୧ଜଣ ଜମି ମାଲିକ ଏଥିରେ ଯୋଗ ଦେଇ ନିଜର ମତ ରଖିଥିଲେ । ତେବେ ଇତିମଧ୍ୟରେ ଜମି ହରାଇବାକୁ ଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ୧୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଫଳରେ ଏହି କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇ ପାରିବ । ଜମି ଅଧିଗ୍ରହଣଜନୀତ ସରକାରୀ ଔପଚାରିକତା ପୂରଣ ପରେ ଆସନ୍ତା ଜୁଲାଇ ମାସ ଏହି ଆପ୍ରୋଚ ରୋଡ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯିବ ବୋଲି ବିଭାଗୀୟ ସୂଚନା ମିଳିଥିବା ଶ୍ରୀ ପଲେଇ ସୂଚନା ଦେଇଛନ୍ତି । ଫଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଅନିଶ୍ଚିତତାର ଅବସାନ ଘଟିବ ବୋଲି ଶ୍ରୀ ପଲେଇ କହିଛନ୍ତି ।

ସୂଚନାଯୋଗ୍ୟ ଚରମ୍ପା ଏକ ପ୍ରମୁଖ ବ୍ୟସାୟିକ କେନ୍ଦ୍ର । ଏଠାରେ ଭଦ୍ରକ ଷ୍ଟେସନ ଓ ମାଲ ଗୋଦାମ ରହିଥିବାରୁ ଶହଶହ ଟ୍ରକ ପ୍ରତ୍ୟେକ ଦିନ ଏଠାରୁ ମାଲ ପରିବହନ କରିଥାନ୍ତି । କିନ୍ତୁ କୌଣସି ବିକଳ୍ପ ରାସ୍ତା ନଥିବାରୁ ସମସ୍ତ ଟ୍ରକ୍ ଚରମ୍ପା ବଜାର ଦେଇ ଯିବା ଆସିବା କରିଥାନ୍ତି । ଫଳରେ ଚରମ୍ପା ବଜାରରେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଏହିକାରଣରୁ ୧୬ ନମ୍ବର ଜାତୀୟ ରାଜପଥ ହନୁମାନ ମନ୍ଦିର ନିକଟରୁ ମାଲ ଗୋଦାମ ପର୍ଯ୍ୟନ୍ତ ଏକ ରାସ୍ତାର ଆବଶ୍ୟକତା ସବୁବେଳେ ଅନୁଭୂୁତ ହୋଇ ଆସୁଥିଲା । ଯାହାକି ଏବେ ବାସ୍ତବ ରୂପ ନେବାକୁ ଯାଉଛି । ସେହିପରି ଭଦ୍ରକ ବିଧାନସଭା କ୍ଷେତ୍ରର ୮ ପଞ୍ଚାୟତ ଓ ପଡ଼ୋଶୀ ଜିଲ୍ଲାର ଏକାଧିକ ପଞ୍ଚାୟତର ସହସ୍ରାଧିକ ବ୍ୟକ୍ତି ଷ୍ଟେସନର ଏହି ଲେବୁଲ କ୍ରସିଂ ବାଟ ଦେଇ ଯିବା ଆସିବା କରିଥାନ୍ତି । କିନ୍ତୁ ଷ୍ଟେସନ ନିକଟରେ ଥିବା ଏହି ଲେବୁଲ କ୍ରସିଂରେ ବହୁ ସମୟରେ ବୈଷୟିକ କାରଣରୁ ଦୀର୍ଘ ସମୟ ଧରି ଫାଟକ ପଡ଼ି ରହିଥାଏ । ଫଳରେ ପଥାରୋହୀଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଓ ଫାୟର ବ୍ରିଗେଡ ଗାଡ଼ି ଯିବା ଆସିବାରେ ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା ପାଇଁ ପ୍ରାକ୍ତନ ବିଧାୟକ ଶ୍ରୀ ପଲେଇ ନିୟମିତ ଭାବେ ଏକ ଫ୍ଲାଏ ଓଭରବ୍ରିଜ୍ ପାଇଁ ରେଳବାଇ କର୍ତ୍ତୃପକ୍ଷଙ୍କ ଉପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାପ ପ୍ରୟୋଗ କରି ଆସିଥିଲେ । ଶେଷରେ ଫ୍ଲାଏ ଓଭରବ୍ରିଜ ପାଇଁ ସବୁଜ ସଂକେତ ମିଳି କାର୍ଯ୍ୟ ବହୁ ବାଟ ଆଗେଇ ଥିବାବେଳେ, ଜମିଜମା ସମସ୍ୟା ପାଇଁ ଆପ୍ରୋଚ ରୋଡ ସମସ୍ୟା ଲାଗି ରହିଥିଲା । ଯାହାର ସମାଧାନ ଖୁବ୍ ଶୀଘ୍ର ହବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.