ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜାଦ ଧୂଷୁରୀ ପ୍ରତିଷ୍ଠାର ୮୩ ତମ ସ୍ମାରକୀ ଦିବସ ଏବଂ ଧୂଷୁରୀ ବରିଷ୍ଠ ନାଗରିକ ମଂଚର ଅଷ୍ଟମ ବାର୍ଷିକ ଉତ୍ସବ ଗୁରୁବାର ପୂଜ୍ୟ ପୂଜା ସଂସଦ ପରିସର ରେ ପାଳିତ ହୋଇଯାଇଛି।ବରିଷ୍ଠ ନାଗରିକ ମଂଚର ସଭାପତି ବର୍ଷିଆନ କୃଷକ ନେତା ଚନ୍ଦ୍ରଶେଖର ନାୟକ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଏବଂ ବେଦ ପୀୟୂଷର ସମ୍ପାଦକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।ପ୍ରାକ ସ୍ୱାଧୀନତା ପୂର୍ବରୁ ୧୯୪୨ ମସିହା ଅଗଷ୍ଟ ୨୮ ତାରିଖ ଦିନ ବ୍ରିଟିଶ ଶାସନ ବିରୋଧରେ ସ୍ଥାନୀୟ ମୁକ୍ତିକାମୀ ଜନତା ମେଳି ହୋଇ ଧୂଷୁରୀ କୁ ଆଜାଦ ଘୋଷଣା କରିବା ଏମାଟିର ସ୍ୱାଧୀନ ଚିନ୍ତା ଓ ଚେତନାର ପ୍ରମାଣ ଯାହା ସ୍ମରଣୀୟ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ଏବଂ ବରିଷ୍ଠ ନାଗରିକ ମାନେ ଆମ ସମାଜର ମାର୍ଗଦର୍ଶକ ଅଟନ୍ତି ବୋଲି କହିଥିଲେ।ବିଶିଷ୍ଟ ଅଭିନେତା ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ବରିଷ୍ଠ ନାଗରିକ ମଂଚର ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି,ଜିଲ୍ଲା ସମ୍ପାଦକ କୈଳାସ ମହାପାତ୍ର,ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ,ବରିଷ୍ଠ ବିଜେପି ନେତା ଚତୃଭୂଜ ନାୟକ,ସରପଂଚ ଅନ୍ତର୍ଯ୍ୟାମୀ ପତି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ବର୍ଷିଆନ ଶିକ୍ଷାବିତ ବାବାଜୀ ଚରଣ ପଣ୍ଡା,ଅକ୍ଷୟ କୁମାର ଗୋସ୍ୱାମୀ ଓ ବିରେନ୍ଦ୍ର କୁମାର ଆରଣ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ ସଭା ସଂଚାଳନ କରିଥିଲେ।ପଣ୍ଡିତ ଧୀରେନ୍ଦ୍ର କୁମାର ପତିଶର୍ମା ବେଦପାଠ କରିଥିଲେ ଏବଂ ପଣ୍ଡିତ ନୃସିଂହ ଚରଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଦୁର୍ଯ୍ୟୋଧନ ତରାଇ ବିବରଣୀ ପ୍ରଦାନ କରିଥିଲେ।କ୍ଷୀରୋଦ କୁମାର ଧଳ ଧନ୍ୟବାଦ ଦେଇଥିଲେ।ସକାଳେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅତିଥି ଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା।








