ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ହେଉଛି ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ପୁଣ୍ୟପୀଠ । ସଂସ୍କୃତିର ଏ ବୈଚିତ୍ୟମୟ ଭୂମିରେ ସ୍ମୃତିର ଜୟଯାତ୍ରାକୁ ଅବ୍ୟାହତ ରଖିବାରେ ଯେଉଁ ପ୍ରତିଭାଧର ବ୍ୟକ୍ତିଙ୍କର ମହନୀୟ ଅବଦାନ ରହିଛି, ତନ୍ମଧ୍ୟରେ ଅପୂର୍ବ ରଞ୍ଜନ ରାୟଙ୍କ ନାମ ଉଲ୍ଲେଖଯୋଗ୍ୟ । ମାଟିରେ ସଜଫୁଟା ଫୁଲ ପରି ସେ ଥିଲେ ସଦା ସତେଜ ଓ ଚଳଚଞ୍ଚଳ । ଏହି ପୁଣ୍ୟପୀଠରେ ସାହିତ୍ୟ ଓ ସାଂସ୍କୃତିକ ଅଭ୍ୟୁଦୟ କ୍ଷେତ୍ରରେ ତାଙ୍କର ଭୂମିକା ଅବିସ୍ମରଣୀୟ । ସାମ୍ବାଦିକତାରୁ ବୃତ୍ତି ଜୀବନ ଆରମ୍ଭ କରି ଓଡ଼ିଆ କବିତା, ଗୀତିକବିତା, ଶିଶୁ ସାହିତ୍ୟ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଜୀବନୀ, ସ୍ତମ୍ଭସାହିତ୍ୟ ଓ ସଂପାଦନା ଇତ୍ୟାଦି ବିଭିନ୍ନ ବିଭାଗରେ ଦକ୍ଷତାପୂର୍ଣ୍ଣ ଲେଖନୀ ଚାଳନା ପୂର୍ବକ ଅଶେଷ ପାରଦର୍ଶିତା ଅର୍ଜନ କରିଥିବା ପ୍ରଜ୍ଞାମାନସ ଭାବେ ସେ ଚିରସ୍ମରଣୀୟ ହୋଇରହିବେ । ଏଣୁ, ବାସ୍ତବରେ ‘ସ୍ୱୟଂ ଅପୂର୍ବ ହିଁ ସାରସ୍ୱତ ପୁଣ୍ୟପୀଠ ସ୍ମାରକୀ’ ବୋଲି ଅପୂର୍ବ ରଂଜନ ରାୟ ସ୍ମୃତିସଂସଦ ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସପ୍ତମ ବାର୍ଷିକ ସ୍ମୃତି ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସ୍ମୃତି ସଂସଦର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ୍ ଓ ମୁଖ୍ୟବକ୍ତା ଭାବେ ଡାକ୍ତର ପ୍ରଦୀପ କୁମାର ନାୟକ ଯୋଗଦେଇ ଓଡ଼ିଆ ସାହିତ୍ୟ ଜଗତରେ ଅପୂର୍ବ ରଂଜନ ରାୟ ଜଣେ ଅସାଧାରଣ ପ୍ରତିଭା ଥିଲେ ଓ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଭଦ୍ରକରେ ଏକ ପାଠଗାର ସ୍ଥାପନର ବ୍ୟବସ୍ଥା କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।
ବୟୋଜ୍ୟେଷ୍ଠ ସାହିତ୍ୟିକ କରୁଣାକର ବେହୁରିଆ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୃତିସଂସଦ ସମ୍ପାଦକ ପ୍ରବୀର କୁମାର ଜେନା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପ୍ରାକ୍ତନ ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟଶିଳ୍ପୀ ଧୀରେନ୍ଦ୍ରନାଥ ମଲ୍ଲିକଙ୍କୁ ଅପୂର୍ବ ରଞ୍ଜନ ରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଲିପିପୁଷ୍ପା ରାୟ ମାନପତ୍ର ପାଠ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମଲ୍ଲିକ୍ ସଂସ୍କୃତି ହେଉଛି ଏକ ସ୍ମୃତିର ପାହାଚ ଓ ଅପୂର୍ବସ୍ମୃତି ହୃଦୟରେ ରୂପାଜହ୍ନ ପରି ଚିରଭାସ୍ୱର ବୋଲି ମତବ୍ୟକ୍ତ କରିଥିଲେ । ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏହି ଅବସରରେ ଯୋଗଦେଇ ସ୍ୱର୍ଗତ ରାୟଙ୍କ ଉଦ୍ଦେଶ୍ୟରେ ପାଠାଗାରର କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ, ସ୍ତମ୍ଭକାର ଅଭୟ ଦ୍ୱିଦେଦୀ, କବି ହୃଦାନନ୍ଦ ପାଣିଗ୍ରାହୀ, ଡକ୍ଟର ଅଭୟ କୁମାର ଦାସ, କବି ହରୀଶ୍ ଦାସ, ଚନ୍ଦ୍ରଶେଖର ନାୟକ, ଡ.ଦୁର୍ଯ୍ୟୋଧନ ଦାସ,ଉର୍ଦ୍ଦୁକବି ମୁସ୍ତାକ ଗହ୍ୱର ଓ ଭଗତସେନାର ଆବାହକ ସୀତାଂଶୁ ମହାପାତ୍ର ପ୍ରମୁଖ ସ୍ମୃତିବକ୍ତବ୍ୟ ପ୍ରଦାନ କରିଥିଲେ । ବୈକୁଣ୍ଠ ବିଶ୍ୱାଳ ମଞ୍ଚ ।ମନ୍ତ୍ରଣ ଓ ରୂପକବିହାରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମୃତି ସଂସଦ ଆନୁକୂଲ୍ୟରେ ଗୋପାଳଜୀଉ ହାଇସ୍କୁଲ ପ୍ରାଙ୍ଗଣରେ ସାଂସଦ ମଞ୍ଜଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।