Home ଓଡ଼ିଶା ସୁନ୍ଦରଗଡ଼ରେ ଓମ୍ବାଡ୍ସିର ଓଭରସାଇଟ୍ ଅଥରିଟି ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନ ପ୍ରକଳ୍ପ ବୁଲି...

ସୁନ୍ଦରଗଡ଼ରେ ଓମ୍ବାଡ୍ସିର ଓଭରସାଇଟ୍ ଅଥରିଟି ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ

30

– ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ କ୍ୱାର୍ଟରର ଉଦ୍ଘାଟନ କଲେ
– କୁଆରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଗୋଷ୍ଠୀ ସମ୍ବଳ କେନ୍ଦ୍ରର ଶୁଭାରମ୍ଭ କଲେ

ସୁନ୍ଦରଗଡ଼, ୧୯ ମେ (ଓଡ଼ିଆ ପୁଅ) : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରୁଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଗୁରୁବାର ସେ ଓମ୍ବାଡ୍ସିର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ, ରାଜଗାଙ୍ଗପୁର, କୁଆରମୁଣ୍ଡା ବ୍ଲକ୍ରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।

ଗୁରୁବାର ଦିନ ପୂର୍ବାହ୍ନରେ ସେ ପ୍ରଥମେ ସୁନ୍ଦରଗଡ଼ ସଦର ମହକୁମା ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭର୍ଚୁଆଲ କ୍ଲାସ୍ ପାଇଁ ରହିଥିବା ଅତ୍ୟାଧୁନିକ ଷ୍ଟୁଡିଓ ବୁଲି ଦେଖିବା ସହ ସେଠାରେ ସ୍ମାର୍ଟ କ୍ଲାସ୍ ପ୍ରସ୍ତୁତ କରୁଥିବା ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଷ୍ଟୁଡିଓରୁ ବିଭିନ୍ନ ସ୍କୁଲକୁ ଭି-ସାଟ୍ ଲିଙ୍କ ଜରିଆରେ ଯୋଡ଼ାଯାଇ ସ୍ମାର୍ଟ କ୍ଲାସ୍ ପ୍ରସ୍ତୁତ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ନିରନ୍ତର ଶିକ୍ଷାଦାନ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଥିଲା। ଏହି ଷ୍ଟୁଡିଓରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଭିଡିଓ ଲେକଚର ରେକର୍ଡ଼ କରାଯାଇ ଛାତ୍ରଛାତ୍ରୀମାନଙ୍କ ମୋବାଇଲକୁ ପହଞ୍ଚାଇ ଦିଆଯାଉଥିଲା।

ଏହାପରେ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ବୁଲି ଦେଖିବା ସହ ଡାକ୍ତର ଓ କର୍ମଚାରୀଙ୍କ ରହିବା ଲାଗି ନିର୍ମିତ ନୂତନ କୋଠାର ଉଦ୍ଘାଟନ କରିଥିଲେ। ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରକୁ ଯାଇ ସେଠାରେ ଦିଆଯାଉଥିବା ସେବା ସମ୍ପର୍କରେ ସେ ଫିଜିଓଥେରାପିଷ୍ଟ ଓ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଗ୍ରାମାଂଚଳରେ ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍ରେ ୧୧ଟି ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସେଥିମଧ୍ୟରୁ ରାଜଗାଙ୍ଗପୁର ବ୍ଲକ୍ର ଲାଇଙ୍ଗ୍ଠାରେ ନିର୍ମାଣାଧୀନ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ତଦାରଖ କରିଥିଲେ ଜଷ୍ଟିସ ପଟ୍ଟନାୟକ। ଏହି ପ୍ରକଳ୍ପ ଦ୍ୱାରା କୁତ୍ରା ବ୍ଲକର ୪୦ଟି, ବଡ଼ଗାଁ ବ୍ଲକର ୨୭ଟି ଓ ରାଜଗାଙ୍ଗପୁର ବ୍ଲକ୍ର ୭ଟିକୁ ମିଶାଇ ମୋଟ ୭୪ଟି ଗାଁର ୩୧ ହଜାରରୁ ଅଧିକ ପରିବାର ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ସେହିପରି ରାଜଗାଙ୍ଗପୁର ବ୍ଲକ୍ କେଶ୍ରାମାଲ୍ ପଞ୍ଚାୟତର ଥପାବେର୍ଣ୍ଣା ଗାଁରେ କରାଯାଇଥିବା କଦଳୀ ଚାଷ ବୁଲି ଦେଖିଥିଲେ ଜଷ୍ଟିସ ପଟ୍ଟନାୟକ। କଦଳୀ ଚାଷ ଦ୍ୱାରା ଗ୍ରାମାଂଚଳର ଜନସାଧାରଣଙ୍କ ଜୀବିକା ସୁଦୃଢ଼ ହେଉଥିବା ବେଳେ ଗାଁର ମହିଳାମାନେ ଏହି ଚାଷ କରି ଆର୍ଥିକ ସ୍ତରରେ ସଶକ୍ତ ହେଉଥିବାରୁ ଜଷ୍ଟିସ ପଟ୍ଟନାୟକ ଏଥିରେ ସନ୍ତୋଷ ପ୍ରକାଶ କରିଥିଲେ। ଏହାସହ ସେଠାରେ ଚାଷୀଙ୍କ ଉତ୍ପାଦିତ ଫସଲର ସଂରକ୍ଷଣ ପାଇଁ କରାଯାଇଥିବା ୫ ମେଟ୍ରିକ୍ ଟନ୍ ବିଶିଷ୍ଟ ସୌରଚାଳିତ ଶୀତଳଭଣ୍ଡାର ମଧ୍ୟ ପରିଦର୍ଶନ କରିଥିଲେ।

ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ସ୍ମାର୍ଟ କ୍ଲାସରୁମ୍, ଉନ୍ନତ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ, ଲାଇବ୍ରେରି ଓ ରିଡିଂ ରୁମ୍, ଖେଳ ପଡ଼ିଆର ବିକାଶ ଓ କ୍ରୀଡ଼ା ଉପକରଣ ସହ ସ୍ୱଚ୍ଛ ଶୌଚାଳୟର ସୁବିଧା ଦିଆଯାଇ ହାଇସ୍କୁଲର ଶିକ୍ଷା ପରିବେଶକୁ ଅଧିକ ଆକର୍ଷଣୀୟ କରାଯାଉଛି। ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ କୁଆରମୁଣ୍ଡା ବ୍ଲକ୍ କୁମଝରିଆ ସରକାରୀ ହାଇସ୍କୁଲର ରୂପାନ୍ତରିତ ଭିତ୍ତିଭୂମି ବୁଲି ଦେଖିବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ସ୍ମାର୍ଟ କ୍ଲାସରୁମ୍ ଓ ଆଇସିଟି ଲ୍ୟାବ୍ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ଅପରାହ୍ନରେ ଜଷ୍ଟିସ ପଟ୍ଟନାୟକ କୁଆରମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ସମ୍ବଳ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।

ସେହିପରି କୁଆରମୁଣ୍ଡା ବ୍ଲକ ସଦରରେ ଥିବା ‘ଉତ୍କଳ କିଚେନ’ ପରିଦର୍ଶନ କରିବା ସହ ସେଠାକାର ପରିଚାଳନା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ସେ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ ସଦର ମହକୁମାକୁ ଦୈନନ୍ଦିନ କାର୍ଯ୍ୟରେ ଆସୁଥିବା ଜନସାଧାରଣଙ୍କୁ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଓ ଉଚିତ୍ ମୂଲ୍ୟରେ ଖାଦ୍ୟ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ର ପରିକଳ୍ପନା କରାଯାଇଛି।

ଓଡ଼ିଶା ଜୀବିକା ମିଶନ ଅଧୀନରେ ଚାଲିଥିବା ‘ଷ୍ଟାର୍ଟଅପ୍ ଭିଲେଜ୍ ଅନ୍ତ୍ରପ୍ରିିନିୟରସିପ୍ ପ୍ର୍ରୋଗ୍ରାମ’ ଜରିଆରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇ ସେମାନଙ୍କୁ ଟେଲରିଂ ଶପ୍, ଜେରକ୍ସ ଶପ୍, ବିଉଟି ପାର୍ଲର ଭଳି ବିଭିନ୍ନ ପ୍ରକାର ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ସେହିପରି ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନାରେ ଏସ୍ଏଚ୍ଜି ମହିଳାମାନଙ୍କୁ ୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ସେଥିରେ ଅଟୋ କିଣି ସେମାନେ ସ୍ୱାବଲମ୍ବୀ ହୋଇପାରିବେ।

କୁଆରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ‘ଷ୍ଟାର୍ଟଅପ୍ ଭିଲେଜ୍ ଅନ୍ତ୍ରପ୍ରିନିୟରସିପ୍ ପ୍ରୋଗ୍ରାମ’ର ୧୦ ଜଣ ଏବଂ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନାର ୩ ଜଣ ହିତାଧିକାରୀଙ୍କ ସହ ଜଷ୍ଟିସ ପଟ୍ଟନାୟକ ଆଲୋଚନା କରିଥିଲେ।

ଶେଷରେ କୁଆରମୁଣ୍ଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଜଷ୍ଟିସ ପଟ୍ଟନାୟକ। ସେଠାରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ମେଡିକାଲ ଓ ଆଇଆଇଟି ଭଳି ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିବା ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା ବେଳେ କ୍ୟାରିୟର ସଫଳତା ପାଇଁ ସେମାନଙ୍କ ଭିତରେ ଉତ୍ସାହ ଭରିଥିଲେ।

ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ନିଜର ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ପ୍ରଥମ ଦିନ ବୁଧବାରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିବା ସହ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ।

ଆଜିର ଏହି ପରିଦର୍ଶନ ସମୟରେ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ଓମ୍ବାଡ୍ସି ସିଇଓ ଜି. ରାଜେଶ, ସ୍ୱତନ୍ତ୍ର ଅଧିକାରୀ ଶେଖ ନଇମୁଦ୍ଦିନ ଏବଂ ଦ୍ୱୈପାୟନ ପଟ୍ଟନାୟକ, ଓମ୍ବାଡ୍ସିର ଜେନେରାଲ ମ୍ୟାନେଜର (ପ୍ରଶାସନ) ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ, କନସଲଟାଣ୍ଟ ପାର୍ଥ ମହାନ୍ତି ଏବଂ ଟିମ୍ ଲିଡର ଅମ୍ବୁଜ ପ୍ରସାଦ ସାମିଲ ଥିଲେ।

ଗସ୍ତ ବେଳେ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡିଏମ୍ଏଫ୍ ସିଇଓ ରିତା ଡାଙ୍ଗ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ ସ୍ୱଦେଶ କୁମାର ଚୌଧୁରୀ, ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସାମୁଏଲ୍ ଟପ୍ପୋ ଏବଂ ଓମ୍ବାଡ୍ସି ଓ ଡିଏମ୍ଏଫ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.