ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହର ମଧ୍ୟସ୍ଥଳୀରେ ଥିବା ସାଳନ୍ଦୀ ନଦୀ ଉପରେ ୧୫ ବର୍ଷ ତଳୁ ନିର୍ମାଣ କରାଯାଇଥିବା ଅର୍ଜୁନ ସେତୁକୁ ୨୦୨୦ ମସିହାରେ ଭାଙ୍ଗିଦିଆଯାଇ ଏକ ନୂଆ ସେତୁର ନିର୍ମାଣ ଆରମ୍ଭ କରାଯାଇଥିଲା। ଏହାର ନିର୍ମାଣ ଦାୟିତ୍ୱ ଭଦ୍ରକ ପୂର୍ତ୍ତ ବିଭାଗ ବହନ କରିଥିଲା। ନୂଆ ସେତୁଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ପୁରୁଣା ବ୍ରିଜ୍ଟି (ଅର୍ଜୁନ ସେତୁ) କୁ ଭାଙ୍ଗି ନୂଆ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲଟିକୁ ଭଙ୍ଗାଯିବା ସମୟରେ ସେଥିରେ ବ୍ୟବହୃତ ବିଭିନ୍ନ ମୋଟେଇର ପାଖାପାଖି ୪୦ ଟନ୍ ଲୁହା ରଡ୍ ଓ ରେଲିଂ ଜିଆଇ ପାଇପ୍ ୩ ଲକ୍ଷ ଟଙ୍କା ମୂଲ୍ୟର ମୋଟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ହେରଫେର ଘଟଣା ଚର୍ଚ୍ଚାର ବିଷୟ ସାଜିଛି। ଏବେ ଏହି ପୁରୁଣା ନିର୍ମାଣ ସାମଗ୍ରୀ କାହା ପାଖରେ ଅଛି ଏ ନେଇ ଖୋଳତାଡ ଚାଲିଛି। ନିର୍ମାଣ ଦାୟିତ୍ୱ ବହନ କରୁଥିବା ପୂର୍ତ୍ତ ବିଭାଗ କିମ୍ବା ନୂଆ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରୀ ସଂସ୍ଥାଙ୍କ ନିକଟରେ ଏହି ସାମଗ୍ରୀ ନଥିବା ଘଟଣା ସନ୍ଦେହ ପରିସରକୁ ଆସିଛି। ନିୟମ ଅନୁଯାୟୀ ପୁରୁଣା ନିର୍ମାଣ ସାମଗ୍ରୀ ଗୁଡିକ ସଂପୃକ୍ତ ବିଭାଗ ନିକଟରେ ଜିମା ଦେବା କଥା।
ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ସଲାସୁତୁରାରେ ଏ ଲକ୍ଷାଧିକ ଟଙ୍କାର ରଡ୍ ଓ ରେଲିଂ ଜିଆଇ ପାଇପ୍ ଗାଏବ କରାଯାଇଥିବା କଥା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତାତ୍ପର୍ଯ୍ୟର ବିଷୟ ଏହି ଯେ ଏବେ ଆରଟିଆଇରେ ପୂର୍ତ୍ତ ବିଭାଗକୁ ଏ ସଂପର୍କରେ ସୂଚନା ମାଗିବାରୁ ବିଭାଗୀୟ କର୍ତ୍ତୃପକ୍ଷ ହରଡଘଣାରେ ପଡିଛି। ବିଭାଗୀୟ ସୁରକ୍ଷା ପାଇଁ ଜିଲା ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର (ସେକ୍ସନ-୧) ଗତକାଲି ଏହି ରଡ୍ ଚୋରି ସଂପର୍କରେ ଏକ ରିପୋର୍ଟ ପ୍ରଦାନ କରିବା ଘଟଣା (ଲୁଚିଛି ନା ଗୋଡ ଦୁଇଟି ଦିଶୁଛି) ପରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚତୁରତା ଏବେ ପଦାରେ ପଡିଛି। ତେବେ ଆସିଷ୍ଟାଣ୍ଟ ଇଂଜିନିୟର ଜଣକ ସ୍ଥାନୀୟ ଲୋକ ଓ କେତେକ ମିସ୍ କ୍ରାଏଣ୍ଟଙ୍କ ଦ୍ୱାରା ସାମଗ୍ରୀ ଗୁଡିକ ଚୋରି ହୋଇଛି ବୋଲି ତାଙ୍କ ରିପୋର୍ଟରେ ସ୍ୱୀକାର କରିଛନ୍ତି। ଏହି ଚୋରି ସାମଗ୍ରୀର ମୂଲ୍ୟ ନୂଆ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରୀ ସଂସ୍ଥା ଠାରୁ ଫାଇନାଲ ବିଲ୍ ସମୟରେ ଆଦାୟ କରାଯିବ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଇଛନ୍ତି। ତେବେ ବିପୁଳ ଅର୍ଥର ଏହି ରଡ୍ ଚୋରି ହେବା ଘଟଣାକୁ ବିଭାଗୀୟ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ ମଧ୍ୟ ଦୀର୍ଘଦିନ ଧରି ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ ନକରିବା ଘଟଣା ଭଦ୍ରକ ପୂର୍ତ୍ତ ବିଭାଗର ଅସାଧୁ ଉଦ୍ଦେଶ୍ୟକୁ ସ୍ପଷ୍ଟ ପ୍ରମାଣିତ କରିଛି। ଉଚ୍ଚ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ବିଧିବଦ୍ଧ ତଦନ୍ତ କରାଗଲେ ଚୋରି ଘଟଣାର ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିବା ସହ ରାଜସ୍ୱ କ୍ଷତିର ଭରଣା ହେବ ବୋଲି ବରିଷ୍ଠ ଆଇନ୍ଜୀବୀ ଦିବ୍ୟସିଂହ ନାୟକ କହିଛନ୍ତି।