
ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଘୋଷଣା ମତେ ଆଜି ଅଣ୍ଡିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ହେବାକୁ ନେଇ ବିଦ୍ୟାଳୟ ସମ୍ମୁଖରେ ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ନେତୃତ୍ୱରେ ଓ ସ୍ଥାନୀୟ ସରପଂଚ ଙ୍କ ପ୍ରତିନିଧି ଭବେନ୍ଦ୍ର କୁମାର ସାହୁଙ୍କ ନୈତିକ ସମର୍ଥନରେ ଗ୍ରାମବାସୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଚାବି ପକା ଆନ୍ଦୋଳନ ଆରମ୍ଭ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଗତ ୩ ତାରିଖ ଦିନ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ଏକ ଚେତାବନୀ ପତ୍ର ପରିଚାଳନା କମିଟି ଓ ଗ୍ରାମବାସୀମାନଙ୍କ ପକ୍ଷରୁ ଦିଆଯାଇଥିଲା । ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଅନନ୍ତ ଗୋପାଳ ମାଝୀ, ସୁରେଶ କୁମାର ପରିଡା, ସୁଲୋଚନା ରାଉତ, ଅଶୋକ ଦାସ, ତିଳୋତମା ଜେନା, ଅତୁଲ ରାଉତ, ଗୌତାମିନି ପରିଡା, ରଶ୍ମିତା ଶଙ୍ଖୁଆ, ପ୍ରମିଳା ଧଳ, ଜନ୍ମେଜୟ ଧଳ, ରବିନ୍ଦ୍ରନାଥ ଧଳ, ବସନ୍ତ କୁମାର ଦାସ, ଗଜେନ୍ଦ୍ର ଜେନା, ଶୁଭଜିତ୍ ମଲ୍ଲିକ, ବାଇଧର ଓଝା ପ୍ରମୁଖ ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସାଂସଦ, ଭଣ୍ଡାରିପୋଖରୀ ବିଧାୟକ, ଆରକ୍ଷୀ ଅଧୀକ୍ଷକ, ଜିଲା ଶିକ୍ଷାଧିକାରୀ, ଗୋବିନ୍ଦପୁର ସରପଂଚ, ଏରେଣ୍ଡେଇ ସିଆରସିସି, ପ୍ରଧାନ ଶିକ୍ଷକ ଓ ଜିଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ବିଦ୍ୟାଳୟଟିରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୮ ଗୋଟି ଶ୍ରେଣୀ ରହିଥିବାବେଳେ ପିଲା ସଂଖ୍ୟା ୧୩୦ ରୁ ଉର୍ଦ୍ଧ୍ୱ ରହିଛି। କିନ୍ତୁ ଏହି ବିଦ୍ୟାଳୟଟି ମାତ୍ର ୪ ଜଣ ଶିକ୍ଷକରେ ଚାଲିଛି। ଦୀର୍ଘ ୪/୫ ମାସ ହେବ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଥିବାରୁ ପ୍ରଧାନ ଶିକ୍ଷକ ବିହୀନ ବିଦ୍ୟାଳୟରେ ଶିକ୍ଷାଦାନ ଠାରୁ ଆରମ୍ଭ କରି ଶାନ୍ତିଶୃଙ୍ଖଳା, ଶୈକ୍ଷିକ ବାତାବରଣ ଓ ମଧ୍ୟାହ୍ନ ଭୋଜନ ବିପର୍ଯ୍ୟସ୍ତ ହୋଇପଡିଛି। ବିଦ୍ୟାଳୟର ଅଫିସ୍ କାର୍ଯ୍ୟରେ ଜଣେ ଶିକ୍ଷକ ସର୍ବଦା ବ୍ୟସ୍ତ ରହୁଥିବାରୁ ମାତ୍ର ୩ ଜଣ ଶିକ୍ଷକରେ ୮ଟି ଶ୍ରେଣୀରେ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ। ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଥିଲେ ମଧ୍ୟ ଜଣେ ହେଲେ କଳା କିମ୍ବା ବିଜ୍ଞାନ ଶିକ୍ଷକ ନାହାଁନ୍ତି। ଏଣୁ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀରେ ଇଂରାଜୀ ଓ ଗଣିତ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଛି। ଶିକ୍ଷାବର୍ଷ ଶେଷ ହେବା ବେଳକୁ କେତେକ ବିଷୟ ଆଦୌ ପଢାଯାଇନଥିବାରୁ ଅଭିଭାବକମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଏହି ବିଦ୍ୟାଳୟର ଚିତ୍ର ସଂପୂର୍ଣ୍ଣ ଓଲଟା ହୋଇଯାଇଛି। ଏ ସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟି ଓ କେତେକ ଅଭିଭାବକଙ୍କ ପକ୍ଷରୁ ବନ୍ତ ବିଇଓଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାଁନ୍ତି। ଏଣୁ ୨୦୨୫-୨୬ ଶିକ୍ଷାବର୍ଷରେ ଅଭିଭାବକ ମାନେ ସେମାନଙ୍କର ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଯାହାର ପ୍ରଭାବ ବିଦ୍ୟାଳୟ ଉପରେ ପଡୁଛି। ଏଣୁ ପରିଚାଳନା କମିଟି, ଗ୍ରାମବାସୀ, ବରିଷ୍ଠ ନାଗରିକ, ଶିକ୍ଷାବିତ୍ ଓ ଗ୍ରାମର ଅଗ୍ରଣୀ ଯୁବକମାନଙ୍କ ପକ୍ଷରୁ ଏହି ବିଦ୍ୟାଳୟରେ ୧୫ ତାରିଖ ସୁଦ୍ଧା ଜଣେ ପ୍ରଧାନ ଶିକ୍ଷକ, ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ନିମନ୍ତେ ବିହିତ ପଦକ୍ଷେପ ନିଆନଗଲେ ଆଜି ୧୬ ତାରିଖ ଠାରୁ ବିଦ୍ୟାଳୟ ବନ୍ଦ ରଖାଯାଇ ତାହା ସମ୍ମୁଖରେ ଅନଶନ ଓ ଧାରଣା ଦିଆଯିବାର ଚେତାବନୀ ଦିଆଯାଇଥିଲା ।ତେବେ ସ୍ଥାନୀୟ ସି ଆର ସି ସି ଧାରଣା ସ୍ଥଳରେ ପହଂଚି ବନ୍ତ ବି ଇ ଓ ସ୍ଥାନୀୟ ତରାଗ ନୋଡାଲ ସ୍କୁଲର ଜଣେ ଶିକ୍ଷକଙ୍କୁ ସାମୟିକ ଭାବେ ଡେପୁଟେସନ ନିଯୁତି ଦିଆଯାଇଥିବାର ପତ୍ର ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ଥିବାର ଜଣାପଡିଛି।







