Home ଜିଲ୍ଲା ପରିକ୍ରମା ଆନନ୍ଦପୁରରେ ବାଳିଘାଟ ନିଲାମ ପାଇଁ ମିଳିତ ଅନୁଧ୍ୟାନ, ବାଲିଘାଟକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ

ଆନନ୍ଦପୁରରେ ବାଳିଘାଟ ନିଲାମ ପାଇଁ ମିଳିତ ଅନୁଧ୍ୟାନ, ବାଲିଘାଟକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ

19

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନସ୍ଥ ଆନନ୍ଦପୁର ବାଲିଘାଟ ନିଲାମ ପାଇଁ ଏକ ମିଳିତ ଅନୁଧ୍ୟାନ କରିଛନ୍ତି । ତେବେ ଖୁବଶୀଘ୍ର ନିଲାମ ପ୍ରକ୍ରିୟା ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବାବେଳେ ଏହି ବାଲିଘାଟକୁ ନେଇ ଆନନ୍ଦପୁର ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଠାରେ ସୂଚନାଯୋଗ୍ୟ ଲଘୁ ଖଣିଜ ସଂପଦର ପରିଚାଳନା ଖଣି ବିଭାଗ ଅଧୀନକୁ ଯିବା ପରେ ଉତ୍ସ ଗୁଡିକର ନିଲାମ ପାଇଁ ଖଣି ବିଭାଗରେ ତତ୍ପରତା ପ୍ରକାଶ ପାଇଛି । ଏଥିଲାଗି ବିଭିନ୍ନ ଲଘୁ ଖଣିଜ ଉତ୍ସକୁ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ଖଣି ବିଭାଗର ଅଧିକାରୀମାନେ । ଏହି ଅବସରରେ ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଂଚାୟତର ବୈତରଣୀ ନଦୀ ସୈରାତ ଉତ୍ସ ବୁଲି ଦେଖିଛନ୍ତି ଖଣି ବିଭାଗ , ତହସିଲ, ଜିଲା ପ୍ରଶାସନ ଓ ଜଳସଂପଦ ବିଭାଗର ମିଳିତ ଟିମ୍ । ଭଦ୍ରକ ଓ ବାଲେଶ୍ୱର ଜିଲା ଭୂତତ୍ତ୍ୱବିତ୍ ସନ୍ତୋଷି ପ୍ରଭା ସେଠୀଙ୍କ ନେତୃତ୍ୱରେ ମିଳିତ ଟିମ୍ ଆନନ୍ଦପୁରର ପଣସ ମାହାରା ଘାଟରେ ପହଞ୍ôଚ ଆନନ୍ଦପୁର-୧ ବୈତରଣୀ ନଦୀ ବାଲିଘାଟ ପରିଦର୍ଶନ କରିଛନ୍ତି । ନଦୀରେ ପାଣି ଥିବାରୁ କେବଳ ନଦୀପଠାରୁ ଘାଟ ବୁଲି ଟିମ୍ ଫେରିଯାଇଛି । ଏହାପରେ ସୈରାତ ଉତ୍ସ ଗୁଡିକର ଭୌଗୌଳିକ ସ୍ଥିତି, ଜିପିଏସ୍ ଲୋକେସନ ପ୍ରସ୍ତୁତ କରୁଥିବା ନେଇ ଓରସାକ ଟିମ୍ ଆସି ଅନୁଧ୍ୟାନ କରିବେ ବୋଲି ସନ୍ତୋଷିପ୍ରଭା ଗଣମାଧ୍ୟମକୁ କହିଛନ୍ତି । ଅପରପକ୍ଷେ ମିଳିତ ଅନୁଧ୍ୟାନ ଘଟଣା ଜଣାପଡିବା ପରେ ବାଲିଘାଟକୁ ନେଇ ଆନନ୍ଦପୁର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଠାରେ ଆଉ ବାଲିଘାଟ ନିଲାମ ନଦେବାକୁ ଲୋକେ ଦାବି କରିଛନ୍ତି । ଲୋକଙ୍କ କହିବା ଅନୁସାରେ ଆନନ୍ଦପୁର ଠାରେ ବୈତରଣୀ ନଦୀର ବାଲିଘାଟଟି ୧୯୯୫ ରୁ ଚାଲିଆସୁଥିଲା ।

