ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜସ୍ୱ ଅମଲା ସଂଘର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁଯାୟୀ ଆଜି ଜିଲାର ବିଭିନ୍ନ ବିଭାଗର ସମସ୍ତ ରାଜସ୍ୱ ଅମଲାମାନେ ଆସନ୍ତା ୧୧ ତାରିଖରେ ସମୂହ ଛୁଟିରେ ଯିବେ ବୋଲି ଜିଲାପାଳଙ୍କୁ ଓ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ କର୍ମଚାରୀମାନେ ସମ୍ମିଳିତ ଭାବେ ଏହି ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ପରିଷଦ, ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଜିଲା ମଙ୍ଗଳ କାର୍ଯ୍ୟାଳୟ, ଯୋଗାଣ ବିଭାଗ, ସମସ୍ତ ତହସିଲ, ବ୍ଲକ୍, ସବରେଜେଷ୍ଟ୍ରି ଭଳି ବିଭିନ୍ନ ବିଭାଗର ୧୬୦ ରୁ ଉର୍ଦ୍ଧ୍ୱ ରାଜସ୍ୱ ଅମଲାମାନେ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଓଡ଼ିଶା ରାଜସ୍ୱ ଅମଲା ସଂଘ ୯ ଦଫା ଦାବି ପୂରଣ ପାଇଁ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତି ନିଆଯାଇଥିଲା। ଓଡ଼ିଶା ରାଜସ୍ୱ ଅମଲା ସଂଘର ଜିଲା ଶାଖାର ସଭାପତି ରବିନ୍ଦ୍ର କୁମାର ଦତଙ୍କ ଅଧ୍ୟକ୍ଷତାରେ ଗତ ୩.୮.୨୫ ରିଖରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଜିଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓଆରଏସ୍ପି-୨୦୧୭ ନିୟମ ଅନୁଯାୟୀ ଲେବୁଲ-୯ କୁ ବୃଦ୍ଧି କରିବା, ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନିଷ୍ପତି ଅନୁଯାୟୀ ନୂଆ ପଦବୀ ସୃଷ୍ଟି ଓ ପୁନର୍ଗଠନ କରିବା, କର୍ମଚାରୀଙ୍କୁ ୨୦ ଟଙ୍କାର ସ୍ୱାସ୍ଥ୍ୟ ବୀମା, ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀକୁ ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହାବ୍ୟତୀତ ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ୱ ଅମଲାମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦେବା, ନୂଆ ପେନସନ ଯୋଜନାକୁ ରଦ୍ଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଦାବି କରାଯାଇଛି। ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ନିତ୍ୟାନନ୍ଦ ନାୟକ, ଏଲିନା ସେନାପତି, ଅଏସକାନ୍ତ ନାୟକ, ଇତୁଲ କୁମାର ଘୋଷ ପ୍ରମୁଖ ରାଜସ୍ୱ ଅମଲାମାନେ ସାମିଲ ଥିଲେ।








