Home ଜିଲ୍ଲା ପରିକ୍ରମା ଆଜିର ଯୁଗରେ ମାନବିକତା ହଜିଯାଉଥିବାବେଳେ ‘ଭଦ୍ରକ ସେବା ଗ୍ରୁପ୍‌’ର ମହାନତା,ପାଗଳ ଓ ଅସହାୟଙ୍କ ମୁହଁରେ ହସ...

ଆଜିର ଯୁଗରେ ମାନବିକତା ହଜିଯାଉଥିବାବେଳେ ‘ଭଦ୍ରକ ସେବା ଗ୍ରୁପ୍‌’ର ମହାନତା,ପାଗଳ ଓ ଅସହାୟଙ୍କ ମୁହଁରେ ହସ ଫୁଟାଇ ଆମ ପାଇଁ ଉଦାହରଣ ପାଳଟିଛନ୍ତି ସେବକମାନେ

31

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -‘ମାନବ ସେବା ହିଁ ମାଧବ ସେବା।’ ଏହି ଉକ୍ତିଟିକୁ କେବଳ କଥାରେ ନୁହେଁ କି ବାକ୍ୟରେ ନୁହେଁ କାର୍ଯ୍ୟରେ କରି ଦେଖାଉଛନ୍ତି ଏହି ଜିଲାର ‘ଭଦ୍ରକ ସେବା ଗ୍ରୁପ୍‌’ ର ସଦସ୍ୟମାନେ। ସବୁଠାରୁ ବିସ୍ମୟର କଥା ଏହି ଗ୍ରୁପ୍‌ର ସମସ୍ତ ସଦସ୍ୟ ଗରିବ। ଏମାନଙ୍କ ମଧ୍ୟରେ କିଏ କାଠ ମିସ୍ତ୍ରୀ ତ, କିଏ ପରିବା ବିକାଳୀ। ଆଉ କିଏ ଲୁଗା ଦୋକାନରେ କାମ କରେ ତ, ଆଉ କିଏ କୋଠାବାଡି ଶ୍ରମିକ ଭାବେ ପରିବାର ପ୍ରତିପୋଷଣ କରି ଗୁଜୁରାଣ ମେଂଟାଇଥାଏ। ଏହି ଗ୍ରୁପ୍‌ର ସଭାପତି ଅଛନ୍ତି ଦେବେନ୍ଦ୍ର ବେହେରା। ସେ ପେଶାରେ ଜଣେ କାଠ ମିସ୍ତ୍ରୀ। କିନ୍ତୁ ଆଜିର ଅବକ୍ଷୟମୁଖୀ ସମାଜରେ ମଣିଷ ମଧ୍ୟରୁ ସ୍ନେହ, ସେବା, ଭାତୃତ୍ୱ ଭଳି ଭାଇଚାରା ଲୋପ ପାଇଯାଉଥିବାବେଳେ ଏହି ଗ୍ରୁପ୍‌ର ସଦସ୍ୟମାନେ ରାସ୍ତାରେ ଘୂରି ବୁଲୁଥିବା ଜିଲା ତଥା ଅନ୍ୟ ରାଜ୍ୟର ମାନସିକ ବିକାରଗ୍ରସ୍ତ (ପାଗଳ), ଅନ୍ଧ ଓ ବିକଳାଙ୍ଗ ଲୋକଙ୍କ ସେବା ପାଇଁ ସହଯୋଗର ହାତ ବଢାଇ ଚାଲିଛନ୍ତି। ଏମାନେ ସମସ୍ତେ ନିଜର ମାସିକ ଆୟରୁ କିଛି କାଟି ମାସ ଶେଷ ରବିବାର ଦିନ ପୂର୍ବରୁ ଚିହ୍ନଟ କରିଥିବା ଜିଲାର ବିଭିନ୍ନ ସ୍ଥାନର ଉପରୋକ୍ତ ଲୋକଙ୍କୁ ସେବା ଯୋଗାଇଥାନ୍ତି। ନିକଟରେ ବନ୍ତ ବ୍ଲକ୍‌ରେ ଜଣେ ଭିନ୍ନକ୍ଷମ ଯୁବକର ପତ୍ନୀ ତାକୁ ଛାଡି ଚାଲିଯାଇଥିବାବେଳେ ସେ ନିଜର ଅସହାୟ ବୃଦ୍ଧା ମା’ ସହ ଭଂଗା ଚାଳଛପର ଘରେ ରହୁଥିବାର ଖବର ପାଇ ଏହି ଗ୍ରୁପ୍‌ଟି ସେଠାରେ ପହଂଚି ‘ମୋ ଘର ମନ୍ଦିର’ ନାମରେ ନାମିତ କରିଥିବା ଯୋଜନାର ରୂପରେଖ ଦେଇଥିଲେ। ସେମାନେ ଏହି ଅସହାୟ ପରିବାର ମୁହଁରେ ଦୁଇମୁଠା ଖାଇବାକୁ ଦେଇ ତାର ଭଂଗା ଘରଟିକୁ ତିଆରି କରିଥିଲେ। ସେହିଭଳି ଅନ୍ୟ ରାଜ୍ୟରେ ଜଣେ ପାଗଳର ସେବା କରି ତାହାର ଫଟୋ ଫେସ୍‌ବୁକ୍‌ରେ ଭାଇରାଲ କରିବା ପରେ ତାର ପରିବାର ଲୋକେ ହଜିଯାଇଥିବା ନିଜର ସଂପର୍କୀୟଙ୍କୁ ଘରକୁ ନେଇଥିବାର ଜଣାପଡିଛି। ଯାହା ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସେହିଭଳି ଏହି ଗ୍ରୁପ୍‌ଟି ଦରିଦ୍ର ଲୋକଙ୍କ ମୁହଁରେ ଦାନା ଦେବା ପାଇଁ ‘ଶାନ୍ତି ଅନ୍ନ’ ନାମକ ଯୋଜନାରେ ପ୍ରତିଦିନ ଚିହ୍ନଟ କରିଥିବା ବନ୍ତଛକ, ଚରମ୍ପା ଓ ବାଇପାସ ଭଳି ଅଂଚଳର ୮ ଜଣ ଅନ୍ଧ ଓ ବିକଳାଙ୍ଗ ଲୋକଙ୍କୁ ପ୍ରତିଦିନ ଖାଇବାକୁ ଦେଇ ଆସୁଛନ୍ତି। ଏହି ଗ୍ରୁପ୍‌ଟିକୁ ଏହି ଯୁବକମାନେ ୨୦୨୧ ମସିହା ମଇ ୨୩ ତାରିଖରେ ପ୍ରତିଷ୍ଠା କରି ଏହି ସେବା ଯୋଗାଇ ଆସୁଥିବାବେଳେ ଦୁଇବର୍ଷ ହେବ ଅପରେସନ ମୁକ୍ତି ନାମକ ଯୋଜନାରେ ବିଭିନ୍ନ ଅଂଚଳରେ ଅର୍ଦ୍ଧ ଉଳଗ୍ନ ଓ ଉଦ୍‌ଭ୍ରାନ୍ତ ଅବସ୍ଥାରେ ଘୂରି ବୁଲୁଥିବା ଲୋକଙ୍କୁ ମାସ ଶେଷ ରବିବାର ଦିନ ଚିହ୍ନଟ କରି ସେମାନଙ୍କ ବାଳ କାଟି ପରିଷ୍କାର ପରିଚ୍ଛନ୍ନ କରାଇ ଗାଧୋଇ ଦେବା ପରେ ନୂତନ ବସ୍ତ୍ର ଓ ଜୋତା ପରିଧାନ କରାଇ ଖାଇବାକୁ ଦେଇଥାନ୍ତି। ଏହିଭଳି ଏକ ଦୃଶ୍ୟ ଆଜି ଏ ପ୍ରତିନିଧିର ଆଖିରେ ପଡିଥିଲା। ଆଜି ଭଦ୍ରକ ସହରରେ ମାସ ଶେଷ ରବିବାର ଥିବାରୁ ଦୋକାନ ବଜାର ବନ୍ଦ ରହିଥିବାବେଳେ କିଛିଦିନ ହେବ ଘୂରି ବୁଲୁଥିବା ମାଲିକ୍ ନାମକ ଜଣେ ଅର୍ଦ୍ଧ ଉଲଗ୍ନ ଯୁବକକୁ ଏହି ଗ୍ରୁପ୍‌ର ଯୁବକମାନେ ଟାଉନ୍‌ହଲ ଛକ ନିକଟ ଉପଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ପରିଷ୍କାର ପରିଚ୍ଛନ୍ନ କରାଇ ନଖ ଓ ବାଳ କାଟି ନୂତନ ବସ୍ତ୍ର ପରିଧାନ କରାଇ ଖାଇବାକୁ ଦେଇଥିଲେ। ଯାହା ଆଜିର ସମାଜରେ ନିଜ ପାଇଁ କୋଟି କୋଟି ଟଙ୍କା ଉପାର୍ଜନ କରୁଥିବା ବ୍ୟକ୍ତିବିଶେଷଙ୍କ ମୁହଁରେ ଏକ ଶକ୍ତ ଚାପୁଡା ବୋଲି ମନେ ହୁଏ। ପ୍ରତିବର୍ଷ ଫେବୃୟାରୀ ମାସ ଶେଷ ସପ୍ତାହରେ ଏହି ଗ୍ରୁପ୍‌ର ଲୋକମାନେ ‘ମୁଁ ଦେବି ରକ୍ତ’ ଯୋଜନାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ରେଡ୍‌କ୍ରସ୍‌କୁ ରକ୍ତଦାନ କରିଥାନ୍ତି ବୋଲି କହିଛନ୍ତି ଗ୍ରୁପ୍‌ର ଆଗଧାଡିର ସେବକ କମଳାକାନ୍ତ ସାହୁ। ଏଣୁ ଆଜି ଯେତେବେଳେ ମଣିଷ ହୃଦୟରୁ ମାନବିକତା ହଜିଯାଉଛି, ସେତେବେଳେ ଏହି ଗରିବ ଯୁବକମାନେ ଗରିବଙ୍କ ମୁହଁରେ ହସ ଫୁଟାଇବାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି, ତାହା ସମସ୍ତଙ୍କ ପାଇଁ ଉଦାହରଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.