ନୟାଗଡ଼, ୨୧ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)କରୋନା ମହାମାରୀରେ ସମସ୍ତେ ଅସ୍ତବ୍ୟସ୍ତ। କରୋନାରୁ ମୁକୁଳିବା ପାଇଁ ସବୁଠି ପୂଜାପାଠ, ସବୁଠି ଠାକୁରଙ୍କୁ ଆକୂଳ ନିବେଦନ। ବିପଦରେ ପଡ଼ିଲେ ଉଦ୍ଧାର ପାଇଁ ସମସ୍ତେ ଡାକନ୍ତି ସେହି ବିଶ୍ୱ ନିୟନ୍ତା ରକ୍ଷାକର୍ତ୍ତା ଜଗତକର୍ତ୍ତା କାଳିଆ ଠାକରଙ୍କୁ। ହେଲେ ସେ ନିଜେ ଯେଉଁଠି ବିପଦରେ ପଡ଼ିଛନ୍ତି, ଚାହିଁଲେବି ବଡ଼ଦାଣ୍ଡକୁ ବାହାରି ପାରୁନାହାନ୍ତି ସେଠି ଭକ୍ତ ନିଜେ କେମିତି ନିସ୍ତାର ପାଇବେ ତାକୁ ନେଇ ଭକ୍ତ ମହଲରେ ଭାଳେଣି। ଚାଲିବାକୁ ଥିବା ନନ୍ଦିଘୋଷ ରଥ ଅଟକିଗଲେ ଭକ୍ତ କାହାକୁ ଗୁହାରୀ କରିବେ ତାକୁ ନେଇ ଭାଙ୍ଗି ପଡ଼ିଛନ୍ତି ଅସହାୟ ଭକ୍ତ ସମୂହ। ତଥାପି ରଥ ଅଟକି ଯାଉଥିବା ନିୟତିର ନିର୍ଦ୍ଦେଶକୁ ସହଜେ ମାନି ପାରୁନାହାନ୍ତି ନୟାଗଡ଼ ମାଟିର ମୁସଲମାନ ପୁଅ। ତାଙ୍କ ମନୋବଳ ଅତୁଟ ରହିଛି ଯେମିତି ହେଲେ ଭଗବାନଙ୍କ ନନ୍ଦିଘୋଷ ରଥକୁ ଗଡ଼େଇବେ। ଭକ୍ତ ସାଲବେଗ ଯେପରି ଭକ୍ତ ଓ ଭଗବାନଙ୍କ ଅତୁଟ ସମ୍ପର୍କରେ ଜାତି ଅଜାତି ଭୁଲି ଆଲ୍ଳା ଓ ଜଗନ୍ନାଥଙ୍କୁ ଏକ ଓ ଅଭିନ୍ନ ଭାବି ନିଜ ଭକ୍ତିଭାବର ପରାକାଷ୍ଠା ଦେଖାଇଥିଲେ। ଠିକ ସେହିପରି ରଥ ଅଟକିବାକୁ ନେଇ ସହଜେ ଗ୍ରହଣ କରି ପାରୁନାହାନ୍ତି ନୟାଗଡ଼ ମାଟିର ୧୯ବର୍ଷୀୟ ମୁସଲମାନ ପୁଅ ଅଫତାବ୍ ହୁସେନ। ଅଫଦୁଲାର ଘର ନୟାଗଡ଼ ସନ୍ନିକଟ ଇଟାମାଟି ନାରାୟଣୀପାଟଣା ସାହିରେ ା ବାପା ଇମଦାଦ୍ ହୁସେନ ଖାଁ ଓ ମା ରସିଦ୍ ବେଗମ୍। ଅଫତାବ୍ ଙ୍କ ମା ଜଗନ୍ନାଥଙ୍କ ଭକ୍ତ ହୋଇଥିବାବେଳେ ତାଙ୍କ ଅଜା ମୁତଲବ୍ ଖାଁ ମଧ୍ୟ ଜଗନ୍ନାଥଙ୍କ ଭକ୍ତ। ସେ ଆଲ୍ଳାଙ୍କୁ ଡାକିବା ସହ ଜଗନ୍ନାଥଙ୍କୁ ମଧ୍ୟ ଭୁଲି ଯାଇନାହାନ୍ତି। ଘରେ ତ୍ରିନାଥଠାକୁରଙ୍କୁ ପୂଜା କରିବା ସହ ଅଜାଙ୍କ ସାଥୀରେ ଘରେ ଜଗନ୍ନାଥଙ୍କୁ ମଧ୍ୟ ପୂଜା କରନ୍ତି। ନିଜ ଉଦ୍ୟମରେ ସାହିରେ ଜଗନ୍ନାଥ ରଥ କରି ଠାକୁରଙ୍କ ନୀତିକାନ୍ତି ପାଳନ ସହ ରଥଯାତ୍ରା କରନ୍ତି। ନିଜ ସାହିରେ ୨୦୧୨ ମସିହାରୁ ରଥଯାତ୍ରା କରି ଆସୁଥିଲାବେଳେ ଭକ୍ତମାନେ ଜାତି ଅଜାତି ଭୁଲି ଏକାଠି