Home ଜିଲ୍ଲା ପରିକ୍ରମା ଆଗକୁ ଅଛି ମ୍ୟାଟ୍ରିକ୍ ପରୀକ୍ଷା, ପରୀକ୍ଷା ସମୟରେ ଯାତ୍ରାଭିନୟ ଓ ଯଜ୍ଞ କାର୍ଯ୍ୟକ୍ରମର ତାରିଖ ଘୁଂଚାଇବାକୁ...

ଆଗକୁ ଅଛି ମ୍ୟାଟ୍ରିକ୍ ପରୀକ୍ଷା, ପରୀକ୍ଷା ସମୟରେ ଯାତ୍ରାଭିନୟ ଓ ଯଜ୍ଞ କାର୍ଯ୍ୟକ୍ରମର ତାରିଖ ଘୁଂଚାଇବାକୁ ଜିଲାପାଳଙ୍କୁ ନିବେଦନ

1

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ (ମ୍ୟାଟ୍ରିକ୍‌) ପରୀକ୍ଷ ସମୟରେ କୌଣସି ଯାତ୍ରାଭିନୟ ଓ ମାଇକ୍ ଦ୍ୱାରା ପୂଜାପାର୍ବଣର ଉତ୍କଟ ଶବ୍ଦ ନକରିବାକୁ ସରକାରଙ୍କ ପକ୍ଷରୁ କଡା କଟକଣା ଜାରି ହୋଇଥିବା ସତ୍ୱେ ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ହରିପୁରବିନ୍ଧା ଗ୍ରାମରେ ବେଆଇନ୍ ଭାବେ ଯଜ୍ଞ ଓ ଯାତ୍ରାଭିନୟ ହେବାକୁ ଯାଉଛି। ତେବେ ଏହା ବିରୁଦ୍ଧରେ ଗ୍ରାମର କେତେକ ଅଭିଭାବକ ଏହା ଉପରେ ଅଂକୁଶ ଜାରି କରିବାକୁ ଆଜି ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅଭିଯୋଗ ପତ୍ରର ନକଲ ଥାନାଧିକାରୀ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି। ଏହି ଅଭିଯୋଗ ପତ୍ରରେ ଉକ୍ତ ଗ୍ରାମର ସମାଜସେବୀ ରମାକାନ୍ତ ସାମଲ, ବାବାଜୀ ଚରଣ ପରିଡା, ଅଭିଭାବକ ଇନ୍ଦ୍ରମଣି ପାତ୍ର, ତାପସ ରଂଜନ ଜେନା, ଗଣେଶ ଚନ୍ଦ୍ର ସାମଲଙ୍କ ସମେତ ପ୍ରଫୁଲ୍ଲ କୁମାର ସାହୁ ଓ ଶ୍ରୀଧର ପାତ୍ର ଭଳି ଅଭିଭାବକମାନେ ଦର୍ଶାଇଥିବା ତଥ୍ୟମୂଳେ ଆସନ୍ତା ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଯଜ୍ଞ ହେବାକୁ ଥିବାବେଳେ ୧୯ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଯାତ୍ରା କରିବାର ପ୍ରସ୍ତାବ ଗୃହିତ ହୋଇଛି। ତେବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିବ। ସେହିଭଳି ପ୍ରସ୍ତାବିତ ଯାତ୍ରାଭିନୟ ୧୯ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କରିବା ପାଇଁ କେତେକ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇ ପ୍ରଚାର ପ୍ରସାର କରାଯାଇଛି। ଏହା କରିବାକୁ ସ୍ଥାନୀୟ ପୁଲିସ୍ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଅନୁମତି ନିଆଯାଇନାହିଁ। ଆସନ୍ତା ୧୫ ତାରିଖ ଶିବରାତ୍ରି ଠାରୁ ଯଜ୍ଞର ଆୟୋଜନ କରିବା ପାଇଁ ପ୍ରସ୍ତାବ ରହିଛି। ଯାହାକି ୪ ଦିନ ଧରି ଚାଲିବ। ଉଭୟ ଯଜ୍ଞ ଓ ଯାତ୍ରାରେ ସାଉଣ୍ଡ ବକ୍ସ, ମାଇକ୍ ସହ ପରିବେଷଣ କରାଯିବ। ଏହା ହେଲେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପଢାରେ ବ୍ୟାଘାତ ସୃଷ୍ଟି ହେବ। ଏହାର ପ୍ରଭାବ କେବଳ ଉକ୍ତ ଗ୍ରାମ ନୁହେଁ, ପାଶ୍ୱର୍ବର୍ତୀ ଗ୍ରାମମାନଙ୍କରେ ଥିବା ପରୀକ୍ଷାର୍ଥୀମାନଙ୍କ ଉପରେ ମଧ୍ୟ କୁପ୍ରଭାବ ପଡି ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ଏହି ପ୍ରସ୍ତାବିତ ଯଜ୍ଞ ଓ ଯାତ୍ରାଭିନୟର ତାରିଖ ଗୁଡିକ ଘୁଂଚାଇବା ପାଇଁ ଅଭିଭାବକମାନେ ଅନୁରୋଧ କରିଥିଲେ ବି ସେମାନଙ୍କ ପ୍ରସ୍ତାବ ଗ୍ରାମରେ ହୋଇଥିବା ବୈଠକରେ ଗ୍ରହଣ କରାଗଲାନାହିଁ। ଏ ସଂପର୍କରେ ଉକ୍ତ ବୈଠକରେ କାର୍ଯ୍ୟକର୍ତାମାନେ ବହୁ ଆଗରୁ ଯାତ୍ରା କଳିଙ୍ଗ ସମ୍ରାଟ ପ୍ରଯୋଜକଙ୍କୁ ବିପିନ ବିହାରୀ ସାମଲ ଅଗ୍ରୀମ ଟଙ୍କା ଦେଇ ରସିଦ୍ ଓ ଚୁକ୍ତିନାମା କରିଛନ୍ତି ବୋଲି କୁହାଯାଇଥିଲା। ଏବେ ଗ୍ରାମର ବହୁ ଲୋକଙ୍କୁ ମୋଟା ଅଙ୍କର ଚାନ୍ଦା ପାଇଁ ମଧ୍ୟ ବାଧ୍ୟ କରାଯାଉଛି। ଏଣୁ ପ୍ରସ୍ତାବିତ ଯଜ୍ଞ ଓ ଯାତ୍ରାଭିନୟର ତାରିଖ ଘୁଂଚାନଗଲେ ପରୀକ୍ଷାର୍ଥୀମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ପରୀକ୍ଷା ସମୟରେ ଘୁଂଚାଇ ଦେବାକୁ ଅଭିଯୋଗକାରୀମାନେ ଜିଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.