Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୫୦ ହଜାର କାଉଡିଆ, ନାହିଁ ନଥିବା ଭିଡ ପାଇଁ ଭାଙ୍ଗିଲା ବ୍ୟାରିକେଡ୍‌,...

ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୫୦ ହଜାର କାଉଡିଆ, ନାହିଁ ନଥିବା ଭିଡ ପାଇଁ ଭାଙ୍ଗିଲା ବ୍ୟାରିକେଡ୍‌, ଭକ୍ତଙ୍କୁ ପୁଲିସ୍‌ର ମାଡ ଅଭିଯୋଗ, ବିଦ୍ୟୁତ୍ ଆଘାତ ଓ ଶିବଗଙ୍ଗା ପୁଷ୍କରଣୀରେ ଭାସିଯାଇ କାଉଡିଆ ଗୁରୁତର

50

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଥିଲା ଶ୍ରାବଣମାସର ପ୍ରଥମ ସୋମବାର । ମହାଦେବଙ୍କ ଉପରେ ଜଳଲାଗି କରିବାକୁ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ଉପରେ ଜଳଲାଗି କରିବାକୁ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ ଲାଗିଥିଲା । ରବିବାର ରାତି ଠାରୁ ଭକ୍ତମାନେ ବ୍ୟାରିକେଡ୍‌ରେ ଲାଇନ୍ ଦେଇ ଆସିଥିଲେ । ମାତ୍ର ପୁଲିସ୍ ପ୍ରଶାସନର କାର୍ଯ୍ୟରେ ଢିଲା ଯୋଗୁଁ ଭକ୍ତ ଭକ୍ତ ମଧ୍ୟରେ ଠେଲାପେଲା ଲାଗି ବ୍ୟାରିକେଡ୍ ଭାଙ୍ଗିଥିଲା । ଏପରିକି ପୁଲିସ୍ ସେଠାରେ ପହଞ୍ôଚ ଭକ୍ତଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି । ଅନୁରୂପ ସାଧାରଣ ଭକ୍ତମାନଙ୍କ ଗାଡିକୁ ପୁଲିସ୍ ପୀଠରୁ ୩ କିମି ଦୂରରୁ ଅଟକାଇଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଆଜି ପବିତ୍ର ଶ୍ରାବଣମାସ ସୋମବାରରେ ଆରଡିପୀଠର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୦ ହଜାର କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଛି । ଦେହରେ ଗେରୁଆ ବସ୍ତ୍ର, ତୁଣ୍ଡରେ ଶିବ ନାମ ଏହି ପୀଠର ସ୍ଥଳ ଓ ଜଳପଥରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଏପରିକି ବୋଲ ବମ୍ ହର ହର ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଥିଲା ସମଗ୍ର ଆରଡି ପୀଠ । ପୂର୍ବ ପ୍ରସ୍ତୁତି ଅନୁଯାୟୀ କାଉଡିଆଙ୍କ ସୁରକ୍ଷା ବ୍ୟବସ୍ଥା ସଠିକ୍ ଭାବେ ହୋଇନଥିବାରୁ ଜଳଲାଗି ଆରମ୍ଭରୁ ଶେଷଯାଏ ଦେଖାଦେଇଥିଲା ବହୁ ଅସୁବିଧା ଓ ଉତ୍ତେଜନା । ଏଥିସହ କାଉଡିଆଡଙ୍କ ଭିଡ ଏପରି ବଢିଥିଲା ଯେ କିଏ ଆଗ ଓ କିଏ ପଛରେ ଜଳଲାଗି କରିବ, ସେଥିପାଇଁ ଆରମ୍ଭ ହୋଇଯାଇଥିଲା ଠେଲାପେଲା ।

ଫଳରେ ଭାଙ୍ଗିପଡିଥିଲା ବ୍ୟାରିକେଡ୍ । ଅନୁରୂପ କାଉଡିଆଙ୍କ ନଦୀ ପାର୍ ପାଇଁ ଘାଟରେ ଅଧିକ ସଂଖ୍ୟକ ଡଙ୍ଗା ନଥିବାରୁ ସନ୍ଧ୍ୟା ପୂର୍ବରୁ ନଦୀ ପାର୍ ହୋଇପାରିଲେ ନାହିଁ ହଜାର ହଜାର କାଉଡିଆ । ଫଳରେ ରାତିସାରା ସେମାନେ ସମୟ କାଟିଥିଲେ ନଦୀକୂଳରେ । ପୀଠରେ ରବିବାର ସନ୍ଧ୍ୟାରୁ କାଉଡିଆଙ୍କ ଭିଡ ଏପରି ହୋଇଥିଲା ଯେ ଦୁଇଜଣ କାଉଡିଆ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇପଡିବାରୁ ଉପସ୍ଥିତ ଅନ୍ୟ କାଉଡିଆମାନେ ସେମାନଙ୍କୁ ଉଦ୍ଧାର କରି ଆରଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏତଦ୍‌ବ୍ୟତୀତ ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବାବେଳେ ଜଣେ କାଉଡିଆ ଭାସିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମନ୍ଦିର ଆମ୍ବୁଲାନ୍ସ ଯୋଗେ ଆରଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ଘଟିବାରୁ ତାଙ୍କୁ ଛାଡିଦିଆଯାଇଥିଲା । ଅନ୍ୟପଟେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନରୁ ମଣିବାବାଙ୍କ ଉପରେ ଜଳଲାଗି ଆରମ୍ଭ ହୋଇ ସୋମବାର ରାତି ୮ଟା ପର୍ଯ୍ୟନ୍ତ ତାହା ଚାଲିଥିଲା । କାଉଡିଆଙ୍କ ଭିଡ ଅସମ୍ଭାଳ ହେବାରୁ ସ୍ଥାନୀୟ ସେବାୟତଙ୍କ ସହ ସତ୍ୟସାଇ ସେବା ସଂଗଠନ, ବାବାମଣି ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ପକ୍ଷରୁ ଜଳଲାଗି ସମୟରେ ଧାଡି ନିୟନ୍ତ୍ରଣ କରିବା ସହ ସଫେଇ କାର୍ଯ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.