Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳ, ୩୧ରେ ବିବାହ ବନ୍ଧନରେ ବାନ୍ଧି ହେବେ...

ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳ, ୩୧ରେ ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି

5

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଲଗ୍ନ ଚିଟାଉଥାଳ ଉଠିଛି। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଂଚମୀ ତିଥି ଅର୍ଥାତ ଚଳିତମାସ ୩୧ରେ ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ଚଳିତ ବିବାହ ଉତ୍ସବରେ ବରପିତା ଭାବେ ଆଲୋକ ପଣ୍ଡା ଚୟନ ହୋଇଥିବା ବେଳେ କନ୍‌ଯାପିତା ଭାବେ ବିଶ୍ୱଜିତ ପାଢୀ ଚୟନ ହେବା ପରେ ରୀତିନୀତି ଅନୁଯାୟୀ ଉଭୟ ପରିବାରଙ୍କ ପକ୍ଷରୁ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସୋମବାର ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି ଓ ପହିଲୁଭୋଗ ଲାଗି ହୋଇଥିଲା। ପରେ ଚନ୍ଦନ ପୂର୍ଣ୍ଣିମା ନୀତି ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା। ଅପରାହ୍ଣରେ ମଣିବାବାଙ୍କ ଆଜ୍ଞାମାଳ ମୁକ୍ତିମଣ୍ଡପକୁ ଅଣାଯାଇ ଶିବବିବାହ ନିମନ୍ତେ ଲଗ୍ନ ଚିଟାଉ ଥାଳ ଉଠିଥିଲା। ପରେ ତେଲିଙ୍ଗି ବାଦ୍ୟ, ଘଂଟା କିର୍ତନ ସହ ପୀଠରେ ନଗରୀ କରାଯାଇଥିଲା । ଅନ୍‌ଯପଟେ ବରପିତା ଆଲୋକ ପଣ୍ଡା ବନ୍ଧୁପରିଜନଙ୍କୁ ନେଇ କନ୍ୟାପିତା ବିଶ୍ୱଜିତ ପାଢୀଙ୍କ ଘରେ ପହଁଚିବା ପରେ ଜ୍ୟୋତିଷ, ବ୍ରାହ୍ମଣଙ୍କ ଦ୍ୱାରା ଲଗ୍ନ ଚିଟାଉ ତାଳପତ୍ର ଓ ଲେଖନୀ ଦ୍ୱାରା ଲେଖାଯାଇ ସର୍ବସମତି କ୍ରମେ ପାଠ କରାଯାଇଥିଲା। ପରେ କନ୍ୟାପିତା ବିଶ୍ୱଜିତ ପାଢୀ ଲଗ୍ନଥାଳ ବରପିତା ଆଲୋକ ପଣ୍ଡାଙ୍କ ହସ୍ତକୁ ଟେକିଦେଇଥିଲେ। ପୁର୍ନବାର ଲଗ୍ନ ଚିଟାଉ ଥାଳ ଏକ ଶୋଭାଯାତ୍ରାରେ ବରପିତାଙ୍କ ଘରେ ପହଁଚିବା ପରେ ରୀତିନୀତି ଅନୁଯାୟୀ ପାଠ କରାଯାଇ ବିବାହ ନିମନ୍ତେ ଦିନ ଓ ସମୟ ନୀର୍ଘଂଟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.