Home ଜିଲ୍ଲା ପରିକ୍ରମା ଅଭିଶପ୍ତ ଗାଁ ଖଜିରା; ଶିକ୍ଷା-ସ୍ୱାସ୍ଥ୍ୟ-ଗମନାଗମନ ସାତସପନ

ଅଭିଶପ୍ତ ଗାଁ ଖଜିରା; ଶିକ୍ଷା-ସ୍ୱାସ୍ଥ୍ୟ-ଗମନାଗମନ ସାତସପନ

99

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧିନତାର ୭୪ ବର୍ଷ ପରେବି ଶିକ୍ଷା-ସ୍ୱାସ୍ଥ୍ୟ ଓ ଗମନାଗମନପରି ମୌଳିକ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି ଖଜିରା ବାସୀ । ପାଖାପାଖି ୧୦୦୦ ଲୋକ ସଂଖ୍ୟା ବିଶିଷ୍ଟ ଏହି ଗାଁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅର୍ନ୍ତଗତ ବର୍ତ୍ତନା ପଂଚାୟତରେ ଅବସ୍ଥିତ ହୋଇଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଆଗରପଡ଼ା ଅଂଚଳ ଉପରେ ଶିକ୍ଷା,ସ୍‌ôାସ୍ଥ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ନିର୍ଭର କରିଥାନ୍ତି । ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାର ଡ଼ିଣ୍ଡିମ ପିଟୁଥିବାବେଳେ ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲୋଟିଛି ସାତ ସପନ । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥାନ୍ତି ଓ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଏହି ଗାଁର ଅଧିବାସୀ ମାନେ ଲୁହଭିଜା ନୟନରେ ଓ ଆବେଗଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଛନ୍ତି ।

ଚାରିପଟେ ଚାଷଜମି ମଧ୍ୟରେ ରହିଯାଇଛି ଏହି ଛୋଟିଆ ଗାଁ । ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଗ୍ରାମବାସୀମାନେ ନିଜ ପଂଚାୟତ ଓ ଆଗରପଡ଼ା ବଜାରକୁ ଅଣଓସାରିଆ କାଦୁଅ ରାସ୍ତାରେ ଯାଆଆସ କରିଥାନ୍ତି । ଖରା ଦିନକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବପର ହୋଇପାରୁନଥିବାରୁ ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ସେବା ଯୋଗାଇ ପାରିନଥାଏ । ଯଦ୍ୱାରା ରୋଗୀମାନଙ୍କୁ ଖଟିଆରେ ବୁହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥାଏ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ଏହି ଗାଁ ରୁ ଛାତ୍ରଛାତ୍ରୀ କଲେଜକୁ ଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ଏଠାରେ ଥିବା ପ୍ରାଥମିକ ସ୍କୁଲକୁ ରାସ୍ତା ସମସ୍ୟା ଯୋଗୁଁ ବହୁ କଷ୍ଟରେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଯାଆଆସ କରିଥାନ୍ତି । ବର୍ଷା ଋତୁ ରେ ଏହି ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ି ଥାଏ ଯଦ୍ୱାରା ଏଠାକାର ପିଲାମାନେ ଠିକ୍ ଭାବେ ଶିକ୍ଷାଦାନ ପାଇପାରିନଥାନ୍ତି । ଏହି ପରି ଅସମ୍ଭବ ପରିସ୍ଥିତମାନ ଏହି ଗାଁ ଲୋକେ ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ଗାଁ ଖଜିରା ଏକ ଅଭିଶପ୍ତ ଗାଁ ପାଲଟିଛି । ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.