Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀଯାତ୍ରା ପାଇଁ ସ୍ଥିତି ପରଖିଲା ଜିଲା ପ୍ରଶାସନ, ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା,...

ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀଯାତ୍ରା ପାଇଁ ସ୍ଥିତି ପରଖିଲା ଜିଲା ପ୍ରଶାସନ, ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ପ୍ରସ୍ତୁତି ଚୂଡାନ୍ତ

4

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ସୋମବାରରୁ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବେ ହଜାରହଜାର କାଉଡିଆ ଭକ୍ତ। ଏଥିପାଇଁ ପୀଠରେ କିପରି ଚାଲିଛି ପ୍ରସ୍ତୁତି ତାର ସ୍ଥିତି ପରଖିବା ପାଇଁ ଶୁକ୍ରବାର ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ସୌରଭ ଚକ୍ରବର୍ତି, ଏସପି ମନୋଜ ରାଉତ, ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ପହଁଚି ମନ୍ଦିର ଭିତର ବେଢା ଓ ବାହାର ବେଢା ବୁଲି ଦେଖିବା ସହ ଶୃଙ୍ଖଳିତ ଜଳଲାଗି ପାଇଁ ବ୍ୟାରିକେଡ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଏଥିସହ ପୀଠରେ ଶ୍ରାବଣୀଯାତ୍ରା ନିମନ୍ତେ ପ୍ରତି ରବିବାର ଓ ସୋମବାର ୨୪ଘଂଟିଆ ପାନୀୟଜଳ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ଓ ବିଦ୍ୟୁତ ଯୋଗାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା କହିଥିଲେ ଉପଜିଲାପିଳ ଶ୍ରୀ ଚକ୍ରବର୍ତୀ। ସେହିପରି ପୀଠରେ ଆଇନଶୃଙ୍ଖଳା ସହ ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍‌ଯବସ୍ଥା ସହ ଭିଡ ନିୟନ୍ତ୍ରଣ ପାଇଁ ୧୧ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ରହିବେ ବୋଲି ଅତିରିକ୍ତ ଏସପି ଶ୍ରୀ ଦ୍ୱିବେଦୀ କହିଛନ୍ତି। ତାହାସହ ନଦୀଘାଟର ଉଭୟ ପାର୍ଶ୍ୱରେ ପୁଲିସ ବିଭାଗ ସହ ଅଗ୍ନୀଶମ ବାହିନୀ ନିୟୋଜିତ ରହିବେ। ଏପରିକି ଡଙ୍ଗାରେ ଯେପରି ଅଧିକ ସଂଖ୍ୟକ କାଉଡିଆଭକ୍ତ ପାରି ନହେବେ ସେଥିପାଇଁ କଡା ନଜର ରଖିବ ପୁଲିସ। ଏପରିକି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀନଦୀର ୩ଟି ନଦୀଘାଟରେ ଓଡ୍ରାଫ ବାହିନୀ ପଇଁତରା ମାରିବା ସହ ସଂଧ୍ୟାରୁ ସକାଳ ଯାଏଁ ରାତ୍ରକାଳିନ ଜଳଯାତ୍ରା ସେବା ବନ୍ଦ ରହିବ। ଅନ୍ୟପଟେ ଭଦ୍ରକ-ଆଖଣ୍ଡଳମଣି, ଯାଜପୁର, ଧାନଖଣିଆ ଆଦି ରାସ୍ତାରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯିବ। ଏପଟେ ଶ୍ରାବଣୀମହାଦେବଙ୍କ ଉପରେ ଯେପରି ଶୃଙ୍ଖଳିତ ଭାବେ କାଉଡିଆଭକ୍ତ ଜଳଲାଗି କରିବେ ସେଥିପାଇଁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଉଛି। ହେଲେ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ମରାମତି କରାଯାଇନଥିବାରୁ ପୂର୍ବପରି ଖାଲଖମା ହୋଇ ପଡିରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.