Home ଜିଲ୍ଲା ପରିକ୍ରମା ଆତ୍ମଘୋଷିତ ଶିକ୍ଷକନେତାଙ୍କ ବିରୋଧରେ ମାମଲା ଋଜୁ

ଆତ୍ମଘୋଷିତ ଶିକ୍ଷକନେତାଙ୍କ ବିରୋଧରେ ମାମଲା ଋଜୁ

12

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ତୁଳପଦୀ ସେବାଶ୍ରମ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ରତ୍ନାକର ହେମ୍ବ୍ରମଙ୍କୁ ଚାନ୍ଦା ମାଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଆତ୍ମଘୋଷିତ ଶିକ୍ଷକନେତା ପଙ୍କଜ କୁମାର ବେହେରାଙ୍କ ନାମରେ ପୁଲିସ ମାମଲା ଋଜୁ କରିଛି । ଗତ ଫେବୃୟାରୀ ୧୨ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକ ଶ୍ରୀ ହେମ୍ବ୍ରମଙ୍କୁ ପଙ୍କଜ ବେହେରା ଜୀବନରୁ ମାରିଦେବା ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏଥିନେଇ ଜିଳ୍ଲା ପୁଲିସ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଭଦ୍ରକ ଟାଉନଥାନା ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦେବାକୁ ପୁଲିସ ଅଧିକ୍ଷକ ନିର୍ଦ୍ଦେଶ ଦେଇଥିଲେ । ଗତ ୨୨ ତାରିଖରେ ରିପୋର୍ଟ ମିଳିବା ପରେ ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଶ୍ରୀ ବେହେରାଙ୍କ ନାମରେ ୧୮୭/୨୧ ନଂ ମାମଲା ଟାଉନଥାନାରେ ଋଜୁ ହୋଇଛି । ବିବରଣୀରୁ ପ୍ରକାଶ ଯେ ଶିକ୍ଷକ ସଙ୍ଗଠନର ତଥାକଥିତ ସଭାପତି ପଙ୍କଜ କୁମାର ବେହେରାଙ୍କ ପ୍ରରୋଚନାରେ ସ୍ୱଳ୍ପଦିନ ପାଇଁ ଅବସ୍ଥାପିତ ହୋଇଥିବା ନିର୍ଯ୍ୟାତିତ ଶିକ୍ଷକ ରତ୍ନାକର ହେମ୍ବ୍ରମଙ୍କୁ ଦହିପାଣିଆ ଉଚ୍ଚବିଦ୍ୟାଳୟରୁ କୋଭିଡ ଲକଡାଉନ ସମୟରେ ଡଗରପଡା ସେବାଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଥିଲା ।

ଆବଶ୍ୟକୀୟ କାଗଜପତ୍ର ଆସିନଥିବାରୁ ତିନି ମାସ ଦରମା ପାଇନଥିବା ବେଳେ ଶ୍ରୀ ହେମ୍ରମଙ୍କ ଠାରୁ କାର୍ଯ୍ୟାଳୟର ଜନୈକ ସହାୟିକା ଆଠଶହ ଟଙ୍କା ଉତ୍କୋଚ ନେଇ ଦରମା ପ୍ରଦାନ କରିଥିଲେ । ଏଥିନେଇ ଶ୍ରୀ ହେମ୍ବ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏଥିନେଇ ଶ୍ରୀ ହେମ୍ବ୍ରମଙ୍କୁ ସର୍ବସମ୍ମୁଖରେ ଗାଳିଗୁଲଜ କରିଥିଲେ । କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟପାଇଁ ପଙ୍କଜ ବେହେରା ବାରମ୍ବାର ଅର୍ଥ ଦାବି କରୁଥିବା ଘଟଣା ସମ୍ପର୍କରେ ମଧ୍ୟ ଜିଲ୍ଲା ଅଧିକାରୀଙ୍କୁ ଜଣାଇଥିଲେ । ସମାଜ ମଙ୍ଗଳ ଅଧିକାରୀ ଉଭୟ ଶ୍ରୀ ହେମ୍ବ୍ରମ ଓ ଶ୍ରୀ ବେହେରାଙ୍କୁ ଆଲୋଚନା ପାଇଁ ଡକାଇଥିଲେ । ସେଠାରେ ହେଲେ ଫଳ ଓଲଟା ହୋଇଥିଲା । ପଙ୍କଜ ବେହେରା ଧମକ ଚମକ ଦେଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । କାର୍ଯ୍ୟାଳୟ ସହାୟିକା ଓ ଆତ୍ମଘୋଷିତ ଶିକ୍ଷକ ସଙ୍ଗଠନ ସଭାପତି ବାରମ୍ବାର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଏ ସମ୍ପର୍କରେ ନିର୍ଯ୍ୟାତିକ ଶିକ୍ଷକ ସମସ୍ତ ଘଟଣା ସମ୍ପର୍କରେ ଶ୍ରୀ ହେମ୍ବ୍ରମ ଜିଲ୍ଲାପାଳ, ଅନୁସୂଚୀତ ଜାତି ଜନଜାତି ସଚିବ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପ୍ରତିକାର ଲୋଡିଥିଲେ । ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଥିଲା । ଏବେ ମାମଲା ଋଜୁ ହୋଇଥିବା ବେଳେ ଅଭିଯୁକ୍ତ ଶ୍ରୀ ବେହେରାଙ୍କୁ ଗିରଫ ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.