Home ଓଡ଼ିଶା ସୁନାବେଡାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ପାଳିତ

ସୁନାବେଡାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ପାଳିତ

36

କୋରାପୁଟ ୨୯-୦୮(ଓଡିଆ ପୁଅ/ ରଞ୍ଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଜି ୧୪ତମ ପ୍ରତିଷ୍ଠା ଦିବସ ସୁନାବେଡାସ୍ଥିତ ସ୍ଥାୟୀ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଲିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାରୋହର ଉଦଘାଟନ କରିଥିଲେ। ଆଦିବାସୀ ବହୁଳ ତଥା ଶିକ୍ଷା କ୍ଷେତ୍ରରେ ବହୁ ପଛରେ ଥିବା କେବିକେ ଅଂଚଳରେ ଶିକ୍ଷାର ବିକାଶ ସହ ଉଚ୍ଚମାନର ଶିକ୍ଷାଦାନ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୂତ୍ୱପୂର୍ଣ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ। କୋରାପୁଟ ଅଂଚଳରେ ଜୈବ ପଦ୍ଧତିରେ ଉତ୍ପାଦିତ ଖାଦ୍ୟ ପଦାର୍ଥର ପ୍ରକ୍ରିୟାକରଣ କରାଯିବା ଉପରେ ମୁଖ୍ୟ ଅତିଥି ଗୁରୂତ୍ୱ ଦେଇ ଧାନ, ଆମ୍ବ, ମାଣ୍ଡିଆ, ପନିପରିବା ଓ କୋରାପୁଟ କଫି ଭଳି ଉତ୍ପାଦନ ସବୁବେଳେ ସ୍ୱତନ୍ତ୍ର ତେଣୁ ଏହି ସବୁ ସାମଗ୍ରୀର ସଦବ୍ୟବହାର କରିବା ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ମାଣ୍ଡିଆର ପ୍ରସାର ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତରେ ଉଲ୍ଲେଖ କରିଥିବାରୁ ମାଣ୍ଡିଆ ତିଆରି ବିସ୍କୁଟକୁ ଆନ୍ତର୍ଜୀତୀୟ ସ୍ତରରେ ବଜାରୀକରଣ କରାଯିବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିବା ସହ ଏଥିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସହଯୋଗି ହେବାକୁ ପରାମର୍ଶ ଦେଇଥିଲେ। ଦାରିଦ୍ର୍ୟତାକୁ ଦୂର କରିବାରେ ଏକ ମାତ୍ର ଚାବିକାଠି ହେଉଛି ଶିକ୍ଷା ବୋଲି ସେ ଅଭିହିତ କରିଥିଲେ।ଏହି ଶିକ୍ଷାର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି। ଏହି ଶିକ୍ଷାନୀତି ମାଧ୍ୟମରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ମିଶି ସଂକଳ୍ପ ନେବା ଦରକାର ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଆଇସିଏମଆରର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ପ୍ରଫେସର ନିର୍ମଳ କୁମାର ଗାଙ୍ଗୁଲି ଯୋଗ ଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ପ୍ରତିଷ୍ଠା ଦିବସ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ନିତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଯୋଗଦେଇ ସେର୍ପା ଜି-୨୦ ଭାରତ ସ୍ଥାପନ ଦିବସ ବକ୍ତୃତା ପ୍ରଦାନ କରି ଶିକ୍ଷାଗତ ସଫଳତା ନିମନ୍ତେ ପ୍ରୟାସ ଜାରି ରଖିଥିବାରୁ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ବିଶ୍ୱବିଦ୍ୟାଳୟକୁ ବିଭିନ୍ନ କ୍ଷେତ୍ରରେ ହାଲ ଏବଂ ନାଲକୋ ସମେତ ଅନ୍ୟ ସଂସ୍ଥା ସାହାଯ୍ୟ ସହଯୋଗ ଦେଇ ଆସୁଥିବାରୁ କୁଳପତି ଉଭୟ ସଂସ୍ଥାକୁ କୃତଜ୍ଞତା ଜଣାଇବା ସହ ଆସନ୍ତା ଦିନରେ ମଧ୍ୟ ଏପରି ସହଯୋଗ ମିଳିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପୁରଷ୍କୃତ କରାଯିବା ସହ ତିନୋଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ୍‌, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର କୁମାର ପାତ୍ର, ବିଶିଷ୍ଟ ସମାଜସେବୀ କୃଷ୍ନ ସିଂହ୍ ଏବଂ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁଳ ସଚିବ ଡଃ.ଅସୀତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ଡଃ.ରମେନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଅର୍ଥନୀତି ବିଭାଗର ସହାୟକ ପ୍ରଫେସର ଡ. ମିନତି ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାରୋହରେ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ଛାତ୍ରଛାତ୍ରୀ ଓ ଜନ ସମ୍ପର୍କ ଅଧିକାରୀ ଡଃ.ଫଗୁନାଥ ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.