Home Top News ଅନ୍ଧାରରେ ବିଜେଡି !

ଅନ୍ଧାରରେ ବିଜେଡି !

165

ଭାରତ ବର୍ଷର ଏକ ପ୍ରମୁଖ ଆଂଚଳିକ ଦଳ ହେଉଛି ବିଜୁ ଜନତା ଦଳ। ଏହା କ୍ରମାଗତ ଭାବରେ ୨୧ ବର୍ଷ ଧରି ଓଡିଶାରେ ସରକାର ଚଳାଉଛି। ଏହାର ସୁବ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଲଗାତାର ଭାବରେ ୨୧ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏବେ ପଂଚମ ପାଳିର ସରକାର ଚାଲିଛି। ଏହି ପାଳିରେ ସରକାର ଅନେକ ବିବାଦରେ ଛନ୍ଦି ହୋଇ ପଡିଛି। ବିଶେଷ କରି ମମତା ମେହେର ହତ୍ୟାକାଣ୍ଡ ଘଟଣା ସରକାର ତଥା ଦଳକୁ ହରଡ ଘଣାରେ ପକାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ବିରୋଧି ଦଳ ସରକାରଙ୍କୁ ଘେରିଛନ୍ତି। ସମାନ ଭାବରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ କ୍ୟବିନେଟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିକୁ ନେଇ ରାଜ୍ୟ ରାଜନିତୀ ସରଗରମ। ଏହି ଦୁଇ ଘଟଣାରେ ବିରୋଧି ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଘଟଣା ପଲ୍ଲୀ ଠାରୁ ଯାଇ ଦିଲ୍ଲୀରେ ପହଂଚିଲାଣି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଘଟଣା ଉପରେ ବିବୃତି ମଧ୍ୟ ଦେଉ ନାହାଁନ୍ତି। କେବଳ ସେତିକି ନୁହେଁ ଏଭଳି ସ୍ପର୍ଶକାତର ଘଟଣାରେ ଦଳର କୌଣସି ବରିଷ୍ଠ ନେତା ମଧ୍ୟ ମିଡିଆ ସମ୍ମୁଖକୁ ଆସୁ ନାହାଁନ୍ତି। ଯୁବ ଓ ଛାତ୍ର ଜନତାର କିଛି ଅନଭିଜ୍ଞ ନେତା ଓ ନେତ୍ରୀ ବିରୋଧିଙ୍କୁ କାଉଂଟର କରୁଛନ୍ତି। ସମସ୍ତ ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଠାରୁ ଦୂରେଇ ରଖା ଯାଉଛି। ଦଳର ସାଂଗଠନିକ ସଂପାଦଳ ତଥା ଯାଜପୁର ବିଧାୟକ ପ୍ରରବ ପ୍ରକାଶ ଦାସ ଓ କିଛି ଯୁବ ତଥା ଛାତ୍ର ନେତାଙ୍କୁ ଧରି ବିଜେଡିର ରାଜନୈତିକ ସଂଗଂନ ଚାଲୁଛି ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି। ଆଗକୁ ଆସୁଛି ପଂଚାୟତ ଓ ପୌର ନିର୍ବାଚନ। ମମତା ମେହେର ଓ ମାହାଙ୍ଗା ଡବଲ ମର୍ଡର ଘଟଣା ଯଦି ପ୍ରସମିତ ନ ହୁଏ ତେବେ ଆଗାମୀ ଦୁଇ ନିର୍ବାଚନରେ ଦଳ କ୍ଷତିର ସମ୍ମୁଖିନ ହୋଇ ପାରେ ବୋଲି ଖୋଦ ଦଳୀୟ ନେତାମାନେ ହୃଦୟଙ୍ଗମ କରୁଛନ୍ତି। ଦଳର ଭବିଷ୍ୟତକୁ ନେଇ ଏହି ନେତାମାନେ ସନ୍ଦିହୀନ।

ଭାରତ ବର୍ଷରେ ଯେତେ ବି ଆଂଚିକ ଦଳ ଅଛି ସବୁ ଦଳର କମାଣ ପ୍ରତିଷ୍ଠାତା ସଭାପତି ତଥା ସେମାନଙ୍କ ପରିବାର ହାତରେ ରହିଛି। ଏହାହେଉଛି ଭାରତ ବର୍ଷର ରାଜନୈତିକ ପରମ୍ପରା। ମୁଲାୟମଙ୍କ ପରେ ଅଖିଳେଶ ସମାଜବାଦୀ ପାର୍ଟୀର ମଙ୍ଗ ଧରିଲେ। ଲାଲୁ ଯାଜବଙ୍କ ପରେ ତାଙ୍କ ପୁତ୍ର ତେଜସ୍ୱୀ ଯାଦବ ଆରଜେଡି ମୁଖିଆ ହେଲେ ଏବଂ ସଫଳତା ପାଇଲେ। ଜାମୁ ଓ କାଶ୍ମୀରରେ ଫାରୁକଙ୍କ ପରେ ତାଙ୍କ ପୁଅ ଓମର ଅବ୍‌ଦ୍ଦୁଲ୍ଲା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ। ମହାରାଷ୍ଟ୍ରରେ ଶିବସେନାରେ ଉଦ୍ଧବ ଠାକରେଙ୍କୁ ରାଜ୍ୟବାସୀ ଗ୍ରହଣ କଲେ କାରଣ ସେ ବାଲ ଠାକରେଙ୍କ ପୁଅ। ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡୀ ମଧ୍ୟ ନିଜର ପିତାଙ୍କ ବୀରାସତକୁ ଉପଭୋଗ କରୁଛନ୍ତି। ଆନ୍ଧ୍ରପ୍ରଦେଶରେ ତେଳଗୁ ଦେଶମ ପାର୍ଟୀ ଏନଟି ରାମାରାଓଙ୍କ ପରେ ତାଙ୍କ ଜାମାତା ଚନ୍ଦ୍ରବାବୁ ନାଇଡୁଙ୍କ ହାତରେ। ଏନଟିଆରଙ୍କ ସମସ୍ତ ପୁତ୍ର ଚଳଚିତ୍ର ଓ ବ୍ୟବସାୟ ସହିତ ସଂଶ୍ଳିଷ୍ଟ। ତେଣୁ ଏନଟିଆଙ୍କ ଉତରାଧି୍‌କାରୀ ଭାବରେ ଜାମାତା ଚନ୍ଦ୍ରବାବୁଙ୍କୁ ପାରିବାରିକ ସମର୍ଥନ ମିଳିଲା ଓ ସେ ସଫଳ ହେଲେ। ତାମିଲନାଡୁରେ କରୁଣାନିଧିଙ୍କ ପରେ ତାଙ୍କ ପୁଅ ଏମ.କେ.ଷ୍ଟାଲିନ ଡିଏମକେର ନେତୃତ୍ୱ ନେଇ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ତାମିଲନାଡୁରେ ଆଉ ଗୋଟିଏ ରାଜନୈତିକ ଦଳ ଅଛି ତାହା ହେଉଛି ଏଆଇଏଡିଏମକେ। ତାମିଲନାଡ଼ୁର ଏହି ଦୁଇ ରାଜନୈତିକ ଦଳ ଦୀର୍ଘ ବର୍ଷ ଧରି ରାଜ୍ୟକୁ ଶାସନ କରି ଆସୁଛନ୍ତି। ଡିଏମକେକୁ ରାଜ୍ୟରେ ସୁଦୃଢ କରିଥିଲେ ଏମ.କରୁଣାନିଧି ଏବଂ ଏଆଇଏଡିଏମକେକୁ କ୍ଷମତାଶୀଳ ତଥା ଲୋକପ୍ରିୟ କରି ପାରିଥିଲେ ଏହାର ସୁପ୍ରିମୋ ଜେ.ଜୟଲଳିତା। ସେ ଆଜୀବନ ଅବିବାହିତା ଥିଲେ। ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା। ତାପରେ ତାଙ୍କ ଦଳରେ ଘୋରବିଦ୍ରୋହ ଦେଖା ଦେଇଥିଲା। ତାଙ୍କ ବାନ୍ଧବୀ ତଥା ଛାୟା ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟ ଚଳାଉଥିବା ଶଶୀକଳା ଜେ. ଜୟଲଳିତାଙ୍କ ଅକାଳ ମୃତ୍ୟୁ ପରେ ଦଳକୁ ନିଜ ଅକ୍ତଆରକୁ ନେବାକୁ ଚେଷ୍ଟା କଲେ। ଦଳ ଭିତରେ ଘୋର ରାଜନୈତିକ ସଂକଟ ଦେଖାଦେଲା। ତାମିଲନାଡୁବାସୀ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ। ଶଶୀକଳାଙ୍କ ସମର୍ଥନ ପାଇ ଦଳର ବରିଷ୍ଠ ନେତା ଓ. ପନ୍ନିରସେଲଭମ ୬ ଡିସେମ୍ବର ୨୦୧୬ ରୁ ୧୫ ଫେବୃୟାରୀ ୨୦୧୭ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ। ଶଶୀକଳା ଭାବିଥିଲେ ଓ. ପନ୍ନିରସେଲଭମଙ୍କୁ ମୁଖ୍ୟମନ୍ତ୍ରୀ କରାଇ ସେ ପୁର୍ବଭଳି ରାଜ୍ୟର ଛାୟା ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ମାତ୍ର କିଛିଦିନ ପରେ ଦଳରେ ଘୋର ବିଦ୍ରୋହ ଦେଖାଦେଲା। ଦଳର ବରିଷ୍ଠ ନେତା ଇ.କେ.ପାଲାନିସ୍ୱାମୀଙ୍କୁ ଦଳର ନେତା ଭାବରେ ବଛା ଗଲା ଓ ସେ ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ। ପୂର୍ବ ମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ ମଧ୍ୟ ଇ.କେ.ପାଲାନିସ୍ୱାମୀଙ୍କୁ ନେତା ଭାବରେ ଗ୍ରହଣ କଲେ ଓ ଦଳର ସ୍ଥାୟିତ୍ୱ ଆସିଗଲା। ତା ପରେ ଶଶୀକଳାଙ୍କ ଅବସ୍ଥା କଣ ହେଲା ତାହା ସମସ୍ତଙ୍କୁ ଜଣା। ତେଣୁ ଭାରତ ବର୍ଷର ପ୍ରତିଟି ଆଂଚଳିକ ରାଜନୈତିକ ଦଳର ମଙ୍ଗ ପିଢୀ ପରେ ପିଢୀ ପରିବାର ହାତରେ ହିଁ ରହିଛି ଏବଂ ଜନସାଧାରଣ ସେମାନଙ୍କୁ ହିଁ ଭୋଟ ଦେଇ କ୍ଷମତାକୁ ଆଣୁଛନ୍ତି।

ଓଡିଶାର ରାଜନୈତିକ ପାଣିପାଗ ମଧ୍ୟ ସେଇଆ। ଏଠାରେ ଦୁଇଟି ଜାତୀୟ ଦଳ କ୍ଷମତାରେ ରହି ଆସୁଥିଲେ। ଗୋଟିଏ ଜାତୀୟ କଂଗ୍ରେସ ଓ ଅନ୍ୟଟି ଜନତା ଦଳ। କଂଗ୍ରେସ ବହୁ ବର୍ଷ ଓଡିଶାକୁ ଶାସନ କରିଛି। ଜନତା ଦଳର ମଙ୍ଗ ଧରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ। ମାତ୍ର ସେତେଟା ସଫଳତା ପାଇ ପାରି ନଥିଲେ। ତାଙ୍କ ପ୍ରଚଣ୍ଡ ରାଜନୈତିକ ଦୂରଦୃଷ୍ଟି ଥିଲା। ଓଡିଶାରେ ଏକ ଆଂଚଳିକ ରାଜନୈତିକ ଦଳର ଆବଶ୍ୟକତାକୁ ସେ ହୃଦୟଙ୍ଗମ କରିଥିଲେ। ଉତ୍କଳ କଂଗ୍ରେସ ନାମକ ଏକ ଆଂଚଳିକ ଦଳ ମଧ୍ୟ ଗଠନ କରିଥିଲେ। ମାତ୍ର ସେଥିରେ ସେ ସଫଳତା ପାଇ ପାରି ନଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର କିଛି ଘନିଷ୍ଟ ସହଯୋଗୀ ଓ ଜନତା ଦଳର କିଛି ବରିଷ୍ଠ ନେତା ମିଶି ବିଜୁ ଜନତା ଦଳ ଗଠନ କଲେ। ମାତ୍ର ଦଳକୁ କ୍ଷମତାକୁ ଆଣିବାକୁ ହେଲେ ବିଜୁ ବାବୁଙ୍କ ଦାୟାଦଙ୍କୁ ହିଁ ମୁଖିଆ କରିବାକୁ ପଡିବ। ନହେଲେ ଭୋଟ ମିଳିବ ନାହିଁ। ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ହେଲେ ଦଳର ସଭାପତି ଏବଂ ଦଳ ସଫଳତାର ଶୀର୍ଷ ଛୁଇଁ ପାରିଲା।

ମାତ୍ର ଏବେ ପ୍ରଶ୍ନ ଉଠୁଛି ନବୀନଙ୍କ ପରେ କିଏ ? ଏହି ପ୍ରଶ୍ନ ଦୀର୍ଘ ବର୍ଷ ଧରି ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି। ନବୀନ ମଧ୍ୟ ଅନେକ ଥର କହି ସାରିଛନ୍ତି ଓଡିଶାବାସୀ ହିଁ ଚୟନ କରିବେ ତାଙ୍କ ପରେ ବିଜୁ ଜନତା ଦଳର ମୁଖିଆ କିଏ ହେବ ? ମାତ୍ର ଭାରତ ବର୍ଷରେ ଗଣ୍ଡା ଗଣ୍ଡା ଉଦାହରଣ ଦଳର ପ୍ରତିଷ୍ଠାତାଙ୍କ ଦାୟାଦ ଯଦି ମଙ୍ଗ ଧରିବେ ତେବେ ଦଳର ସ୍ଥାୟିତ୍ୱ ରହିବ। ଜନସାଧାରଣ ଏହାକୁ ସହଜରେ ଗ୍ରହଣ କରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିବାହିତ। ତାଙ୍କ ବଡ ଭାଇ ଓ ଭଉଣୀ ରାଜନିତୀକୁ ଆସିବାର ବୟସ ଅତିକ୍ରମ କରି ସାରିଲେଣି। ଏକମାତ୍ର ଉତରାଧିକାରୀ ହେଉଛନ୍ତି ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସୁପୁତ୍ର ଅରୁଣ ପଟ୍ଟନାୟକ। ସେ କିନ୍ତୁ ବହୁବାର କହି ସାରିଛନ୍ତି ତାଙ୍କର ରାଜନୀତି ପ୍ରତି ଆଗ୍ରହ ନାହିଁ। ଦେଶର ଅନ୍ୟ ରାଜ୍ୟର ଆଂଚଳିକ ଦଳ ଗୁଡିକୁ ଭୋଟରମାନେ ଗ୍ରହଣ କରିଛନ୍ତି କେବଳ ରକ୍ତ ସଂପର୍କ ଉତରାଧିକାରୀ ପାଇଁ। ପାଳିତ ପୁତ୍ର, ପାଳିତ କନ୍ୟାକୁ କେବେ ବି ଜନସାଧାରଣ ଗ୍ରହଣ କରି ପାରିବେ ନାହିଁ। ତେଣୁ ବିଜୁ ଜନତା ଦଳର ଭବିଷ୍ୟତକୁ ନେଇ ଅନେକ ନେତା ଏବେ ଆଶଙ୍କାରେ। ଦେଶର ଗୋଟିଏ ବୃହତ ଆଂଚଳିକ ଦଳର ଅବସ୍ଥା କଣ ହେବ ? ଉପରେ ପରିପ୍ରକାଶ ନକଲେ ମଧ୍ୟ ନିଜ ନିଜ ରାଜନୈତିକ ଭବିଷ୍ୟତ ନେଇ ଅନେକ ନେତା ଏବେ ଅନ୍ଧକାରେରେ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.