ଗାଁ ଦାଣ୍ଡରେ ରଥ ଟାଣନ୍ତି। ଖାଲି ଅଫତାବ ନୁହେଁ ମା’ ରସିଦ୍ ବି ରଥ ନଗଡ଼ିବାକୁ ନେଇ ନିଜ ଭାବାବେଗ କୋହକୁ ଚାପି ରଖିପାରିନାହାନ୍ତି। ଜାତିରେ ମୁସଲମାନ ହୋଇଥିବାରୁ ଜଗନ୍ନାଥଙ୍କୁ ମନ୍ଦିରରେ ପଶି କାଳିଆ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ମିଳୁନଥିଲାବେଳେ ବର୍ଷକରେ ଥରେ ରଥରେ ବଡ଼ଦାଣ୍ଡରେ ଦେଖିବାର ସୌଭାଗ୍ୟ ନପାଇ ସେ ନିଜକୁ କେମିତି ବୁଝେଇବେ ବୋଲି ପୁଅକୁ କହିଛନ୍ତି। ଏପରିକି ରଥ ନଗଡ଼ିବା ପାଇଁ ରାୟ ଦେଇଥିବା ସୁପ୍ରିମକୋର୍ଟ ଙ୍କ ନିକଟରେ ରଥ ଗଡ଼ିବା ପାଇଁ ପୁନରାୟ ପ୍ରାର୍ଥନା କରିବା ପାଇଁ ପୁଅକୁ ପରାମର୍ଶ ଦେଇଛନ୍ତି। ମା’ର ପରାମର୍ଶ ପାଇ ପୁଅ ଅଫତାବ୍ ର ମନୋବଳ ବଢିଯାଇଥିବାବେଳେ ଯେମିତି ହେଲେବି ବଡ଼ଦାଣ୍ଡରେ ରଥ ଗଡେଡଇବା ପାଇଁ ନିଜର ଦାମ୍ଭିକ ମନୋଭାବରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଫତାବ୍ ବର୍ତ୍ତମାନ ଅର୍ଥଶାସ୍ତ୍ର ଉପରେ ଉପ ସ୍ନାତକ ତୃତୀୟ ବର୍ଷର ଛାତ୍ର ଥିଲାବେଳେ ଜଗନ୍ନାଥ ସଂସ୍କୃତି ଉପରେ ମନୋନିବେଶ କରିଛନ୍ତି। ରଥଯାତ୍ରା ବନ୍ଦ ନିଷ୍ପତିର ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ନିଜେ ପକ୍ଷଭୁକ୍ତ ହୋଇ ପିଟିସନ୍ ଦାଖଲ କରିଛନ୍ତି। ସେ କହିଛନ୍ତି ମୋ ଡାକ ଶୁଣିବା ପାଇଁ ସୁପ୍ରିମକୋର୍ଟଙ୍କ କଣ୍ଠରେ ପ୍ରଭୁ ଜଗନ୍ନାଥ ନିଶ୍ଚୟ ବିଜେ କରିବେ ା ବଡ଼ଦାଣ୍ଡରେ ରଥ ଗଡ଼ିବାକୁ ଆଉ ୨ଦିନ ବାକି ଥିବାବେଳେ ସୁପ୍ରିମକୋର୍ଟ କି ରାୟ ଦେଉଛନ୍ତି ତାକୁ ଦେଖିବା ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀ ଚାତକ ଭଳି ଚାହିଁ ରହିଛନ୍ତି। ଜଗନ୍ନାଥଙ୍କର ସେବକ, ପରମଭକ୍ତ ଭାବେ ଅଫତାବ୍ଙ୍କ ଭକ୍ତି ଭାବନାର ଆତ୍ମିକ ଆବେଗକୁ ଦେଖି ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି। ଅଫତାବ୍ ଙ୍କ ଭକ୍ତିଭାବନାକୁ ନେଇ ଭକ୍ତ ସାଲବେଗଙ୍କ କଥା ମନେପଡ଼ିଯାଉଥିବାବେଳେ ଏବେ ଅଫତାବ୍ଙ୍କ ଭକ୍ତି ଓ ଉଦାରତାକୁ ନେଇ ତାଙ୍କୁ କେତେକ ଦ୍ୱିତୀୟ ସାଲବେଗ କହୁଥିବା ଦେଖିବାକୁ ମିଳିଛି।









