Home ଜିଲ୍ଲା ପରିକ୍ରମା ଆକସନ୍ ମୋଡ଼୍‌ରେ ଜିଲ୍ଲା ପ୍ରଶାସନ, ଜିଲ୍ଲାର ମିଲରଙ୍କୁ ଛାଟ, ବାହାର ମିଲର ପାଇଁ ଫିଟିଲା ବାଟ,...

ଆକସନ୍ ମୋଡ଼୍‌ରେ ଜିଲ୍ଲା ପ୍ରଶାସନ, ଜିଲ୍ଲାର ମିଲରଙ୍କୁ ଛାଟ, ବାହାର ମିଲର ପାଇଁ ଫିଟିଲା ବାଟ, ଟୋକନ ଅବଧିର ୧୫ ଦିନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ

17

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଦରରେ ଧାନ କିଣା ବ୍ୟବସ୍ଥାରେ କଟନୀ ଛଟନୀକୁ ନେଇ ଜାରି ରହିଥିବା ଜନ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଆକ୍‌ସନ୍ ମୋଡ଼କୁ ଆସିଛି । ଧାନ କିଣିବା ପାଇଁ ତାଲିକାଭୁକ୍ତ ହୋଇଥିବା ଜିଲ୍ଲାର ୨୨ଟି ମିଲର ମଧ୍ୟରୁ ଅମାନିଆ ମିଲରମାନଙ୍କୁ ପ୍ରଶାସନିକ ଛାଟ ବାଜିଛି । ମଣ୍ଡିରୁ ଧାନ କିଣିବାରେ ଅସହଯୋଗ କରିବା କାରଣରୁ ଜେ.ଏମ୍‌.ବି., ୱାଇ.ଜି.ପି. ଏବଂ ଅଦିତି ରାଇସ୍ ମିଲକୁ ଜିଲ୍ଲା ପ୍ରଶାସନ ତରଫରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ର ସନ୍ତୋଷ ଜନକ ଉୠର ପ୍ରଦାନ କରିପାରି ନଥିବାରୁ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ସଂପୃକ୍ତ ୩ଟି ମିଲର୍‌ଙ୍କୁ ଧାନ କିଣିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପ୍ରଦାନ କରାଯାଇ ନାହିଁ । ସେପଟେ ବାହାର ମିଲର୍‌ଙ୍କୁ ଭଦ୍ରକ ଜିଲ୍ଲାରୁ ଧାନ କିଣିବା ପାଇଁ ନିୟୋଜିତ କରିବାକୁ ସରକାରଙ୍କ ତରଫରୁ ଅନୁମୋଦନ କରାଯାଇଛି । ସୂଚନାଯୋଗ୍ୟକି ଯାଜପୁର ଜିଲ୍ଲାର ଆଶୀର୍ବାଦ ରାଇସ ମିଲ ସରକାରୀ ଦରରେ ଭଦ୍ରକ ଜିଲ୍ଲାରୁ ଧାନ କିଣିବା ପାଇଁ ସମ୍ମତି ପ୍ରକାଶ କରିଛି। ପ୍ରକାଶ ଥାଉକି ମଣ୍ଡିରେ ଧାନ ବିକିବା ପାଇଁ କୌଣସି ହାଲତରେ ଟୋକନ ଲାପସ୍ ହେବ ନାହିଁ ବୋଲି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ପ୍ରକାଶ କରିଛନ୍ତି । ଧାନ କିଣା ପାଇଁ ଚାଷୀଙ୍କୁ ମିଳିଥିବା ଟୋକନ୍‌ର ଅବଧି ୩୦ ଦିନ ମଧ୍ୟରେ ଅନିର୍ବାର୍ଯ୍ୟ କାରଣ ବସତ ଧାନ ବିକ୍ରୀ କରି ନପାରିଲେ, ୧୫ଦିନର ଅବଧି ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ସରକାରଙ୍କ ତରଫରୁ କ୍ଷମତା ପ୍ରଦାନ କରାଯାଇଛି । ଚାଷୀମାନେ କୌଣସି ପ୍ରକାର ବିଭ୍ରାନ୍ତିକର ସମ୍ବାଦ ବିଶ୍ୱାସକୁ ନିଅନ୍ତୁ ନାହିଁ । ଚାଷୀମାନଙ୍କ ସୁରକ୍ଷା ପାଇଁ ସରକାର ଅଂଟା ଭିଡ଼ିଛନ୍ତି । ସଠିକ୍‌ମାନର ଧାନ ପ୍ରସ୍ତୁତ କରି ମଣ୍ଡିରେ ବିକି ଅଧିକ ଲାଭବାନ ହେବା ପାଇଁ ସଚେତନ ହେବାକୁ ଜିଲ୍ଲାପ୍ରଶାସନ ତରଫରୁ ନିବେଦନ କରାଯାଇଛି । ଅତ୍ୟନ୍ତ ଖରାପମାନର ଧାନକୁ ମଣ୍ଡିରୁ ଫେରେଇ ଦିଆଯିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ଏବଂ ଉପଯୁକ୍ତମାନର ଧାନକୁ ମଣ୍ଡିରୁ ନିୟମିତ ଉଠାଇବା ପାଇଁ ମିଲରମାନଙ୍କୁ କୁହାଯାଇଛି। ସୂଚନା ଯୋଗ୍ୟକି ଅଦ୍ୟାବଧି ୧୯,୯୮୫ ଜଣ କୃଷକଙ୍କ ଠାରୁ ସମୁଦାୟ ୮ ଲକ୍ଷ ୭୨ ହଜାର ୩୬୧ କ୍ୱିଂଟାଲ ଧାନ କିଣାଯାଇଛି। ୧୩,୪୧୮ ଜଣ କୃଷକ ସେମାନଙ୍କ ଧାନ ବିକ୍ରୟ ଅର୍ଥ ପାଇସାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.