Home ଓଡ଼ିଶା ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ବିବାଦର ସମାଧାନା ପାଇଁ ଆଗେଇ ଆସନ୍ତୁ ମୁସଲମାନ ପକ୍ଷ

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ବିବାଦର ସମାଧାନା ପାଇଁ ଆଗେଇ ଆସନ୍ତୁ ମୁସଲମାନ ପକ୍ଷ

919

– ଡ. ସମନ୍ୱୟ ନନ୍ଦ

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ ହେବା ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଯୋଧ୍ୟାରେ ଶ୍ରୀରାମମନ୍ଦିର ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ ବକ୍ତବ୍ୟ ଦେଇଛନ୍ତି। ସେ ତାଙ୍କର ଏହି ବକ୍ତବ୍ୟରେ ଅଯୋଧ୍ୟା ପ୍ରସଙ୍ଗର ସମାଧାନ ପାଇଁ ମୁସଲମାନ ମାନେ ଆଗେଇ ଆସନ୍ତୁ ବୋଲି ଅପିଲ କରିଛନ୍ତିା

ସେ କହିଛନ୍ତି ଯେ ଅଯୋଧ୍ୟାର ଜନ୍ମଭୂମିରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ଲୋକ ମାନଙ୍କର ଭାବନା ସହ ଜଡିତ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ ପ୍ରକ୍ରିୟାକୁ ତ୍ୱରିତ କରିବା ପାଇଁ ମଧ୍ୟ ପୁଣି ଥରେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁସଲମାନ ମାନେ ଏହି ପ୍ରସଙ୍ଗକୁ ଏକ ରାଜନୈତିକ ପ୍ରସଙ୍ଗ ଭାବେ ନିଅନ୍ତୁ ନାହିଁ ବରଂ ଏହାର ସମାଧାନ ପାଇଁ ପ୍ରୟାସ କରନ୍ତୁ ଯାହା ଫଳରେ ଜନ୍ମ ଭୂମି ଠାରେ ଭବ୍ୟ ମନ୍ଦିରର ନିର୍ମାଣ କରା ଯାଇ ପାରିବ।

ଇଲାହାବାଦ ଉଚ୍ଚ ନ୍ୟାୟାଳୟରେ ରାମ ଲାଲାଙ୍କ ପାଇଁ ବରିଷ୍ଠ ଓକିଲ ଭାବେ ପ୍ରତିନିଧିତ୍ୱ କରିଥିବା ଶ୍ରୀ ପ୍ରସାଦ କହିଛନ୍ତି ଯେ ସେଠାରେ ପୂର୍ବରୁ ମନ୍ଦିର ଥିବା ମିଳିଥିବା ପ୍ରମାଣରୁ ପ୍ରମାଣିତ ହୋଇଛି ତେଣୁ ଏହି ମାମଲାର ସମାଧାନ ତ୍ୱରିତ କରା ଯିିବାର ଆବଶ୍ୟକତା ରହିଛି।

ରବି ଶଙ୍କର ପ୍ରସାଦ ବର୍ତମାନର କେନ୍ଦ୍ର ଆଇନ ମନ୍ତ୍ରୀ ହେବା ସହ ରାମ ଲାଲାଙ୍କ ଓକିଲ ଭାବେ ମଧ୍ୟ କୋର୍ଟରେ ଲଢିଛନ୍ତି। ସେ ଏହି ମାମଲାର ଗୁରୁତ୍ୱକୁ ସଠିକ ଭାବେ ବୁଝିଛନ୍ତି। ତେଣୁ ସେ ସଠିକ ଭାବେ ଏହି ମାମଲାର ଶୀଘ୍ର ସମାଧାନ ପାଇଁ ମୁସଲମାନ ମାନଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି।

୯୦ ଦଶକରେ ଯେତେବେଳେ ଏହି ମାମଲାକୁ ନେଇ ଅନେକ ବିତର୍କ ହେଉଥିଲା ସେତେବେଳେ ମୁସଲମାନ ପକ୍ଷର ନେତା ମାନେ କହୁଥିଲେ ଯେ ଯଦି ସେହି ସ୍ଥାନରେ ମନ୍ଦିରକୁ ଭାଙ୍ଗି ଢାଂଚା ତିଆରି କରା ଯାଇଥିବାର ପ୍ରମାଣ ମିଳିବ ତେବେ ସେମାନେ ଏହି ସ୍ଥାନ ଉପରେ ନିଜର ଦାବିକୁ ଛାଡି ଦେବେ। ତେବେ ବିଗତ ବର୍ଷ ମାନଙ୍କରେ ବୈଜ୍ଞାନିକ ପଦ୍ଧତିରେ ସେହି ସ୍ଥାନରେ ଖନନ କରା ଯାଇଥିଲା ଓ ସେଥିରୁ ମନ୍ଦିରର ଭଗ୍ନାବଶେଷ ଥିବାର ପ୍ରମାଣ ମିଳିଥିଲା। ଏହି ଆଧାରରେ ଇଲାହାବାଦ ହାଇକୋର୍ଟ ମଧ୍ୟ କହିଥିଲେ ଯେ ସେଠାରେ ମନ୍ଦିର ଥିଲା। ତେଣୁ ଏପରି ପରିପ୍ରେକ୍ଷୀରେ ମୁସଲମାନ ପକ୍ଷ ର ନେତା ମାନେ ସେମାନେ କହିଥିବା କଥା ଉପରେ କାଏମ ରହିବା ଉଚିତ ଓ ନିଜର ଦାବିକୁ ଛାଡି ସେହି ସ୍ଥାନରେ ରାମ ଲାଲାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସହଯୋଗର ହାତ ବଢାଇବା ଉଚିତ।

ଏଠାରେ ଆଉ ଏକ କଥା ଉଲ୍ଲେଖ କରିବା ଆବଶ୍ୟକ। ଅଯୋଧ୍ୟାର ଏହି ପ୍ରସଙ୍ଗ ହିନ୍ଦୁ ଓ ମୁସଲମାନ ମାନଙ୍କର ପ୍ରସଙ୍ଗ ନୁହେଁ। ଶ୍ରୀରାମ ଦେଶବାସୀଙ୍କର ପୂର୍ବଜ। ତାଙ୍କୁ ମର୍ଯ୍ୟାଦାପୁରୁଷ ଶ୍ରୀରାମ ବୋଲି କୁହା ଯାଇଥାଏ। ଭାରତରେ ଥିବା ମୁସଲମାନ ମାନେ ଆରବ କିମ୍ବା ମଧ୍ୟ ଏସିଆରୁ ଆସି ନାହାନ୍ତି। ସେମାନେ ଏହି ମାଟିର ସନ୍ତାନ। ସେମାନେ କୌଣସି କାରଣରୁ ଇସଲାମକୁ ଗ୍ରହଣ କରିଛନ୍ତି। ତେଣୁ ମର୍ଯ୍ୟାଦା ପୁରୁଷୋତର ଶ୍ରୀରାମ ହିନ୍ଦୁ ମାନଙ୍କର ସହିତ ଭାରତରେ ରହୁଥିବା ମୁସଲମାନ ମାନଙ୍କର ମଧ୍ୟ ସେ ପୂର୍ବପୁରୁଷ। ଅନ୍ୟ ପକ୍ଷରେ ବାବର ମଧ୍ୟ ଏସିଆରୁ ଆସି ଥିବା ଜଣେ ଆକ୍ରମଣକାରୀ ଥିଲା। କୌଣସି ସ୍ୱାଧୀନ ଓ ସ୍ୱାଭିମାନୀ ଦେଶ କେବେ ହେଲେ ଦାସତ୍ୱର ପ୍ରତୀକକୁ ସହ୍ୟ କରି ପାରିବ ନାହିଁ। ତେଣୁ ଭାରତର ମୁସଲମାନ ମାନେ ମଧ୍ୟ ମନେ ରଖିବା ଉଚିତ ଏହି ଲଢେଇ ଭାରତର ପ୍ରତୀକ ଶ୍ରୀରାମଙ୍କ ଜନ୍ମସ୍ଥାନ ଓ ବିଦେଶୀ ଆକ୍ରମଣକାରୀ ବାବର ଦ୍ୱାରା ସ୍ଥାପିତ ଦାସତ୍ୱର ପ୍ରତୀକ ମଧ୍ୟରେ ଲଢେଇ। ତେଣୁ ଏହି ଦେଶର ମୁସଲମାନ ମାନେ ବିଦେଶୀ ଆକ୍ରମଣକାରୀର ପ୍ରତୀକକୁ କିପରି ସମର୍ଥନ ଦେବେ ? ଏକଥା ସ୍ପଷ୍ଟ ଯେ କିଛି ରାଜନୈତିକ ଦଳ ଓ କିଛି ମୁସଲମାନ ସଂପ୍ରଦାୟର ନେତା ମାନେ ଚାହୁଁ ନାହାନ୍ତି ଯେ ଏହି ପ୍ରସଙ୍ଗର ସମାଧାନ ହେଉ। ଯଦି ଏପରି ହୋଇଗଲା ତେବେ ତାଙ୍କର ରାଜନୈତିକ ରୋଟି ସେକିବା ବନ୍ଦ ହେବାର ଆଶଙ୍କା ରହିଛି।

