ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏ ୨୧ଦିନ ଧରି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରଯ୍ଯାୟରେ ପହଁଚିଛି । ଦୈନନ୍ଦିନ ନୀତିନୀର୍ଘଂଟ ଅନୁଯାୟୀ ଭୋର ୫ଟାରେ ମଣିବାବାଙ୍କ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ଚନ୍ଦନ ନୀତି ଆରମ୍ଭ ହେବ । ମଧ୍ଯାହ୍ନ ଧୂପ ଉଠିବା ପରେ ୧ଘଂଟା ଅବକାଶ(ଶୟନ) ନୀତି କରାଯାଇ ମଣିବାବାଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ଏକ ସୁସଜିତ ବିମାନରେ ବିଜେ କରାଯାଇ ଘଂଟାକିର୍ତନ ସହ ଶିବଗଙ୍ଗା ପୁଷ୍କରିଣୀକୂଳ ଚନ୍ଦନମଣ୍ଡପକୁ ବିଜେ କରାଯିବ । ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଚନ୍ଦନଲାଗି ହେବା ସହିତ ଶୋଡଷ ଉପଚାରପୂଜା, ହୋମ ଆଦି ସମ୍ପନ୍ନ ହେବା ପରେ ୨ଟି ଡଙ୍ଗାରେ ପ୍ରସ୍ତୁତ ଚାପଡଙ୍ଗାରେ ହରଗୌରୀଙ୍କୁ ବିଜେ କରାଯାଇ ଶିବଗଙ୍ଗା ପୁଷ୍କରିଣୀରେ ନାବକେଳୀ କରାଯିବ । ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିଯାଇଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ଯାଧର ପଲାଇ କହିଛନ୍ତି ।








