Home ଜିଲ୍ଲା ପରିକ୍ରମା ଆଦିବାସୀ ମହିଳା ମାମୁନିର ଶିଶୁକନ୍ୟା ଚୋରି ପ୍ରସଙ୍ଗ, ଶେଷରେ ଚୋରଣୀକୁ ଧରିଲା ସହରାଂଚଳ ଥାନା ପୁଲିସ୍

ଆଦିବାସୀ ମହିଳା ମାମୁନିର ଶିଶୁକନ୍ୟା ଚୋରି ପ୍ରସଙ୍ଗ, ଶେଷରେ ଚୋରଣୀକୁ ଧରିଲା ସହରାଂଚଳ ଥାନା ପୁଲିସ୍

17

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶେଷରେ ଭଦ୍ରକର ବହୁ ଚର୍ଚ୍ଚିତ ଆଦିବାସୀ ମହିଳା ମାମୁନି ମୁଣ୍ଡାର ଚୋରି ହୋଇଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି ସହରାଂଚଳ ଥାନା ପୁଲିସ୍‌। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ମଉଦା ଗ୍ରାମନିବାସୀ ବିବାହିତା ମହିଳା ଆସନ ପ୍ରସବା ମାମୁନି ମୁଣ୍ଡା (୧୯) ଗତ ୪ ତାରିଖରେ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଆଧାର ନମ୍ବରରେ ମୋବାଇଲ୍ ନମ୍ବର ସଂଯୋଗ ନିମନ୍ତେ ଭଦ୍ରକ ମୁଖ୍ୟ ଡାକଘରକୁ ଆସି ପ୍ରସବ ଯନ୍ତ୍ରଣା ଅତ୍ୟଧିକ ହେବାରୁ ଘରକୁ ନଫେରିପାରି ରାତି ୧୨ଟାରେ ଏକ ଦୋକାନ ବାରଣ୍ଡାରେ ଜଣେ ଅଜଣା ମହିଳାଙ୍କ ସହାୟତାରେ ଶିଶୁକନ୍ୟାଟିଏ ଜନ୍ମ କରିଥିଲା। ପରବର୍ତୀ ଭୋର୍ ୪ଟା ସମୟରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ ତାକୁ ଭଦ୍ରକର ମାତୃ ଶିଶୁ ବିଭାଗ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ମାମୁନିର ସ୍ୱାସ୍ଥ୍ୟବସ୍ଥାର ଗମ୍ଭୀରତାକୁ ଲକ୍ଷ୍ୟକରି କଟକ ସ୍ଥାନାନ୍ତର କରିଥିଲେ। ଅଜଣା ମହିଳା ଜଣକ ମାମୁନି ସହ କଟକ ଡାକ୍ତରଖାନାରେ ରହିବା ପରେ ରବିବାର ଦିନ ଡିସ୍‌ଚାର୍ଜ ହୋଇ ଟ୍ରେନ୍ ଯୋଗେ ଭଦ୍ରକ ଫେରିଥିଲେ। ମାତ୍ର ଚରମ୍ପା ଷ୍ଟେସନରେ ଓହ୍ଲାଇ ଏକ ଟ୍ରଲି ଯୋଗେ ଭଦ୍ରକର ବନ୍ତ ଛକ ଆସୁଥିବାବେଳେ ସଂପୃକ୍ତ ମହିଳା ଅସୁସ୍ଥ ମାମୁନିକୁ ରାସ୍ତାପାଶ୍ୱର୍ରେ ବସାଇ ପରିସ୍ରା କରିବା ବାହାନାରେ ନବଜାତ ଶିଶୁଟିକୁ ନେଇ ଫେରାର ହୋଇଯାଇଥିଲା। ବହୁ ସମୟ ଅପେକ୍ଷା କରିବା ପରେ ମାମୁନି ନିଜର ନବଜାତ କନ୍ୟା ସହ ମହିଳାକୁ ନପାଇ ପୋଷ୍ଟ ଅଫିସ୍ ଛକକୁ ଆସି ଖୋଜାଖୋଜି କରିବା ମଧ୍ୟରେ ତାକୁ ଅସହାୟ ମହିଳା ଆଶ୍ରୟସ୍ଥଳ ସଖୀ ୱାନଷ୍ଟପ୍ ସେଂଟରରେ ରଖାଯାଇ କାଉନ୍‌ସେଲିଂ ପରେ ଶିଶୁ ସୁରକ୍ଷା ସମିତି ସହଯୋଗରେ ଟାଉନ୍ ଥାନାରେ ଅଭିଯୋଗ କରାଯାଇଥିଲା। ଫଳରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଙ୍କ ନେତୃଥ୍ୱରେ ସହରାଂଚଳ ଥାନା ପୁଲିସ୍ ଅନୁସନ୍ଧାନ କରି ଶିଶୁକନ୍ୟା ସହ ମହିଳା ଭାନୁ ବିନ୍ଧାଣିଙ୍କୁ ସ୍ଥାନୀୟ ନୂଆବଜାର ଅଂଚଳରୁ ଠାବ କରି ଥାନାକୁ ଆଣିଥିଲେ। ତେବେ ଭାନୁ ଶିଶୁକନ୍ୟାଟି ମାମୁନି ନିକଟରେ ସୁରକ୍ଷିତ ନଥିବାରୁ ସେ ପାଳିବାକୁ ନେଇଯାଇଥିଲେ ବୋଲି କହି ସେ କାହାରିକୁ ନଜଣାଇ ଏଭଳି କରିଥିବାରୁ ନିଜର ଭୁଲ୍ ସ୍ୱୀକାର କରିଛି। କିନ୍ତୁ କେଉଁ ପରିସ୍ଥିତିରେ ଶିକନ୍ୟାକୁ ଭାନୁ ଅପହରଣ କରିଥିଲା, ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ। ଅନ୍ୟପକ୍ଷରେ ଶିଶୁମଙ୍ଗଳ କମିଟି ଏହି ଘଟଣାରେ ହସ୍ତକ୍ଷେପ କରିଛି। ‘ଶିଶୁକନ୍ୟା ଉଦ୍ଧାର ହେବା ପରେ ଆମେ ଉଭୟ ମା’ଓ ଶିଶୁକୁ ମୁଖ୍ୟ ଚିକିତ୍ସାଳୟର ମାତୃଶିଶୁ ଯତ୍ନ କେନ୍ଦ୍ରରେ ଭର୍ତି କରିଛୁ। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପରବର୍ତୀ ପଦକ୍ଷେପ ନିଆଯିବ’ ବୋଲି କହିଛନ୍ତି ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଡା.ଦେବରାଜ ପାଣିଗ୍ରାହୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.