ଆଜକୁ ଚାରି ଶହ ବର୍ଷ ତଳେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିରକୁ ବିଦେଶୀ ଆକ୍ରମଣକାରୀ ମାନେ ବିଧ୍ୱଂସ କରି ସେଠାରେ ଦାସତ୍ୱର ପ୍ରତୀକକୁ ଠିଆ କରାଇଥିଲେ। ଏହି ମାମଲାର କୋର୍ଟକୁ ଯିବାର ୬୮ ବର୍ଷ ବିତି ସାରିଲାଣି। ଦୀର୍ଘ ୬୮ ବର୍ଷ ବିତି ସାରିଲା ପରେ ମଧ୍ୟ ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇ ପାରୁ ନାହିଁ। ଗତ ୨୬ ବର୍ଷ ଧରି ରାମ ଲାଲା ଟେଂଟରେ ରହୁଛନ୍ତି। ତେବେ ହିନ୍ଦୁ ମାନଙ୍କୁ କେତେ ଦିନ ଧରି ଆଉ ଅପେକ୍ଷା କରିବାକୁ ପଡିବ ଏହା ହେଉଛି ଗୁରୁତ୍ୱପୂର୍ଣ ପ୍ରଶ୍ନ।

ଏହି ପ୍ରସଙ୍ଗରେ କୋର୍ଟ ପ୍ରତିଦିନ ଶୁଣାଣୀ କରିବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅପିଲ କରିଛନ୍ତି। ଦେଶବାସୀଙ୍କ ଭାବନା ସହ ଜଡିତ ହୋଇ ଥିବା କାରଣରୁ ଏହି ମାମଲାର ତ୍ୱରିତ ଶୁଣାଣୀ କରିବାକୁ ସେ ନ୍ୟାୟାଳୟକୁ ଅପିଲ କରିଛନ୍ତି। ତେବେ କୋର୍ଟର ଏହି ମାମଲାରେ ଆଭିମୁଖ୍ୟ ନକାରାତ୍ମକ ରହିଛି। କୋର୍ଟ ପୂର୍ବରୁ କହିଛନ୍ତି ଯେ ଏହି ମାମଲା ତାଙ୍କର ପ୍ରାଥମିକତାରେ ନାହିଁ। ସୁପ୍ରିମକୋର୍ଟର ଜଜ ମାନଙ୍କର ଏହି ଗୋଟିଏ ବକ୍ତବ୍ୟରୁ ତାଙ୍କର ମନୋଦଶାକୁ ବୁଝା ଯାଇ ପାରେ। ଯେଉଁ ପ୍ରସଙ୍ଗକୁ ନେଇ ସମଗ୍ର ଦେଶ ଉଦ୍ୱେଳିତ ସେହି ପ୍ରସଙ୍ଗ କୋର୍ଟର ପ୍ରାଥମିକତାରେ ନାହିଁ। ତେବେ ଏହି ଭଳି ପରିସ୍ଥିତିରେ କୋର୍ଟର ପ୍ରାଥମିକତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଦେବା ଉଚିତ। ମୁମ୍ବାଇ ବୋମା ବିସ୍ପୋରଣର ଅଭିଯୁକ୍ତ ୟାକୁବ ମେନନକୁ ଫାସି ଦିଆ ଯିବ କି ନାହିଁ ସେ ସମ୍ପର୍କରେ କୋର୍ଟ ମଧ୍ୟ ରାତ୍ରୀରେ ମଧ୍ୟ ଶୁଣାଣୀ କରି ପାରନ୍ତି। ଏହା କୋର୍ଟର ପ୍ରାଥମିକତାରେ ରହିଛି। ପ୍ରଧାନମନ୍ତ୍ରୀଙ୍କୁ ମାରିବାକୁ ଷଡଯନ୍ତ୍ର କରିଥିବା ସହରୀ ନକ୍ସଲ ମାନଙ୍କ ସମ୍ପର୍କରେ ସିଧା ସିଧା ସୁପ୍ରିମକୋର୍ଟରେ ଶୁଣାଣୀ କରା ଯାଇ ପାରିବ। ଏହା ତାଙ୍କର ପ୍ରାଥମିକତାରେ ରହିଛି। ସେହିପରି ଜନ୍ମାଷ୍ଟମୀରେ ଦହି ହାଣ୍ଡିର ଉଚ୍ଚତା କେତେ ହେବ, ଦିପାବଳୀରେ ବାଣ ଫୁଟା ଯାଇ ପାରିବ କି ନାହିଁ, ଯଦି ଫୁଟା ଯିବ କେତେଟାରୁ କେତେଟା ମଧ୍ୟରେ ଫୁଟା ଯାଇ ପାରିବ ଏହି ଭଳି ମାମଲା କୋର୍ଟର ପ୍ରାଥମିକତାରେ ରହିଛି। ମାତ୍ର ଭାରତର ପରିଚୟ, ଅସ୍ମିତା ସହ ଜଡିତ ଏହି ପ୍ରସଙ୍ଗ କୋର୍ଟର ପ୍ରାଥମିକତାରେ ନାହିଁ।

ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ କେବଳ ଏକ ସାଧାରଣ ମନ୍ଦିର ନିର୍ମାଣର ପ୍ରଶ୍ନ ନୁହେଁ। ଜନ୍ମଭୂମି ଠାରେ ଭବ୍ୟ ମନ୍ଦିର ନିର୍ମାଣ ଭାରତୀୟ ସଭ୍ୟତାର ପ୍ରତୀକ ହେବ। ବିଦେଶୀ ଆକ୍ରମଣକାରୀ ବନାମ ଭାରତର ପରିଚୟର ଏହା ହେଉଛି ଲଢେଇା ତେଣୁ ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମସ୍ତ ବାଧାକୁ ଦୂର କରି ମନ୍ଦିର ନିର୍ମାଣର ମାର୍ଗ ପ୍ରଶସ୍ତ କରା ଯିବାର ଆବଶ୍ୟକତା ରହିଛି। ଦେଶବାସ ଙ୍କର ଧୈର୍ଯ୍ୟର ପରୀକ୍ଷା ନ ନେଇ ଏ ଦିଗରେ ଥିବା ସମସ୍ତ ବାଧାକୁ ଦୂର କରି ଭବ୍ୟ ମନ୍ଦିର ନିର୍ମାଣ କରିବା ହେଉଛି ସମୟର ଆବଶ୍ୟକତା। ତେଣୁ ମୁସଲମାନ ପକ୍ଷ ଏହି ମାମଲାର ସମାଧାନ କରିବାକୁ ଆଗେଇ ଆସିବା ସହ କୋର୍ଟ ମଧ୍ୟ ଶୁଣାଣୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ଆଶା କରା ଯାଉଛି।

(ଲେଖକଙ୍କ ନିଜସ୍ୱ ମତ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.