Home କେନ୍ଦ୍ରାପଡ଼ା ଅନ୍ତିମ ପର୍ଯ୍ୟାୟରେ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ

ଅନ୍ତିମ ପର୍ଯ୍ୟାୟରେ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ

102

କେନ୍ଦ୍ରାପଡ଼ା, ୨୯ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନେତ୍ରୋତ୍ସବ ଆଜି। ପ୍ରଭୁ ଶ୍ରୀଜୀଉଙ୍କ ନବ ଯୈାବନ ଦର୍ଶନ କରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ଏଥିପାଇଁ ସିଦ୍ଧବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମାମାନଙ୍କ ଦ୍ୱାରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା। ସେହି ଅନୁଯାୟୀ ତୁଳସୀକ୍ଷେତ୍ରରେ ମଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଗଡ଼ିବ। ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନେତ୍ରୋତ୍ସବ ପରଦିନ ଅନୁଷ୍ଠିତ ହେବ ଉଭା ଯାତ୍ରା। ଏହା ପରଦିନ ଗୁଣ୍ଡିଚା ବା ଘୋଷ ଯାତ୍ରା। ଶ୍ରୀଜୀଉମାନେ ଅଣସର ଘରେ ଅଛନ୍ତି। ନେତ୍ରୋତ୍ସବ ଦିନ ଠାକୁରଙ୍କ ନେତ୍ର ଫିଟିବ। ଏହି ଦିନ ଠାକୁରମାନେ ଅଣସରପିଣ୍ଡି ଛାଡିବେ। ଠାକୁରମାନେ ଆସି ମଝି ଦେଉଳରେ ଉଭା ହେବେ। ଏହାପରେ ଠାକୁରମାନେ ଆଉ ରତ୍ନ ବେଦୀକୁ ବିଜେ କରିବେ ନାହିଁ। ଏହାର ପରଦିନ ଅର୍ଥାତ ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ହୋଇ ରଥକୁ ବିଜେ କରିବେ। ବାହୁଡା ଯାତ୍ରା ସାରି ନିଳାଦ୍ରୀ ବିଜେ ଦିନ ଶ୍ରୀଜୀଉମାନେ ପୁଣି ବଡ଼ ଦେଉଳକୁ ବିଜେ କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ୨୦୨୦ ଓ ୨୦୨୧ ମସିହାରେ କରୋନା କଟକଣା ଯୋଗୁଁ ରଥଯାତ୍ରା ଅନୁଷ୍ଠିତ ହୋଇ ନ ଥିଲା। କରୋନା କଟକଣା ଏଥିରେ ବାଧକ ସାଜିଥିଲା। ଯାହାଦ୍ୱାରା ଭକ୍ତମାନେ ଠାକୁରଙ୍କୁ ରଥରେ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଆଉ କଟକଣା ପ୍ରାୟତଃ ନାହିଁ। କିନ୍ତୁ ଏବେ କରୋନା ଟିକେ ଉପହମୁହାଁ ହୋଇଥିବାରୁ ତୁଣ୍ଡି ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷରେ ଲାଭ ଦାୟକ ହେବ। କାରଣ ପ୍ରବଳ ଗହଳି ଯୋଗୁ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିବେ ତାହା ହେଲେ ତାହା ଅନ୍ୟ ଭକ୍ତଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ତେଣୁ ତୁଣ୍ଡି ବ୍ୟବହାର କରିବା ଉଚିତ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କାରଣ କରୋନା ଜାତୀୟ ସ୍ତରରେ ଦୁଇ ଅଙ୍କ ଛୁଇଁ ସାରିଲାଣି। ଓଡିଶାରେ ମଧ୍ୟ ଏହା ଉପରମୁହାଁ ଅଛି। ତେଣୁ କିପରି ସୁରକ୍ଷିତ ରଥଯାତ୍ରା ଅନୁଷ୍ଠିତ ହେବ ସେ ନେଇ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଚଳିତ ରଥଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ। କାରଣ ଦୁଇ ବର୍ଷ ହେବ ଭକ୍ତମାନେ ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.