ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ଜିଲ୍ଲା ପ୍ରଶାସନ, ଭଦ୍ରକ ପକ୍ଷରୁ ଆଇନ ସମ୍ମତ ପୋଷ୍ୟତାକୁ ପ୍ରୋତ୍ସାହନ ନିମନ୍ତେ “ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ-୨୦୨୨” ପୂର୍ବକ ଏକ ସଚେତନତା ରଥ ସହିତ ସଂସ୍କୃତି ଭବନ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଶୁ ଅନୁଷ୍ଠାନର କର୍ମକର୍ତ୍ତା, ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ଅଙ୍ଗନବାଡ଼ିକର୍ମୀ, ଆଶା କର୍ମୀ, ପାରାଲିଗାଲ କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖଙ୍କ ସହାୟତାରେ ପଦଯାତ୍ରା ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୂରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସଂସ୍କୃତିଭବନ ପରିସରରେ ପହଞ୍ଚିଥିଲା। ଏହି ସଚେତନତା ରଥ ଭଦ୍ରକ ସହର ମଧ୍ୟରେ ପରିଭ୍ରମଣ କରିବା ସହ ୭ଗୋଟି ବ୍ଲକ ପରିକ୍ରମା କରି ସଚେତନତା ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଯାତ୍ରା କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରାମଦାସ ଟୁଡ଼ୁ, ଡ଼େପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିବା ବେଳେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ, ସଦସ୍ୟ/ସଦସ୍ୟା, ପୂର୍ବତନ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ସଂସ୍କୁତି ଭବନ ପରିସରରେ ଅନୁଷ୍ଠିତ ପୋଷ୍ୟସନ୍ତାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଯୋଗଦାନ କରିଥିଲେ। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ମଧ୍ୟରେ ଡ଼େପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ସମେତ ପୂର୍ବତନ ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ, ସଦସ୍ୟ ଭାରତୀ କର, ମୌସୁମୀ ମାଇତି, ନବୀନ ସାହୁ, ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରାରମ୍ଭିକ ସୂଚନା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ପ୍ରଦାନ କରିଥିବା ବେଳେ ସୁରକ୍ଷା ଅଧିକାରୀଣୀ (ଅଣ-ଆନୁଷ୍ଠାନିକ) ସ୍ୱାଗତିକା ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରୋବେଶନ ଅଧିକାରୀ ସୁବ୍ରତ ଦାସ ପୋଷ୍ୟତା ସମ୍ବନ୍ଧରେ ଆଇନତଃପ୍ରାବଧାନ ସମ୍ବନ୍ଧରେ ଚିତ୍ରଣ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପୋଷ୍ୟତା ସମ୍ବନ୍ଧରେ ଅଧିକ ସଚେତନତା ହେବା ଜରୁରୀ ଏବଂ ପରିବାରରେ ଶିଶୁଟିଏ ସାମିଲ ହେଲେ ବହୁ ଖୁସି ଆନନ୍ଦ ଦେଇଥାଏ ବୋଲି କହିଥିଲେ। ସେହିପରି ଡ଼େପୁଟି କଲେକ୍ଟର ଶ୍ରୀ ମଣ୍ଡଳ ଆଇନ ସମ୍ମତ ପୋଷ୍ୟ ଗ୍ରହଣ ପାଇଁ ପୋଷ୍ୟଗ୍ରାହୀ ଦମ୍ପତି ଅଧିକ ସଚେତନତା ହେବା ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ।
ପୋଷ୍ୟ ଗହଣ ପାଇଁ (କାରା) ୱେବସାଇଡ଼୍ ଜରିଆରେ ଅନ୍ଲାଇନ୍ ମାଧ୍ୟମରେ ସମ୍ଭାବ୍ୟ ପୋଷ୍ୟଗ୍ରାହୀ ପିତା-ମାତା ପଞ୍ଜିକରଣ କରିପାରିବେ। ଅଦ୍ୟବଧି ଜିଲ୍ଲାସ୍ତରରୁ ସ୍ୱତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣ ସଂସ୍ଥା ମାଧ୍ୟମରେ ୧୫ଜଣ ଶିଶୁଙ୍କୁ ପୋଷ୍ୟତା ଦିଆଯାଇ ପରିବାରରେ ଥଇଥାନ କରାଯାଇଛି। ଅଦ୍ୟାପି ଜିଲ୍ଲାରେ ଇଚ୍ଛୁକ ସମ୍ଭାବ୍ୟ ପୋଷ୍ୟଗାହୀ ଦମ୍ପତି ୩୬ଜଣ ପୋଷ୍ୟ ସନ୍ତାନ ଗ୍ରହଶ ପାଇଁ ଶିଶୁ ଗ୍ରହଣ ସୂଚନା ଓ ମାର୍ଗ ସଂସାଧନ ସଂସ୍ଥାରେ ପଞ୍ଜିକୃତ କରିଛନ୍ତି ବୋଲି ଅଣ-ଆନୁଷ୍ଠାନିକ ଅଧିକାରୀଣୀ ଶ୍ରୀମତୀ ବାରିକ ସୂଚନା ଦେଇଛନ୍ତି। ପ୍ରାରମ୍ଭରେ ଗାନ୍ଦୀ ଓଡ଼ିଶା ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଙ୍ଗୀତ ଗାନ କରାଯାଇଥିଲା। ଉକ୍ତ ସଚେତନତା ସଭାରେ ଶିଶୁ ଅନୁଷ୍ଠାନର ସମ୍ପାଦକ ଅଶୋକ ଦାସ, ଅଧୀକ୍ଷକ ଜ୍ୟୋତିପ୍ରକାଶ ପତି, ଲିପିକା ପ୍ରିୟଦର୍ଶନୀ ପଣ୍ଡା, ଯୋଗମାୟା ଚାନ୍ଦ, ଶିଶୁ ଅନୁଷ୍ଠାନର ସମ୍ବିତ ମହାନ୍ତି, ରିୟାଜ ଅହମ୍ମଦ, ପ୍ରଦୀପ୍ତ ନାୟକ ଦେବସ୍ମିତା ମହାନ୍ତି, ଦିଗନ୍ତ ବେହେରା, ସସ୍ମିତା ନାୟକ, ନିବେଦିତା ଲେଙ୍କା, ପ୍ରିୟଙ୍କା ଜେନା ଶିଶୁସୁରକ୍ଷା ୟୁନିଟିର ଧୀରଜ ବାରିକ, ଦମୟନ୍ତି ଦାଶ, ଚିନ୍ମୟ ପଣ୍ଡା, ଚାଇଲ୍ଡ ଲାଇନ, ସବ୍ସେଣ୍ଟର ଚାଇଲ୍ଡ ଲାଇନ, ପାରାଲିଗାଲ୍ କର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ୱାନ ଷ୍ଟପ୍ ସେଣ୍ଟର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦାନ କରିଥିଲେ। ପରିଶେଷରେ ଶିଶୁ ସୁରକ୍ଷା ଶାଖାର ଅନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।