Home ଜିଲ୍ଲା ପରିକ୍ରମା ଅବଦଲାପୁର – ବରପଦା ବଜାର ରାସ୍ତାର ଶୋଚନୀୟ ଅବସ୍ଥା, ନିର୍ମାଣ ନେଇ ଗ୍ରାମାବାସୀ ଜିଲ୍ଲା ପ୍ରଶାସନର...

ଅବଦଲାପୁର – ବରପଦା ବଜାର ରାସ୍ତାର ଶୋଚନୀୟ ଅବସ୍ଥା, ନିର୍ମାଣ ନେଇ ଗ୍ରାମାବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

26

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଂଚଳର ବିକାଶ ପାଇଁ ସରକାର ବିପୁଳ ଅର୍ଥ ପ୍ରଦାନ କରୁଛନ୍ତି ତେବେ ପ୍ରଶାସନିକ ସ୍ତରରେ ଏହି ଅର୍ଥର ସୁବିନିଯୋଗ ହୋଇପାରୁନାହିଁ । ଫଳରେ ସରକାରଙ୍କର ଗ୍ରାମୀଣ ବିକାଶ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛନ୍ତି । ଏହାର ଏକ ଦୃଷ୍ଟାନ୍ତ ହେଲା ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ପଂଚାୟତର ଅବଦଲାପୁର ଗାଁ । ଏହି ଗାଁଟି ପଂଚାୟତର ୧ ନଂମ୍ବର ୱାର୍ଡ଼ । ଏହି ଗାଁଟିର ଶତାଧିକ ମହିଳା ପୁରୁଷ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଭଦ୍ରକ ବ୍ଲକ ଠାରୁ ମାତ୍ର ୭ କିଲୋମିଟର ଦୂର । ସ୍ୱାଧିନତାର ୭୬ ବର୍ଷ ବିତି ଯାଇଥିଲେ ମଧ୍ୟ ଦୀପ ତଳ ଅନ୍ଧାର ଭଳି ଏହି ଗାଁକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଦୀର୍ଘ ବର୍ଷ ଧରି ଏହି ମୌଳିକ ସୁବିଧାରୁ ବଂଚିତ ହୋଇ ଗ୍ରାମବାସୀମାନେ ନାନା ଅସୁବିଧାରୁ ସମ୍ମୁଖିନ ହେଉଛନ୍ତି । ହେଲେ ଗ୍ରାମବାସୀଙ୍କର ଦୁର୍ଦ୍ଦଶା ପ୍ରତି ବ୍ଲକ କତ୍ତୃପକ୍ଷ କିମ୍ବା ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ । ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାର ଶୋଚନୀୟ ଅବସ୍ଥା ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ ଆଜିଯାଏଁ ସୁଫଳ ମିଳିନାହିଁ । ଗାଁକୁ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଏହି ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା ଉପରେ ପାଂଚଗୋଛିଆ, ଚାପୁଲା ଓ ମଦନଗଢ଼ିଆ ୩ଟି ଗାଁର ଲୋକମାନେ ନିର୍ଭର କରିଥାନ୍ତି । ରାସ୍ତାଟି ଖାଲଢ଼ିପରେ ପରିପୂର୍ଣ୍ଣ । ବିଶେଷକରି ବର୍ଷା ଋତୁରେ ଏହି ରାସ୍ତାଟିରେ ଛୋଟ ଛୋଟ କୃତ୍ରିମ ପୋଖରୀ ସୃଷ୍ଟି ହୋଇଅଛି । କୌଣସି ଘଟଣା କିମ୍ବା ଦୁର୍ଘଟଣା ଘଟିଲେ ଆମ୍ବୁଲାନ୍ସ କିମ୍ବା ଦମକଳ ଆସି ପାରୁନଥିବାରୁ ଅନେକ ଧନ ଜୀବନ ନଷ୍ଟ ହେଉଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କେବଳ ଗମନାଗମନ ନୁହେଁ ଶିକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ମଧ୍ୟ ବଂଚିତ ହେଉଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗାଁରେ ଗୋଟେ ମିନି ଅଙ୍ଗନବାଡ଼ି ନାହିଁ । ଏଠି ବଂଚିବା ପାଇଁ ନୀତି ଦିନ ସଂଗ୍ରାମ କରିବାକୁ ପଡ଼ିଥାଏ । ଗ୍ରାମବାସୀମାନେ ରାସ୍ତାର ତୁରନ୍ତ ମରାମତି ନେଇ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସମାଜସେବୀ ମୁନା ଶଙ୍ଖୁଆଙ୍କ ନେତୃତ୍ୱରେ ରେବତୀ ପଣ୍ଡା, କମଳିନୀ ପଣ୍ଡା, ବାସନ୍ତି ପଣ୍ଡା, ଭାରତୀ ପଣ୍ଡା, ବୃନ୍ଦବାତୀ ଶଙ୍ଖୁଆ, ଯୁଧିଷ୍ଠୀର ପଣ୍ଡା, ଅଜୟ କୁମାର ପଣ୍ଡା, ପ୍ରଫୁଲ୍ଲ ଶଙ୍ଖୁଆ, ମହେନ୍ଦ୍ର ଶଙ୍ଖୁଆ, ବାଂଛାନିଧି ଶଙ୍ଖୁଆ ପ୍ରମୁଖ ବହୁ ଗ୍ରାମବାସୀ ଦାବି ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.