ତେବେ ୨୦୧୫ ରୁ ୨୦୨୦ ମଧ୍ୟରେ ଧାମନଗର ତହସିଲ ପକ୍ଷରୁ ଏହାକୁ ୫ ବର୍ଷିୟା ନିଲାମ ଦିଆଯାଇଥିଲା । ସେତେବେଳେ ନିଲାମ ନେଇଥିବା ମୁରଲୀଧର ମାଝୀ ବେଆଇନ୍ ଭାବେ ବାଲି ଉତ୍ତୋଳନ କରୁଥିଲେ । ବାର୍ଷିକ ପ୍ରାୟ ୭ ହଜାର ଟନ୍ ବାଲି ଉତ୍ତୋଳନ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେ ଦିନକୁ ହଜାରେ ଟନ୍‌ରୁ ଅଧିକ ବାଲି ଉଠାଇ ବକ୍ରି କରୁଥିଲେ । ଫଳରେ ୨୦୧୯ ପରେ ଆନନ୍ଦପୁର ବାଲି ଘାଟ ବୈତରଣୀ ନଦୀଗର୍ଭରେ ବାଲି ଆଉ ରହିଲା ନାହିଁ । ସେବେଠାରୁ ବୈତରଣୀ ନଦୀଗର୍ଭରେ ଆଉ ବାଲି ନାହିଁ । ଏଣୁ ପୁଣି ନିଲାମ ପ୍ରକ୍ରିୟା ଆରମ୍ଭକୁ ଲୋକେ ବିରୋଧ କରିଆସୁଛନ୍ତି । ଖାଲି ଆନନ୍ଦପୁର ନୁହେଁ ଏହି ପଂଚାୟତର ଉତ୍ତେଇପୁର ବାଲିଘାଟକୁ ବି ବନ୍ଦ କରିବା ଲାଗି ଲୋକେ ଦାବି କରିଛନ୍ତି । ବୈତରଣୀ ନଦୀରେ ବାଲି ନଥିବାରୁ ଖରାଦିନେ ନଦୀକୂଳିଆ ଗାଁରେ ଜଳକଷ୍ଟ ଦେଖାଦେଉଛି । ଭୂତଳ ଜଳସ୍ତର ହ୍ରାସ ହେଉଥିବାରୁ ଲୋକଙ୍କ କୁଅ, ନଳକୂପ ଶୁଖିଯାଉଛି । ଏଣୁ ନିୟମ ଅନୁସାରେ ପ୍ରତିବର୍ଷ ବନ୍ୟା ପରେ ରିପ୍ଲେନିସ୍‌ମେଣ୍ଟ ଷ୍ଟଡି ପରିବେଶ ଅନୁଧ୍ୟାନ କରି ବାଲିଘାଟ ନିଲାମ କରିବାକୁ ଲୋକେ ଯୁକ୍ତି ବାଢିଛନ୍ତି । ତେବେ ଏହି ଟିମ୍‌ର ଅନୁଧ୍ୟାନ ନେଇ ସନ୍ତୋଷିପ୍ରଭା ଆହୁରି କହିଛନ୍ତି ଯେ ଲଘୁ ଖଣିଜ ସଂପଦ ଉତ୍ତୋଳନ ପାଇଁ ଥିବା ନିୟମ ଅନୁସାରେ ସବୁ କାର୍ଯ୍ୟରେ ସଂପାଦନ ହେବ । ଏଯାଏଁ ଘାଟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ବୋଲି ସେ କହିଛନ୍ତି । ଆନନ୍ଦପୁର ଅଂଚଳରେ ବାଲିଘାଟକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଛି । ପଞ୍ଚାୟତର ଜଣେ ବ୍ୟକ୍ତି ପୂର୍ବରୁ ବାଲିଘାଟ ନିଲାମ ନେଇଥିଲେ । ୨୦୨୨ ମାର୍ଚ୍ଚ ୩୧ ରୁ ତାଙ୍କ ନିଲାମ ଅବଧି ସରିଥିଲେ ବି ସେ ବେଆଇନ୍ ଭାବେ ବାଲି ଉଠାଇ ଚାଲିଛନ୍ତି । ଏ ନେଇ ଆନନ୍ଦପୁରର ଅନେକ ଲୋକ ଧାମନଗର ତହସିଲଦାର, ଭଦ୍ରକ ଉପଜିଲାପାଳ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଜଣାଇ ଆସିଛନ୍ତି । ମାତ୍ର ପଦକ୍ଷେପ ହେଉନଥିବାରୁ ବେଆଇନ୍ ଭାବେ ସଂପୃକ୍ତ ବ୍ୟକ୍ତି ବାଲି ଉତ୍ତୋଳନ କରୁଥିବାର ଅଭିଯୋଗ ହେଉଥିଲା । ଧାମନଗର ତହସିଲ ଅଫିସର ସୂଚନା ଅନୁସାରେ ଉତ୍ତେଇପୁର ବାଲିଘାଟ ନିଲାମ ୨୦୧୭ ରେ ହୋଇଥିଲା । ହେଲେ ମାଇନିଂ ପ୍ଲାନ୍ ଓ ପରିବେଶ ଅନୁମତି ବିଳମ୍ବରେ ମିଳିବାରୁ ବାଲି ଉତ୍ତୋଳନ ଲାଗି ୨୦୧୯ ଡିସେମ୍ବରରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏଣୁ ବାଲିଘାଟର ନିଲାମ ଅବଧି ୨୦୨୪ ଯାଏ ରହିଛି । ହେଲେ ୨୦୨୨ ମାର୍ଚ୍ଚ ୩୧ ରେ ଘାଟର ସିଟିଓ ଅବଧି ଶେଷ ହୋଇଛି । ସେହିପରି ୨୦୨୨ ଆର୍ଥିକ ବର୍ଷ ଯାଏ ୪ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ବାକି ରହିଥିବାର କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.