Home ଜିଲ୍ଲା ପରିକ୍ରମା ଅଧାପନ୍ତରିଆ ହୋଇ ପଡ଼ିଛି ତିହିଡ଼ି ମିନି ଷ୍ଟାଡିୟମ, ୧୩ବର୍ଷ ପରେ ବି ହୋଇପାରୁନି କ୍ରୀଡା ଉପଯୋଗୀ

ଅଧାପନ୍ତରିଆ ହୋଇ ପଡ଼ିଛି ତିହିଡ଼ି ମିନି ଷ୍ଟାଡିୟମ, ୧୩ବର୍ଷ ପରେ ବି ହୋଇପାରୁନି କ୍ରୀଡା ଉପଯୋଗୀ

7

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡ଼ି ବ୍ଲକରେ ଥିବା ଏକମାତ୍ର ମିନି ଷ୍ଟାଡିୟମ ଖେଳାଳିମାନଙ୍କ ପାଇଁ ନୈରାଶ୍ୟ ଭାବ ସୃଷ୍ଟି କରିଛି। କ୍ରୀଡାର ଭିିିତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟରେ ତିହିଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ୨୦୧୧ ମସିହାରେ ମିନି ଷ୍ଟାଡିୟମ ନିର୍ମାଣ କରାଯାଇ ଥିଲେ ମଧ୍ୟ ଏହା ଏଯାଏ କ୍ରୀଡ଼ା ଉପଯୋଗୀ ହୋଇପାରିନାହିଁ। ଷ୍ଟାଡିୟମଟି ଅଧାପନ୍ତରିଆ ଭାବରେ ପଡ଼ି ରହିଥିବା ଜଣାପଡ଼ିଛି। ଏପରିକି ଷ୍ଟାଡିୟମରେ ୩୦ଲକ୍ଷ ଟଙ୍କା ବିନିଯୋଗ ହୋଇସାରିବା ପରେ ବି ଏହା କ୍ରୀଡା ଉପଯୋଗୀ ହୋଇନପାରିବା କ୍ରୀଡାପ୍ରେମୀଙ୍କୁ ବିସ୍ମିତ କରିଛି। ତିହିଡି ସରକାରୀ ହାଇସ୍କୁଲ ପାର୍ଶ୍ୱରେ ଏହି ମିନି ଷ୍ଟାଡିୟମ ଅବସ୍ଥିତ। ସାମ୍ନାରେ ଥିବା ଫାଟକରୁ ମିନି ଷ୍ଟାଡିୟମ ବୋଲି ଯାହା ସୂଚନା ମିଳୁଛି। ଫାଟକ ସାମ୍ନା ସ୍ଥାନୀୟ ଅଂଚଳବାସୀଙ୍କ ପାଇଖାନା ପାଲଟିଛି। ଷ୍ଟାଡିୟମ ଉଚ୍ଚାଖାଲ ହୋଇଥିବା ବେଳେ ବିଭିନ୍ନ ପ୍ରକାର ଘାସରେ ପରିପୂର୍ଣ୍ଣ। ତେବେ ଷ୍ଟାଡିୟମର ଉନ୍ନତିକରଣ ପାଇଁ ୨୦୧୧ରେ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏହି ଅର୍ଥର ବିନିଯୋଗ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ଚୟନ କରାଯାଇଥିଲା। ତେବେ ଷ୍ଟାଡିୟମ ସ୍ଥଳରେ ନାମକୁମାତ୍ର କିଛି ମାଟି ପକାଯାଇଥିଲା ଏବଂ ଷ୍ଟାଡିୟମ ପାର୍ଶ୍ୱରେ ଏକ ଘର ନିର୍ମାଣ କରାଯାଇଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଯେଉଁ ଘର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ତେବେ କୌତୁହଳର ବିଷୟ ହେଉଛି ସେହି ଘର ପାର୍ଶ୍ୱରେ ଏବେ ଏକ ନୂତନ ଘରର ନିର୍ମାଣ କାର୍ଯ୍ୟ ହୋଇଛି। ପୂର୍ବରୁ ନିର୍ମିତ ଘରର ଯତ୍ନ ନିଆଯାଇ ପାରୁନଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଅନ୍ୟ ଏକ ଗୃହ ନିର୍ମଣ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ। ତେବେ ଷ୍ଟାଡିୟମକୁ ପ୍ରଥମେ କ୍ରିଡା ଉପଯୋଗୀ କରାନଯାଇ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବା ଯୁକ୍ତିସଙ୍ଗତ ନୁହେଁ ବୋଲି କୁହାଯାଇଛି। ବର୍ଷାଦିନେ ଷ୍ଟାଡିୟମରେ ପାଣି ଭର୍ତି ହୋଇଯାଉଥିବାରୁ ସେଠାରେ କେତେ ମାଟି ପକାଯାଇଛି ତାହା ତଦନ୍ତ ସାପେକ୍ଷ। ତିହିଡି ବ୍ଲକରେ ଯେଉଁ ଲକ୍ଷ୍ୟ ନେଇ ମିନି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା ତାହା ବର୍ଷବର୍ଷ ପରେ ବି ପୂରଣ ନହେବା କ୍ରୀଡା ବିଭାଗ କର୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଷ୍ଟାଡିୟମ ନଥିବାରୁ ସରକାରୀ ଭାବରେ ବିଭିନ୍ନ ଖେଳ କାଳୀପଡ଼ିଆରେ କରାଯାଉଛି। ପଡ଼ିଆଟି ଖେଳ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ହୋଇନଥିବାରୁ ଖେଳାଳିମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ତେବେ ନୂତନ ସରକାରଙ୍କର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତିହିଡ଼ି ମାଟିର ପୁଅ ସୂର୍ଯ୍ୟବଂଶୀ ସୂରଜ ରହିଛନ୍ତି। ଯେଉଁଥିପାଇଁ ମିନି ଷ୍ଟାଡିୟମଟି ସମ୍ପୂର୍ଣ୍ଣ ନିର୍ମାଣ ହୋଇ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଜନସାଧାରଣଙ୍କ ମନରେ ଆଶା ସଂଚାର କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.