ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଓ ଓଡ଼ିଶାର ପରିଚୟ। ତାଙ୍କୁ କେନ୍ଦ୍ରକରି ଓଡ଼ିଆ ଭାଷାରେ ବହୁ ସାହିତ୍ୟ ସୃଷ୍ଟି ହୋଇଛି ଏବଂ କେବଳ ତାଙ୍କରି ପାଇଁ ଓଡ଼ିଆ ଭାଷା,ଶାସ୍ତ୍ରୀୟତା ଲାଭ କରିଛି। ବିନା ତର୍କରେ ଶ୍ରୀଜଗନ୍ନାଥ ଓଡ଼ିଆ ସଂସ୍କୃତି, ଭାଷା , ସାହିତ୍ୟ , ନୃତ୍ୟ, ସଂଗୀତ,ନାଟକ,କଳା, କିମ୍ବଦନ୍ତୀ ତଥା ଐତିହ୍ୟର ମୂଳ ଆଧାର ବୋଲି ସ୍ୱୀକାର କରାଯାଇପାରେ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ସପ୍ତମ ସଂନ୍ଧ୍ୟାରେ ” ଆମ ସାହିତ୍ୟରେ ଶ୍ରୀଜଗନ୍ନାଥ” ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ଉପସଭାପତି ସଂଗଠକ ଓ ସାହିତ୍ୟିକ ବାବୁଲାଲ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦୁର୍ଗା ଶଙ୍କର ଦାଶ ମୁଖ୍ୟ ଅତିଥି, ଭଦ୍ରକ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ବିଶିଷ୍ଟ ଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ସାହିତ୍ୟିକ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ଶିବ ଚରଣ ଖାମୁରାଇ ମୁଖ୍ୟ ବକ୍ତା, ପ୍ରାକ୍ତନ ପ୍ରାଧ୍ୟାପକ ରତିକାନ୍ତ ମହାନ୍ତି, ଅଧ୍ୟକ୍ଷ କୁଶଦେବ ମଲ୍ଲିକ, ସାଂସ୍କୃତିକ ସଂଗଠକ ଶରତ ସାହୁ ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ,ପ୍ରବାଚିକା ବିଶ୍ମମୈତ୍ରୀ ନାୟକ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ସଂଗଠିକା କଳ୍ପନା ଜେନା ଅତିଥିମାନଙ୍କୁ ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିବା ବେଳେ ମହୋତ୍ସବର ସଭାପତି ଇଂ.ଅଭୟ ସୂତାର ଆସରର ସଂଯୋଜନା, ସମ୍ପାଦକ ରବିନାରାୟଣ ଖିଲାର ଅତିଥି ପରିଚୟ ଓ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଓ କବି ନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ମନୋରମା ରାୟ ଓ ସଂଯୁକ୍ତା ବଳ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଉପଦେଷ୍ଟା ପୂର୍ବତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା,ସହ ସମ୍ପାଦିକା ଦମୟନ୍ତୀ ରାଉତ ମଂଚ ଓ ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ବାଲେଶ୍ୱର ହସ୍ତତନ୍ତ ଓ ବୟନ ଶିଳ୍ପ ଉପନିର୍ଦେଶକ ଅରୁଣ କୁମାର ମଣ୍ଡଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଓ କବୟିତ୍ରୀ ମନୋରମା ରାୟ ମାନପତ୍ର ପାଠ କରିଥିଲେ।ଅଧିବେଶନ ପୂର୍ବରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏବଂ ଡା.ଅନିଲ କୁମାର ଦାଶ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ , ଶିକ୍ଷକ ସମୀର କୁମାର ଜେନା, ପର୍ଶୁରାମ ନାୟକ, ଗଗନ ବିହାରୀ ଦାସ ଓ ଦମୟନ୍ତୀ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଓଡ଼ିଆ ସଂସ୍କୃତି, ଭାଷା,ସାହିତ୍ୟ,ନୃତ୍ୟ,ସଂଗୀତ,ନାଟକ, କଳା, କିମ୍ବଦନ୍ତୀ ତଥା ଐତିହ୍ୟର ମୂଳ ଆଧାର, ଦ୍ୱାଦଶ ଭଦ୍ରକ...