ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ କରଦା ପଞ୍ଚାୟତ ଚଷାଖଣ୍ଡ ଗାଁରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଏବେ ପ୍ରହସନ ପାଲଟିଛି। ଚଷାଖଣ୍ଡ ଗାଁର ୧୯୧ଟି ପରିବାରକୁ ପାଇପ୍ ପାଣି ଯୋଗାଇବା ଲାଗି ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ବିଶାଳ ଏଲିଭେଟେଡ୍ ସର୍ଭିସ୍ ରିଜର୍ଭର ବା ପାଣି ଟାଙ୍କି ନିର୍ମାଣ ହୋଇଥିଲେ ସୁଦ୍ଧା ବୈଷୟିକ ତ୍ରୁଟି ଓ ସ୍ଥାନୀୟ ବିବାଦ ଯୋଗୁଁ ଲୋକେ ବୁନ୍ଦାଏ ପାଣି ପାଇବାକୁ ଚାତକ ଭଳି ଚାହିଁ ରହିଛନ୍ତି। ଆଗାମୀ ୩୦ ବର୍ଷର ଜନସଂଖ୍ୟା ଓ ଜଣେ ବ୍ୟକ୍ତିଙ୍କ ଦୈନିକ ୭୦ ରୁ ୧୦୦ ଲିଟର ପାଣି ଆବଶ୍ୟକତାକୁ ହିସାବକୁ ନେଇ ପ୍ରାୟ ୧.୬୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରାଯାଇଥିଲା। ୨୦୧୯ରୁ ଟେଣ୍ଡର ହୋଇ ୨୦୨୪ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ମାତ୍ର ପ୍ରକଳ୍ପ ପାଇଁ ସ୍ଥାନ ନିରୁପଣ ସଠିକ୍ ହୋଇନଥିବାରୁ ଏଠାରୁ ଗାଁଗୁଡ଼ିକୁ ପାଣି ଯୋଗାଇବା କଷ୍ଟସାଧ୍ୟ ହୋଇପଡ଼ିଛି। ବୈଷୟିକ ଜ୍ଞାନକୌଶଳ ଓ ଆଇନଗତ ଦିଗକୁ ଅଣଦେଖା କରି କେବଳ ଟାଙ୍କି ନିର୍ମାଣ କରିବା ହିଁ ମୂଳ ଲକ୍ଷ୍ୟ ଥିବା ପରି ମନେହେଉଛି। ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ପରଠାରୁ ବନ୍ଦ ରହିବାର ମୁଖ୍ୟ କାରଣ ହେଉଛି ବିଦ୍ୟୁତ୍ ସଂଯୋଗର ଅଭାବ। ଇଲେକ୍ଟ୍ରିକ୍ ଖୁଣ୍ଟ ବସାଇବା ପାଇଁ ସ୍ଥାନୀୟ ଲୋକେ ନିଜ ବ୍ୟକ୍ତିଗତ ଜମି ଛାଡ଼ିବାକୁ ରାଜି ହେଉନାହାଁନ୍ତି। ନିର୍ମାଣ ପୂର୍ବରୁ ଜନସାଧାରଣଙ୍କ ସହମତି ନିଆଯାଇ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଫଳରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଅଚଳ ହୋଇ ପଡ଼ିରହିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ହିଁ ଗାଁକୁ ବିଛାଯାଇଥିବା ପାଇପ୍ ଗୁଡ଼ିକ ସ୍ଥାନେ ସ୍ଥାନେ ଫାଟି ନଷ୍ଟ ହେବାକୁ ବସିଲାଣି। ଲୋକଙ୍କ ଦୁଆର ମୁହଁରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ଓ ଟ୍ୟାପ୍ ଗୁଡ଼ିକ ଚୋରି ହୋଇଗଲାଣି। ଆଶ୍ଚର୍ଯ୍ୟର କଥା, ୨୦ ମିଟର ଉଚ୍ଚର ଏହି ଟାଙ୍କି ଉପରେ ଏପର୍ଯ୍ୟନ୍ତ ଲାଇଟିଂ ଆରେଷ୍ଟର (ବଜ୍ରପାତ ନିରୋଧକ) ଲଗାଯାଇ ନାହିଁ, ଯାହାକି ବର୍ଷା ଦିନେ ଏକ ବଡ଼ ବିପଦକୁ ଆମନ୍ତ୍ରଣ କରୁଛିି। ଖରାଦିନ ଆରମ୍ଭରୁ ହିଁ ଚାଷାଖଣ୍ଡ ଅଞ୍ଚଳରେ ଜଳ ସଂକଟ ତୀବ୍ର ହେବାରେ ଲାଗିଛି। କୂଅ, ପୋଖରୀ ଶୁଖିଗଲାଣି ଏବଂ ନଳକୂପର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସରକାରୀ ଟଙ୍କାରେ ନିର୍ମିତ ପ୍ରକଳ୍ପ ଲୋକଙ୍କ କାମରେ ନ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜମି ଛାଡୁନଥିବା ଲୋକଙ୍କ ସହ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗ କରାଯାଇ ପାଣି ଯୋଗାଇ ଦିଆଯିବ ବୋଲି ଧାମନଗର ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଯସ୍ମିନ ଦାସ କହିଛନ୍ତି। ବୁଦ୍ଧିଜୀବୀଙ୍କ ମତରେ, ଯଦି ବିଦ୍ୟୁତ୍ ସଂଯୋଗରେ ସମସ୍ୟା ରହୁଛି, ତେବେ ବିକଳ୍ପ ଭାବେ ଏହି ପ୍ରକଳ୍ପକୁ ସୌର ଶକ୍ତି ଦ୍ୱାରା ପରିଚାଳିତ କରିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ। ସ୍ଥାନୀୟ ବାସିନ୍ଦା ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।








