Home ଜିଲ୍ଲା ପରିକ୍ରମା ଆଖୁଆପଦା ଜଳସେଚନ ଡିଭିଜନ ଭବିଷ୍ୟତକୁ ନେଇ ବିଜେପିର ପ୍ରଶ୍ନ

ଆଖୁଆପଦା ଜଳସେଚନ ଡିଭିଜନ ଭବିଷ୍ୟତକୁ ନେଇ ବିଜେପିର ପ୍ରଶ୍ନ

30

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଖୁଆପଦା ଜଳସେଚନ ଉପ ବିଭାଗକୁ ଉନ୍ନିତ କରି ଡିଭିଜନ ପ୍ରତିଷ୍ଠା ହୋଇଛି। ଏହାକୁ ୧୦ ମାସ ମଧ୍ୟ ପୂରଣ ହୋଇଛି। ମାତ୍ର ଏହି ନବଗଠିତ ଡିଭିଜନର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ବଦ୍ରୀନାରାୟଣ ଧଳ। ଗତ ୨୦୨୧ ଅଗଷ୍ଟ ୨ ତାରିଖ ଦିନ ଡିଭିଜନର ପ୍ରଥମ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କରିଥିଲେ ହେଁ ଡ୍ରଇଂ କ୍ଷମତା ପ୍ରଦାନ କରାଯାଇ ନଥିବାରୁ ଯୋଗଦେବା ଦିନ ଠାରୁ ଦରମା ପାଇନାହାନ୍ତି। ତାଙ୍କ ଅବସର ସମୟକୁ ଆଉ ମାତ୍ର ମାସେ ରହିଲା। କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ନଥିବାରୁ ସେ ମଧ୍ୟ କାର୍ଯ୍ୟାଳୟକୁ ଆସୁନଥିବା ଜଣାଯାଇଛି। ଡିଭିଜନ ପାଇଁ ଜଣେ ଇଷ୍ଟିମେଟରଙ୍କୁ ବଦଳି କରାଯାଇଛି। ଅବସ୍ଥା ଦେଖି ସେ ଯୋଗ ଦେଉନାହାନ୍ତି। ଏବେ ଡ୍ରଇଂ କ୍ଷମତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି। ମାତ୍ର କାର୍ଯ୍ୟକାରୀ କେବେ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଖୁଆପଦା କାର୍ଯ୍ୟାଳୟରେ ଏବେ ବି ଲାଗିଛି ‘ଜଳସେଚନ ଉପ ବିଭାଗ କାର୍ଯ୍ୟାଳୟ’ ସୂଚନା ଫଳକ। ଡିଭିଜନ ପାଇଁ ଆବଶ୍ୟକ ସପୋର୍ଟ ଷ୍ଟାଫ ଙ୍କୁ ନିଯୁକ୍ତି ଦିଆଯାଇ ନାହିଁ କି ଯାଜପୁର ଡିଭିଜନରୁ କୌଣସି ଫାଇଲ ହସ୍ତାନ୍ତର ମଧ୍ୟ ହୋଇ ନାହିଁ।

ଷ୍ଟାଫ କ୍ୱାଟର ମଧ୍ୟ ନିର୍ମାଣ କରାଯାଉ ନାହିଁ। ଆଖୁଆପଦା ଡିଭିଜନକୁ ପୁର୍ନଗଠନ କରାଯାଇ ସାଳନ୍ଦୀ ଡିଭିଜନରୁ ଚାନ୍ଦବାଲି ସବଡିଭିଜନକୁ ଆଣି ଆଖୁଆପଦାରେ ମିଶ୍ରଣ ହେବାକୁ ସରକାରୀ ବିଜ୍ଞପ୍ତିରେ ପ୍ରସ୍ତାବ ରହିଥିଲା। ଯାହାଦ୍ୱାରା ବୈତରଣୀ ଜଳସେଚନ ଭଦ୍ରକ ଜିଲ୍ଲାର ଗୋଟିଏ ଡିଭିଜନ ଅଧିନରେ ଏକକାଳୀନ ଭାବେ ପରିଚାଳିତ ହେବ। ମାତ୍ର ତାହା ଏବେ ଶୀତଳଭଣ୍ଡାରରେ ରହିଛି। ଅନ୍ୟ ପକ୍ଷରେ ସବଡିଭିଜନ କାର୍ଯ୍ୟାଳୟର କର୍ମଚାରୀମାନେ ଯାଜପୁର ଡିଭିଜନ ସହ ଅତିରିକ୍ତ ଦାଇତ୍ୱରେ ରହି ଦରମା ନିୟମିତ ଭାବେ ପାଉଛନ୍ତି। ଏବେ ଆଖୁଆପଦା ଆନିକଟରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ ବ୍ଲକ ଅଞ୍ଚଳର ୧୯, ୬୫୩.୬୩ ହେକ୍ଟର ଚାଷ ଜମିକୁ ଖରିଫ ଫସଲ ପାଇଁ ଓ ୮୧୦ ହେକ୍ଟର ଚାଷ ଜମିକୁ ରବି ଫସଲ ପାଇଁ ଜଳସେଚନ ସୁବିଧା ୨୬୯.୩୮୦ କିଲୋମିଟର ଦୀର୍ଘ ହାଇଲେବୁଲ, ମାଇନର, ସବମାଇନର ଓ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରହିଛି। ପୂର୍ବଭଳି ଆଖୁଆପଦା ଆନିକଟ ସିଷ୍ଟମ ଜଳସେଚନ ପରିଚାଳନା ଯାଜପୁର ଜଳସମ୍ପଦ ବିଭାଗ ଡିଭିଜନର ନିୟନ୍ତ୍ରଣରେ କାର୍ଯ୍ୟ କରୁଛି। ଭଦ୍ରକ ପଟେ ବୈତରଣୀ ନଦୀବନ୍ଧ ମୁକୁଳା ପଡିଛି। ଭିତ୍ତିଭୂମି ଥିବାରୁ ଆଖୁଆପଦା ଆନିକଟକୁ ଉନ୍ନିତ କରାଯାଇ ବ୍ୟାରେଜ ନିର୍ମାଣ କରାଯିବ ବୋଲି ଜନସାଧାରଣ ଆଶା ରଖିଥିଲେ। ଫଳରେ ବର୍ଷ ତମାମ ଜଳସେଚନ ସୁବିଧା ସହ ବନ୍ୟା ନିୟନ୍ତ୍ରଣ ସୁବିଧା ଜିଲ୍ଲାର ଚାଷୀମାନଙ୍କୁ ମିଳିପାରିଥାନ୍ତା। ମାତ୍ର ତାହା ଆଶାରେ ରହିଗଲା। ନୂତନ ଡିଭିଜନ ପ୍ରତିଷ୍ଠା ଭେଳିକିରେ ଜିଲ୍ଲାର ଜନସାଧାରଣ ଭକୁଆ ବନାଯାଇଛି ବୋଲି ଶ୍ରୀ ଧଳ କ୍ଷୋଭର ସହ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.