ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟରେ କାର୍ଯ୍ୟରତ ସମସ୍ତ ଆଇନଜୀବୀଙ୍କୁ କରୋନା ଟୀକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି । ପବିତ୍ର ଉତ୍କଳ ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଇନଜୀବୀମାନେ ମଧୁବାବୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ସର୍ମ୍ପରେ ଆଲୋକପାତ କରାଯାଇଥିଲା । ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ପ୍ରଥମ ରାଜ୍ୟ ହେବା ମଧୁବାବୁଙ୍କ ପ୍ରଚେଷ୍ଟାର ଫଳ । ଜଣେ ସ୍ୱାଭିମାନୀ ଓଡ଼ିଆ ଓକିଲ ଭାବେ ମଧୁବାବୁ ଯେଉଁ ଦିଗ୍ଦର୍ଶନର ଛାପ ଛାଡ଼ି ଯାଇଛନ୍ତି, ତା’କୁ ସାରା ଓକିଲ ସମାଜ ଅନୁକରଣ କରିବା ଉଚିତ ବୋଲି ବରିଷ୍ଠ ଅଧୀବକ୍ତା ନିରାକାର ଜେନା ପ୍ରକାଶ କରିଥିଲେ । ଓକିଲ ସଂଘର ସଭାପତି ଦିଲିପ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭା ଓ ଟୀକାକରଣ କାର୍ଯ୍ୟକ୍ରମରେ ଓକିଲ ସଂଘର ନବ ନିର୍ବାଚିତ ସମ୍ପାଦକ ଜିତେନ୍ଦ୍ର କୁମାର ପଣ୍ଡା ଓଡ଼ିଶା ଦିବସର ପାଳନ ଓ କରୋନା ମହାମାରୀରୁ ରକ୍ଷା ପାଇଁ ସରକାର ୪୫ ବର୍ଷରୁ ୬୦ ବର୍ଷର ଓକିଲମାନଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇଥିବାରୁୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତ ଓକିଲ ବନ୍ଧୁମାନେ ଟୀକା ନେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଆଇନଜୀବୀ ଦିବ୍ୟସିଂହ ନାୟକ, ତୁଷାରକାନ୍ତି ମହାନ୍ତି, ପବନ ଶର୍ମା, ଗିରିଧାରୀ ନାଥ, ଅତିସ୍ ବେହେରା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସନ୍ତୋଷ ଆଚାର୍ଯ୍ୟ, ସୌମଭ କୁମାର ଦେ, ବିଜନ କୁମାର ଜେନା, କାହ୍ନୁ ବାରିକ, ଗଣେଶ ଦାସ, ପୂର୍ବତନ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର, ସହସମ୍ପାଦକ ଅଭୟ ସେଠୀ, ଲାଇବ୍ରେରୀ ସମ୍ପାଦକ ଅଶୋକ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଉପସଭାପତି କରୁଣାକର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।