Home Top News ଆଜି ଶ୍ରୀଜୀଉଙ୍କର ରଥଯାତ୍ରା, ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, କିନ୍ତୁ ଭକ୍ତ ଶୂନ୍ୟ ବଡ଼ଦାଣ୍ଡ –...

ଆଜି ଶ୍ରୀଜୀଉଙ୍କର ରଥଯାତ୍ରା, ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, କିନ୍ତୁ ଭକ୍ତ ଶୂନ୍ୟ ବଡ଼ଦାଣ୍ଡ – କୋଭିଡ୍ ନିୟମରେ ଦ୍ୱିତୀୟଥର ପାଇଁ ପାଳନ ହେବ ରଥଯାତ୍ରା

298

ପୁରୀ ୧୨-୭ (ଓଡ଼ିଆ ପୁଅ) ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା। ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ। ଆଜ୍ଞାମାଳ ବିଜେ ଅନୁଷ୍ଠିତ ହୋଇଯାଇଛି। ସକାଳ ଧୂପ ବଢିଲାପରେ ତିନି ବାଡ଼ରୁ ଶ୍ରୀଅଙ୍ଗ ଆଜ୍ଞାମାଳ ପଟୁଆରରେ ରଥଖଳାକୁ ନିଆଯାଇ ରଥ ମାନଙ୍କରେ ଲାଗି ହେବା ପରେ ସେବାୟତମାନଙ୍କ ଦ୍ଵାରା ଟଣା ହୋଇ ତିନି ରଥ ସିଂହଦ୍ଵାର ସମ୍ମୁଖରେ ଲାଗିସାରିଛନ୍ତି।
ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥତ୍ରୟ ଏବେ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛନ୍ତି। ନେଇଯିବେ କାଳିଆ ଠାକୁରଙ୍କୁ ଗୁଣ୍ଡିଚା ଘରକୁ। ତେବେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଟଣା ଯାଇ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶ୍ରୀଗୁଣ୍ଡିଚା ମନ୍ଦିର ମୁହାଁ କରି ରଖାଯାଇଛି।

ବିନା ଭକ୍ତରେ ଏ ବର୍ଷ ଗତବର୍ଷ ପରି ହେବ ଘୋଷ ଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଦିଅଁ।
ତେବେ ପ୍ରଶାସନ ପକ୍ଷରୁ ଏ ନେଇ ନୀତି ନିର୍ଘଣ୍ଟ ହୋଇଛି।
ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ସକାଳ ୫ଟାରେ ମଇଲମ, ତଡ଼ପଲାଗି, ରୋଷହୋମ ନୀତି ସମ୍ପନ୍ନ ହୋଇଛି। ସକାଳ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ବାରପାଳ ପୂଜା ହୋଇ ବେଶ‌ ଶେଷ ହୋଇଛି। ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ପରେ ସକାଳ ୮ଟାରେ ରଥ ପ୍ରତିଷ୍ଠା ହେବ। ୮ଟା ୧୫ରେ ମଙ୍ଗଳାର୍ପଣ ହୋଇ ସାଢ଼େ ୮ଟା‌ରେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ରଥରେ ବିଜେ କରିବେ। ସାଢ଼େ ୧୧ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ଭିତରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ରଥକୁ ବିଜେ କରିବେ। ସାଢ଼େ ୧୨ଟାରୁ ଅପରାହ୍ଣ ଗୋଟାଏ ଭିତରେ ଚିତା ଲାଗି ନୀତି ସହ ସାଢ଼େ ୧୨ଟାରେ ବେଶ ଶେଷ ପରେ ୧୨ଟା ୪୫ରୁ ଅପରାହ୍ଣ ୨ଟା ଭିତରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ହେବ। ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହେବ।

ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ବଡଦାଣ୍ଡକୁ ସମ୍ପୂର୍ଣ ବିଶୋଧନ ବା ସାନିଟାଇଜ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ ଭକ୍ତମାନେ ଯେଭଳି ବଡ଼ଦାଣ୍ଡକୁ ଆସିବେ ନାହିଁ ସେଥିପାଇଁ ଗଳିକନ୍ଦିରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଯେଭଳି ନିଜ ଛାତ ଓ ବାଲକୋନୀକୁ ଯିବେ ନାହିଁ, ତା ଉପରେ ମଧ୍ୟ ପୁଲିସ୍ ପ୍ରଶାସନର ନଜର ରହିବ। କରୋନା କାଳରେ ହେଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରାରେ ଗତବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଲାଗିଛି। ତେଣୁ ଘରେ ରହି ଟିଭି କିମ୍ବା ଡିଜିଟାଲ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.