ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ସୟା ପଞ୍ଚାୟତ ଅଧୀନ ବାଲିଚତୁରୀ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ନିଆଯାଇ ଅନୁଦାନ ଯୋଗାଇ ଦିଆଯାଇଛି। ଏହି ଆଦର୍ଶ ଗ୍ରାମର କାର୍ଯ୍ୟକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉପୁଜିଛି। ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ୧୫ଜଣ ଆହତ ହୋଇଥିବା ଜଣାଯାଇଛି। ଏହାକୁ ନେଇ ଥାନାରେ ଉଭୟ ପକ୍ଷରୁ ୨ଟି ଏତଲା ଦିଆଯାଇଛି। ଆହତମାନେ ହେଲେ ବାଲିଚତୁରି ଗ୍ରାମର ସୁରେନ୍ଦ୍ର ମଳିକ, କମଳିନୀ ମଳିକ, ଚିତ୍ତରଂଜନ ମଳିକ, ଅନିଅ ମଳିକ, ଶ୍ରୀନାଥ ମଳିକ, ପୁଷ୍ପାରାଣୀ ମଳିକ, କାଳନ୍ଦୀ ଦାସ, ଛବିରାଣୀ ଦାସ, ମମତା ଦାସ, ପ୍ରମିଳା ଦାସ ପ୍ରମୁଖ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏତଲାର ତଦନ୍ତ କରୁଥିବା ଜଣାପଡ଼ିଛି। ପ୍ରକାଶ ଯେ, ବାଲିଚତୁରୀ ଗ୍ରାମ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ୨୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏହି ଆଦର୍ଶଗ୍ରମାର କାର୍ଯ୍ୟକୁ କରିବା ପାଇଁ ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ଛକ୍କା ପଞ୍ଝା ଚାଲି ଶେଷରେ ଗଣ୍ଡଗୋଳର ରୂପ ନେଇଛି। ବୁଧବାର ଗ୍ରାମରେ ଗୋଟିଏ ଗୋଷ୍ଠୀ କାର୍ଯ୍ୟ କରୁଥବା ବେଳେ ସେହି ଗ୍ରାମର ଅନ୍ୟ ଏକ ଗୋଷ୍ଠୀ କାମ କରିବା ପାଇଁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜି ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ କାମ କରୁଥିବା ଗୋଷ୍ଠୀକୁ କାମ ବନ୍ଦ କରିବା ପାଇଁ କହିଥିଲେ। ଏହି ଆଦର୍ଶ ଗ୍ରାମର କାର୍ଯ୍ୟ କରିବାକୁ ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟ ମାମଲାର ବିଚାର କରି ଚୁଡ଼ାନ୍ତ ନିଷ୍ପତ୍ତି ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଏହି ମାମଲାର ବିଚାର କରି ସରପଞ୍ଚଙ୍କୁ ମୁଖ୍ୟ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।