ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୪-କୋଭିଡ୍-୧୯ ଲକ୍ଡାଉନ୍ ପୁରୁଣା ସ୍ମୃତିକୁ ଅନୁଭୁତିରେ ଆଣିଦେଇଛି । ୪୦ବର୍ଷ ତଳକୁ ଗଲେ ଗାଁ ଗଣ୍ଡା ଓ ଗଳି କନ୍ଦିରେ ଝୁମୁକା ବଜାଇ ଗୁଡିଆମାନେ ବୁଲୁଥିଲେ । ପଇସାର ଅଭାବ ଏତେ ଥିଲା ଯେ ଗୁଡିଆମାନେ ଜଳଖିଆ ବଦଳରେ ଗାଁରୁ ଧାନ, ବିରି, ମୁଗ, ଚାଉଳ, କୋଳଥ,ମାଣ୍ଡିଆ ଆଦି ନେଉଥିଲେ । କାଳକ୍ରମେ ଗାଁ ଛକ ଓ ଗଳି କନ୍ଦିରେ ଜଳଖିଆ ଦୋକାନ କରି ଗୁଡିଆମାନେ ନିଜ ପରିବାର ପ୍ରତିପୋଷଣ କରିବାକୁ ଲାଗିଲେ ।
କିଛି ବର୍ଷ ଏହିଭଳି ଚାଲିବା ଫଳରେ ଗାଁ ଗହଳିରେ ପିଲାମାନେ ଆଉ ଝୁମୁକା ଗୁଡିଆକୁ ଦେଖିବାକୁ ପାଉନଥିଲେ । ଝୁମୁକା ଗୁଡିଆ ଜଳଖିଆ ବିକିଲା ବେଳେ ସାମାଜିକ ଦୁରତ୍ୱ ବଜାୟ ରହୁଥିଲା । କାରଣ ଘର ଘର ବୁଲି ଦୁଆରେ ଦୁଆରେ ଜଳଖିଆ ଦେଉଥିଲା । ଏହି କୋଭିଡ୍-୧୯ ଲକ୍ଡାଉନ ପୁଣି ସେହି ପୁରୁଣା ସ୍ମତିକୁ ଏବେ ଅନୁଭୁତିରେ ଆଣିଦେଇଛି । ଲକ୍ଡାଉନ୍ ଯୋଗୁଁ ଗାଁ ସହର ଚାରିଆଡେ ଥିବା ଜଳଖିଆ ଦୋକାନ ଓ ହୋଟେଲ ଗୁଡିକ ବନ୍ଦ ହୋଇଯାଇଛି । ତେଣୁ ରଣପୁର ଏନ୍.ଏ.ସି ଓ ରଣପୁର ଗାଁ ମାନଙ୍କରେ ସେହି ଗୁଡିଆ ପରିବାର ନିଜର ଝୁମୁକା ବଜାଇ ଇଟିଲି, ଆଳୁଚପ, ବରା, ମଟର ତରକାରି ଆଦି ବିକ୍ରୟ କରୁଥିବା ଦେଖା ଦେଇଛି । ଏ ସମ୍ପର୍କେ ରଣପୁର ଦାଣ୍ଡ ସାହିର ମଣି ସାହୁଙ୍କ ପୁଅ ସତ୍ୟ ନାରାୟଣ ସାହୁ ଓରଫ୍ ଛୋଟା ଝୁମୁକା ବଜାଇ ଆଳୁଚପ୍, ବରା ଓ ଇଟିଲି ବିକ୍ରି ସମୟରେ କୁହେ ଯେ ଲକ୍ଡାଉନ୍ ଯୋଗୁଁ ଆମ ଗୁଡିଆ ପରିବାର ଗୁଡିକ ବହୁତ କ୍ଷତି ସହିଲୁ । ପରିବାର ପ୍ରତିପୋଷଣ ପାଇଁ ପୁଣି ଆମ ପାରମ୍ପରିକ ବୃତ୍ତି ଝୁମୁକା ବଜାଇ ବ୍ୟବସାୟ ଆରମ୍ଭ କରିଛୁ । ଝୁମୁକା ଗୁଡିଆକୁ ଦେଖିଲେ ଗାଁ ସାହି ଗଳି କନ୍ଦିରେ ଝୁମୁକା ଶବ୍ଦ ଶୁଣିବା ପାଇଁ ଦୌଡି ଆସୁଥିବା ଦେଖାଯାଏ ।