Home ଜିଲ୍ଲା ପରିକ୍ରମା ଅନ୍ତସତ୍ୱା ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ, ଅନ୍ୟ ଅଭିଯୁକ୍ତମାନେ ଫେରାର, ପୁଲିସ୍ ସାଇଣ୍ଟିଫିକ୍ ଟିମ୍‌ର...

ଅନ୍ତସତ୍ୱା ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ, ଅନ୍ୟ ଅଭିଯୁକ୍ତମାନେ ଫେରାର, ପୁଲିସ୍ ସାଇଣ୍ଟିଫିକ୍ ଟିମ୍‌ର ଅନୁସନ୍ଧାନ ଆରମ୍ଭ

14

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମର ସିପୁନ ଦାସ(୩୧) ପରିବାର ଲୋକଙ୍କ ସହ ମିଶି ପତ୍ନୀ ତପସ୍ୱିନୀ ଦାସ(୨୩)କୁ ରବିବାର ରାତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ତପସ୍ୱିନୀର ଶବ ଗ୍ରାମର ଚଣ୍ଡିପଡିଆ ରାସ୍ତା ପାଶ୍ୱର୍ରେ ପଡିଥିବାବେଳେ ସୋମବାର ସକାଳେ ଫୁଲତୋଳାଳୀ ଶବ ଦେଖିବାରୁ ଘଟଣା ପ୍ରଚାରିତ ହୋଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି । ଡ୍ରେସପିନ୍ଧା ମୃତ ତପସ୍ୱିନୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ସ୍ପଷ୍ଟଭାବେ ରହିଥିବାବେଳେ ଶବ ନିକଟରେ ଏକ ଗାମୁଛା ପଡିଥିଲା । ଅଧିକ ତଦନ୍ତ ପାଇଁ ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ସହ ସନ୍ଧାନୀ କୁକୁର ଆସି ଘଟଣାସ୍ଥଳରେ ପହଞ୍ôଚଥିଲେ । ମାଜିଷ୍ଟ୍ରେଟ ତଥା ତହସିଲଦାର ସରୋଜକାନ୍ତ ନାୟକଙ୍କ ଉପସ୍ଥିତିରେ ଓ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପୁଲିସ ଟିମ ତଦନ୍ତ କରିବା ମଧ୍ୟରେ ପୁଲିସ କୁକୁର ଗାମୁଛାକୁ ଶୁଙ୍ଘି ୨ ଶହ ମିଟର ଦୂରରେ ଥିବା ହତ୍ୟାକାରୀ ଘର ନିକଟକୁ ଯାଇଥିଲା । ଠିକ୍ ସେତିକିବେଳେ ଖସି ପଳାଇଯାଉଥିବା ପତ୍ନୀହନ୍ତା ସ୍ୱାମୀକୁ ପୁଲିସ ମୋବାଇଲ ଟ୍ରାକିଂ ଜରିଆରେ ରଣଜିତ-ପର୍ବତୀ ରାସ୍ତାରୁ କାବୁ କରି ହେପାଜତକୁ ନେଇଛି । ମୃତ ତପସ୍ୱିନୀର ପିତା ପ୍ରଫୁଲ୍ଲ ଦାସ ପୁଲିସ ନିକଟରେ ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦ, ଭଜଣା, ସଉତୁଣୀ ମିଳିତ ଭାବେ ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଥାନାରେ ୩୫୫/୨୩ନଂ ହତ୍ୟାମାମଲା ଋଜୁ ହୋଇ ବ୍ୟବଚ୍ଛେଦ ପାଇଁ ଶବ ଭଦ୍ରକ ପଠାଯାଇଛି ।

ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ବିବରଣୀରୁ ପ୍ରକାଶ ନପଙ୍ଗ ଦାସସାହିର ସିପୁନୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ଖୋଳାମୁହଁ ଠାରେ ରହୁଥିବା ପ୍ରଫୁଲ୍ଲ ଦାସଙ୍କ ଝିଅ ତପସ୍ୱିନୀକୁ ବର୍ଷକ ତଳେ ପ୍ରେମ ବିବାହ କରିଥିଲା । ତପସ୍ୱିନୀ ସ୍ୱାମୀ ସହ ଶ୍ୱଶୁର ଘରକୁ ଯାଇ ସିପୁନୁର ପ୍ରଥମ ପତ୍ନୀ ଓ ପୁଅ ଥିବାର ଜାଣିଥିଲା । ସେହିଦିନ ଠାରୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ସହ ତପସ୍ୱିନୀର ଝଗଡା ଆରମ୍ଭ ହୋଇଥିଲା । ଫଳରେ ସିପୁନୁ ଦ୍ୱିତୀୟ ପତ୍ନୀ ତପସ୍ୱିନୀକୁ ନେଇ ଯାଜପୁର ସହରରେ ଭଡାରେ ରହୁଥିଲା । ସିପୁନୁ ଯାଜପୁର ଭଡାଘରୁ ଲୁଚି ପଳାଇ ଆସିବାରୁ ତପସ୍ୱିନୀ ଯାଜପୁର ସହର ସ୍ୱଧାରଘରେ କିଛି ଦିନ ରହିଥିଲା । ଏଥିପାଇଁ ସିପୁନୁ ଓ ତପସ୍ୱିନୀର ପରିବାର ମଧ୍ୟରେ ଝଗଡା ଲାଗି ରହିଥିଲା । ତେବେ ଉଭୟପକ୍ଷର ଭଦ୍ରଲୋକ ଏକାଧିକବାର ସମାଧାନ ପାଇଁ ଆସି ବିଫଳ ହୋଇଥିଲେ । ଏହି ମାମଲା ମଧ୍ୟ ଥାନାକୁ ଯାଇଥିଲା । ଏହା ପରେ ପୁନର୍ବାର ସିପୁନୁ ତପସ୍ୱିନୀକୁ ନେଇ ଯାଜପୁର ସହରରେ ଭଡାରେ ରହିଥିଲା । ଇତି ମଧ୍ୟରେ ତପସ୍ୱିନୀ ୮ ମାସର ଗର୍ଭବତୀ ଥିବାବେଳେ ଗତ ରବିବାର ଅପରାହ୍ନରେ ସିପୁନୁ ତାକୁ ବାଇକରେ ନେଇ ନପଙ୍ଗ ଗ୍ରାମକୁ ଆସିବା ମଧ୍ୟରେ ସୋମବାର ସକାଳୁ ରାସ୍ତା କଡରୁ ତପସ୍ୱିନୀର ମୃତ ଦେହ ମିଳିବା ଘଟଣା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.